ଓଡ଼ିଶାଲାଇଭ୍ ବ୍ୟୁରୋ
ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ବୟସ ପ୍ରତିବନ୍ଧକ ସାଜେନି। ପରିବେଶ ସୁରକ୍ଷା ସାଙ୍ଗକୁ ଜଳ ଉତ୍ସ ସୃଷ୍ଟି କରିବା ଲକ୍ଷ୍ୟରେ କର୍ଣ୍ଣାଟକର କେରେ କାମେଗୌଡ଼ା ଏକାକୀ ୧୪ଟି ପୋଖରୀ ଖୋଳି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ମଣିଷ ଚାହିଁଲେ କ’ଣ ନ କରି ପାରିବ ? ଏ ପ୍ରଶ୍ନର ଉତ୍ତର ହେଉଛନ୍ତି କର୍ଣ୍ଣାଟକର କେରେ କାମେଗୌଡ଼ା। ୮୨ ବର୍ଷୀୟ କାମେଗୌଡ଼ା ପେସାରେ ମେଷପାଳକ। କିନ୍ତୁ ପରିବେଶ ସୁରକ୍ଷା ଏବଂ ଜଳ ଉତ୍ସ ସୃଷ୍ଟିର ଜଣେ ନୀରବ ସାଧକ। ଚାଳିଶି ବର୍ଷ ହେଲା ଏକା ଏକା ପୋଖରୀ ଖୋଳି ଚାଲିଛନ୍ତି କାମେଗୌଡ଼ା। ପାହାଡ଼ିଆ ଅଞ୍ଚଳରେ ଏ ପର୍ଯ୍ୟନ୍ତ ସେ ୧୪ଟି ପୋଖରୀ ଖୋଳି ସାରିଲେଣି। ପୋଖରୀ ନୁହେଁ ତ ଛୋଟକାଟର ହ୍ରଦ।
ବେଙ୍ଗାଳୁରୁରୁ ଚମରାଜନଗରର ବିଭିନ୍ନ ମନ୍ଦିର ଏବଂ ପାର୍ବତ୍ୟାଞ୍ଚଳ ଯିବା ବାଟରେ ପଡ଼େ ମାଲାଭାଲି ସହର। ପର୍ଯ୍ୟଟକଙ୍କ ପାଇଁ ଗ୍ରୀଷ୍ମ ଅବକାଶ କାଟିବା ପାଇଁ ଅନ୍ୟତମ ହିଲ୍ ଷ୍ଟେସନ୍। ଏହି ଅଞ୍ଚଳର ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ହେଲେ କେରେ କାମେଗୌଡ଼ା। ଜୀବନ୍ତ କିମ୍ବଦନ୍ତୀ ସାଧାସିଧା ବେଶଭୂଷାରେ ଉତ୍ସର୍ଗୀକୃତ ଜୀବନର ଅନନ୍ୟ ଉଦାହରଣ।
ଦାସନାଡ଼ୋଡ଼ି ଗାଁର କାମେଗୌଡ଼ା ଜଣେ ମେଷପାଳକ। ୪୦ ବର୍ଷରୁ ଅଧିକ ସମୟ ହେଲା ମେଣ୍ଢା ପାଳିବାରେ ବିତାଇଲେଣି। ବଣଜଙ୍ଗଲକୁ ମେଣ୍ଢା ଚରାଇବାକୁ ଯାଆନ୍ତି। ପ୍ରାୟ ୫୦ଟି ମେଣ୍ଢାଙ୍କୁ ନେଇ ୧୨ ଘଣ୍ଟା ଜଙ୍ଗଲିଆ ଅଞ୍ଚଳରେ କାଟନ୍ତି। ପ୍ରାୟ ୪୦ ବର୍ଷ ତଳେ ସେ ଲକ୍ଷ୍ୟ କଲେ ଯେ ମେଣ୍ଢା ବା ଅନ୍ୟ ଜୀବଜନ୍ତୁମାନଙ୍କ ପିଇବା ପାଇଁ ସେ ଅଞ୍ଚଳରେ ପାଣିର କୌଣସି ଉତ୍ସ ନାହିଁ। ତେଣୁ ନିଜେ ନିଜେ କାମରେ ଲାଗି ପଡ଼ିଲେ। ମେଣ୍ଢାଙ୍କୁ ଚରିବାକୁ ଛାଡ଼ି ଦେଇ ପୋଖରୀ ଖୋଳାରେ ଲାଗି ଯାଆନ୍ତି କାମେଗୌଡ଼ା। ପ୍ରଥମ ଥର ପୋଖରୀ ଖୋଳି ସଫଳତା ପାଇବା ପରେ ସେ ଗୋଟିଏ ପରେ ଆଉ ଗୋଟିଏ ପୋଖରୀ ଖୋଳି ଚାଲିଲେ। ଏବେ ଏଇ ଜଙ୍ଗଲ ଅଞ୍ଚଳରେ ଜୀବଜନ୍ତୁଙ୍କ ପିଇବା ପାଇଁ ପାଣିର ଅଭାବ ନାହିଁ।
୨୦୧୭ ମସିହା ବେଳକୁ ସେ ଏକା ଏକା ୬ଟି ପୋଖରୀ ଖୋଳି ସାରିଥିଲେ। ୨୦୧୭ରୁ ଏ ପର୍ଯ୍ୟନ୍ତ ଆଉ ୮ଟି ପୋଖରୀ ଖୋଳିସାରିଲେଣି। ଅବଶ୍ୟ ଏହି ୮ଟି ପୋଖରୀ ଖୋଳାରେ ସେ ଅନ୍ୟ ଶ୍ରମିକମାନଙ୍କୁ କାମରେ ଲଗାଇଛନ୍ତି। କିଛି ଯନ୍ତ୍ରପାତି ବି ଭଡ଼ାରେ ଆଣିଛନ୍ତି। ତାଙ୍କୁ ମିଳିଥିବା ବିଭିନ୍ନ ପୁରସ୍କାର ବାବଦ ଟଙ୍କାକୁ ଶ୍ରମିକମାନଙ୍କ ପାରିଶ୍ରମିକ ଏବଂ ଯନ୍ତ୍ରପାତି ଭଡ଼ାରେ ହିଁ ଖର୍ଚ୍ଚ କରିଛନ୍ତି। ସେଇ ପୁରୁଣା ଝାଟିମାଟି କୁଡ଼ିଆରେ ରହୁଛନ୍ତି ସେ ଓ ତାଙ୍କ ପରିବାର। କିନ୍ତୁ ପୁରସ୍କାର ଅର୍ଥକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିନାହାନ୍ତି। ଛୋଟ ପାର୍ବତ୍ୟାଞ୍ଚଳର ଉନ୍ନତି ପାଇଁ ଅହରହ ଲାଗିଛନ୍ତି ସେ। ପୋଖରୀ ଖୋଳିବା ସହିତ ଗଛ ବି ଲଗାନ୍ତି।
ପାହାଡ଼ ଉପରେ ପ୍ରାୟ ୨ ହଜାର ବରଗଛ ଲଗାଇଛନ୍ତି। ତାଙ୍କ ଅବଦାନ କେବଳ ପୋଖରୀ ଖୋଳିବା ବା ଗଛ ଲଗାଇବାରେ ସୀମିତ ନୁହେଁ, ପାହାଡ଼ ଉପରକୁ ବଡ଼ ବଡ଼ ଗାଡ଼ି ବା ବୁଲ୍ଡୋଜର ନେବା ପାଇଁ ରାସ୍ତାଟିଏ ବି କରିଛନ୍ତି। ସାରା ଅଞ୍ଚଳବାସୀଙ୍କ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
କନ୍ନଡ଼ ଭାଷାରେ ‘କେରେ’ ଶବ୍ଦର ଅର୍ଥ ହ୍ରଦ। ତାଙ୍କ ନାଁର ଯଥାର୍ଥତା ପ୍ରତିପାଦନ କରିଛନ୍ତି କେରେ କାମେଗୌଡ଼ା। ଛୋଟିଆ ଗାଁରେ ଜନ୍ମ ନେଇଥିବା ବିରାଟ ବ୍ୟକ୍ତିତ୍ୱ। ପ୍ରଚଣ୍ଡ ଇଚ୍ଛାଶକ୍ତିର ମାଲିକ। ଅନ୍ୟର ମଙ୍ଗଳ ପାଇଁ ନିଜକୁ ସଂପୂର୍ଣ୍ଣ ସମର୍ପି ଦେଇଥିବା ଜଣେ ବାସ୍ତବ ପରିବେଶବିତ୍।








ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ବୟସ ପ୍ରତିବନ୍ଧକ ସାଜେନି। ପରିବେଶ ସୁରକ୍ଷା ସାଙ୍ଗକୁ ଜଳ ଉତ୍ସ ସୃଷ୍ଟି କରିବା ଲକ୍ଷ୍ୟରେ କର୍ଣ୍ଣାଟକର କେରେ କାମେଗୌଡ଼ା ଏକାକୀ ୧୪ଟି ପୋଖରୀ ଖୋଳି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।









