ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିସିସିଆଇ ଦ୍ୱାରା ସଂଗ୍ରହ କରାଯାଇଥିବା ୨୭୫ ନମୁନା ମଧ୍ୟରୁ କେବଳ ଜଣେ ଖେଳାଳି ୟୁସୁଫ ପଠାନ ଡୋପ୍‌ ପରୀକ୍ଷଣରେ ବିଫଳ ହୋଇଛନ୍ତି।

୨୦୧୭ରେ ବିସିସିଆଇ ପକ୍ଷରୁ ୨୭୫ ଜଣ ଭାରତୀୟ କ୍ରିକେଟରଙ୍କର ଡୋପ୍‍ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ପୂର୍ବତନ ଭାରତୀୟ ଅଲ୍‍ରାଉଣ୍ଡର ୟୁସୁଫ୍‍ ପଠାନ୍‍ ଡୋପ୍‍ ଟେଷ୍ଟରେ ବିଫଳ ହୋଇଥିଲେ ବୋଲି ବିଶ୍ୱ ଡ୍ରଗ୍‍ ନିରୋଧ ସଂସ୍ଥା (ୱାଡା) ରିପୋର୍ଟରୁ ପ୍ରକାଶ। ୟୁସୁଫ୍‍ ଧରାପଡ଼ିବା ପରେ ବିସିସିଆଇ ତାଙ୍କୁ ୫ ମାସ କ୍ରିକେଟ୍‍ରୁ ବାସନ୍ଦ କରିଥିଲା। ଗତ ଆଇପିଏଲ୍‍ ପୂର୍ବରୁ ୟୁସୁଫ୍‍ଙ୍କ ବାସନ୍ଦ ଅବଧି ସମାପ୍ତ ହୋଇଥିବାରୁ ସେ ଆଇପିଏଲ୍‍ ଖେଳି ପାରିଥିଲେ।
ସେତେବେଳେ ବିସିସିଆଇ ପକ୍ଷରୁ କୁହା ଯାଇଥିଲା ଯେ ପଠାନ୍‍ଙ୍କ ଶରୀରରୁ ଏପରି ଏକ ନିଷିଦ୍ଧ ଡ୍ରଗ୍‍ର ମାତ୍ରା ମିଳିଥିଲା; ଯାହା ମୁଖ୍ୟତଃ କାଶ ସିରପ୍‍ରେ ରହିଥାଏ।

ପଠାନ୍‍ଙ୍କୁ ୨୦୧୭ ଅଗଷ୍ଟ ୧୫ରୁ ୨୦୧୮ ଜାନୁୟାରୀ ୧୪ ପର୍ଯ୍ୟନ୍ତ ବାସନ୍ଦ କରା ଯାଇଥିଲା। ତେବେ ଆଉ ୨ ଜଣଙ୍କର ମୂତ୍ର ନମୁନାରୁ କିଛି ସନ୍ଦେହଜନକ ଦ୍ରବ୍ୟ ମିଳିଥିଲେ ହେଁ ସେମାନଙ୍କ ନାମ ୱାଡା ପ୍ରକାଶ କରିନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ୱାର୍ଡା ରିପୋର୍ଟ ଅନୁସାରେ; ବିସିସିଆଇ କରିଥିବା ୨୭୫ଟି ମୂତ୍ର ନମୁନା ପରୀକ୍ଷାରୁ ୨୩୩ ଜଣ କ୍ରିକେଟରଙ୍କର ମ୍ୟାଚ୍‍ ସମୟରେ ସଂଗ୍ରହ କରା ଯାଇଥିବା ବେଳେ ୪୨ ଜଣଙ୍କର ଖାଲି ସମୟରେ ସଂଗ୍ରହ କରା ଯାଇଥିଲା।

୨୦୧୬ ଆଇପିଏଲ୍‍ରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‍ ମ୍ୟାକ୍‍କଲମ ଡୋପ୍‍ ପରୀକ୍ଷାରେ ବିଫଳ ହୋଇଥିଲେ ହେଁ ବିସିସିଆଇ ତାଙ୍କ ରିପୋର୍ଟ ବିଳମ୍ବରେ ପ୍ରଦାନ କରା ଯାଇଥିବାରୁ ତାଙ୍କ ମାମଲା ବନ୍ଦ କରି ଦିଆଯାଇଥିଲା।

୨୦୧୮ରେ ଅଦ୍ୟାବଧି ମାତ୍ର ଜଣେ କ୍ରିକେଟର ଡୋପ୍‍ ପରୀକ୍ଷାରେ ବିଫଳ ହୋଇଛନ୍ତି। ସେ ହେଉଛନ୍ତି ପଞ୍ଜାବର ୱିକେଟ ରକ୍ଷକ ଅଭିଷେକ ଗୁପ୍ତା; ଯିଏ ଏବେ ୮ ମାସ ବାସନ୍ଦ ହୋଇଛନ୍ତି।

ପୁଣି ୨୦୧୭ରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ସାରାବିଶ୍ୱରେ ମୋଟ ୩୮୯ ଜଣ କ୍ରିକେଟରଙ୍କ ଡୋପ୍‍ ପରୀକ୍ଷା କରିଥିଲା। ସେମାନଙ୍କ ମଧ୍ୟରୁ କେବଳ ଆଫ୍‍ଗାନିସ୍ତାନର ମହମ୍ମଦ ସେହ୍‍ଜାଦ ବିଫଳ ହୋଇଛନ୍ତି।

ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ (ଓ୍ଵାଡା) ପକ୍ଷରୁ ଗତବର୍ଷ କରାଯାଇଥିବା ପରୀକ୍ଷାରେ ୭୧ ଭାରତୀୟ ଧରାପଡ଼ିଛନ୍ତି। ସେଥିମଧ୍ୟରେ ଦୌଡ଼କୁଦରୁ ସର୍ବାଧିକ ୨୧ ଖେଳାଳି ଅଛନ୍ତି। ଏକ୍ଷେତ୍ରରେ ଶକ୍ତିଉତ୍ତୋଳନ (୧୪) ଦ୍ୱିତୀୟ ଏବଂ ଭାରୋତ୍ତୋଳନ (୧୧) ତୃତୀୟ ସ୍ଥାନରେ ରହିଛି। ତେବେ ସବୁଠାରୁ ଚାଞ୍ଚଲ୍ୟକର ଫଳାଫଳ ସୁନ୍ଦରସ୍ୱାସ୍ଥ୍ୟରୁ ମିଳିଛି।

ସୁନ୍ଦରସ୍ୱାସ୍ଥ୍ୟରୁ ମାତ୍ର ୧୮ ନମୁନା ସଂଗ୍ରହ କରାଯାଇଥିଲା ବେଳେ ସେଥିମଧ୍ୟରୁ ୯ ଜଣ ଖେଳାଳି ଡୋପ୍‌ ପରୀକ୍ଷଣରେ ଧରା ପଡ଼ିଛନ୍ତି। ଫୁଟବଲ୍‌, ହକି ଭଳି ଲୋକପ୍ରିୟ ଖେଳରୁ ନିଆଯାଇଥିବା ୩୧୮ ଓ ୧୫୬ ନମୁନାରୁ ଜଣେ ଲେଖାଏଁ ଖେଳାଳି ଶକ୍ତିବର୍ଦ୍ଧକ ସେବନ କରିଥିବାର ପ୍ରମାଣ ମିଳିଛି।

କୁସ୍ତିରୁ ୪, ଭଲିବଲ୍‌ ଏବଂ ଜୁଡ଼ୋରୁ ୨, ମୁଷ୍ଟିଯୁଦ୍ଧରୁ ୪ ଜଣ ଖେଳାଳି ଏହି ପରୀକ୍ଷାରେ ବିଫଳ ହୋଇଛନ୍ତି। ୨୦୧୭ରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ୩୧୭୪ ଭାରତୀୟ ଖେଳାଳିଙ୍କଠାରୁ ମୁତ୍ର ଏବଂ ରକ୍ତ ନମୁନା ସଂଗ୍ରହ କରିଥିଲା। ସେଥିମଧ୍ୟରୁ ୭୧ ଜଣ ଶକ୍ତି ବର୍ଦ୍ଧକ ଔଷଧ ସେବନ କରିଥିବାର ପ୍ରମାଣ ମିଳିଥିବା ଓ୍ଵାଡା କହିଛି। ଆଉ ୯ ନମୁନା ନେଇ ମଧ୍ୟ ସନ୍ଦେହ ରହିଛି। ତେବେ ଏଥିନେଇ ସ୍ପଷ୍ଟ ସୂଚନା ମିଳିବା ଲାଗି ଅଧିକ ପରୀକ୍ଷଣର ଆବଶ୍ୟକତା ରହିଛି ବୋଲି ଓ୍ଵାଡା ପ୍ରକାଶ କରିଛି।

୨୦୧୫ରେ ୧୧୦ ଭାରତୀୟ ଖେଳାଳି ଡୋପ୍‌ ପରୀକ୍ଷଣରେ ଧରା ପଡ଼ିଥିଲେ। ୨୦୧୭ରେ ଯାହା ୭୧କୁ କମିଛି। ତଥାପି ଏହା ଭାରତୀୟ କ୍ରୀଡ଼ା ପାଇଁ ଚିନ୍ତାର କାରଣ ହୋଇରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here