ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବନ୍ୟା ସ୍ଥିତି ଆଉ ନାହିଁ। ଗତ ୨୪ଘଣ୍ଟା ଭିତରେ ବର୍ଷା କମ୍ ହୋଇଥବାରୁ ବିଭିନ୍ନ ନଦୀରେ ଜଳସ୍ତର କମିଛି। ଏନେଇ ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି।
“ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ କମ୍ ପରିମାଣର ବର୍ଷା ରେକର୍ଡ଼ କରାଯାଇଛି। ଏଥିସହ ମୁଣ୍ଡଳିରେ ଜଳ ନିଷ୍କାସନ କମିଛି। ତେଣୁ ମହାନଦୀରେ ବନ୍ୟା ସ୍ଥିତି ଆଉ ନାହିଁ”, କହିଛନ୍ତି ବିଷ୍ଣୁପଦ ସେଠୀ।
ମୁଣ୍ଡୁଳିରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଫଳରେ ଅବବାହିକାର ନ୍ୟୁନ ଅଞ୍ଚଳରେ ଯେଉଁ ଜିଲ୍ଲା ଗୁଡ଼ିକୁ ସତର୍କ କରାଯିବା ସହ ବନ୍ୟା ଆଶଙ୍କା ଥିଲା ତାହା ଟଳିଯାଇଛି।
ଏହା ସହିତ ବୈତରଣୀରେ ମଧ୍ୟ ଜଳସ୍ତର ହ୍ରାସ ପାଇଛି। ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି।
ଗତକାଲି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଏଥିପାଇଁ ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।













