ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ପାକିସ୍ତାନ ନିର୍ବାଚନ ପ୍ରକ୍ରିୟାରେ କିଛିଟା ସାମଞ୍ଜସ୍ୟ ରହିଛି।
ବୁଧବାରଦିନ ପାକିସ୍ତାନରେ ଅନୁଷ୍ଠିତ ହୋଇଯାଇଛି ସାଧାରଣ ନିର୍ବାଚନ। ଏହି ଦେଶର ଭବିଷ୍ୟତ କାହା ହାତକୁ ଯିବ ତାକୁ ନେଇ ସବୁଠି ଚର୍ଚ୍ଚା। କ୍ରିକେଟର୍ରୁ ରାଜନେତା ସାଜିଥିବା ଇମ୍ରାନ୍ ଖାନ୍ଙ୍କ ଦଳ ‘ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍’(ପିଟିଆଇ) ଓ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କ ମୁସ୍ଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍) ଦଳ ମଧ୍ୟରେ ରେସ୍ ଚାଲିଛି।
ଭାରତ ଓ ପାକିସ୍ତାନ ନିର୍ବାଚନ ପ୍ରକ୍ରିୟାରେ କିଛିଟା ସାମଞ୍ଜସ୍ୟ ରହିଛି।
ଭାରତ ଓ ପାକିସ୍ତାନର ସାଧାରଣ ନିର୍ବାଚନ ମଧ୍ୟରେ ବିଶେଷ ପାର୍ଥକ୍ୟ ନଥାଏ। ଭାରତର ସଂସଦ ଭଳି ପାକିସ୍ତାନ ସଂସଦରେ ମଧ୍ୟ ଦୁଇଟି ସଦନ ଥାଏ। ଉଚ୍ଚ ସଦନକୁ ସିନେଟ କୁହାଯାଉଥିବାବେଳେ ନିମ୍ନ ସଦନକୁ ରାଷ୍ଟ୍ର ସଭା କୁହାଯାଏ। ଏହି ରାଷ୍ଟ୍ର ସଭା ଭାରତର ଲୋକସଭା ଭଳି ହୋଇଥାଏ।
ପାକିସ୍ତାନ ସଦନକୁ ମଜଲିସ୍-ଏ-ସୁରା କୁହାଯାଏ। ରାଷ୍ଟ୍ର ସଭାକୁ କୌମି ସଭା ଓ ସିନେଟକୁ ଆଇବାନ-ନ ୱାଲା କୁହାଯାଏ।
ଭାରତରେ ରାଷ୍ଟପତି ସଂସଦର ଯୋଗ ଦେଇନଥାନ୍ତି। କିନ୍ତୁ ପାକିସ୍ତାନର ଦୁଇ ସଦନରେ ରାଷ୍ଟ୍ରପତି ସାମିଲ ଥାନ୍ତି।
ସାଧାରଣ ନିର୍ବାଚନ
ଭାରତର ଉଚ୍ଚ ସଦନ ରାଜ୍ୟସଭାର ସଦସ୍ୟଙ୍କ ପରି ପାକିସ୍ତାନ ସିନେଟର ସଦସ୍ୟମାନେ ନିର୍ବାଚିତ ହୋଇଥାନ୍ତି। ସେହିଭଳି ଭାରତର ଲୋକସଭା ନିର୍ବାଚନ ପରି ପାକିସ୍ତାନର ନିମ୍ନ ସଦନର ସଦସ୍ୟମାନେ ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୋଇଥାନ୍ତି।
ଭାରତର ଲୋକସଭାରେ ୫୪୫ଜଣ ସଦସ୍ୟ ଥିବାବେଳେ ପାକିସ୍ତାନର ରାଷ୍ଟ୍ର ସଭାର ସଦସ୍ୟ ସଂଖ୍ୟା ୩୪୨। ସେଥିମଧ୍ୟରୁ ୨୭୨ଜଣ ସଦସ୍ୟ ପ୍ରତ୍ୟକ୍ଷ ନିର୍ବାଚନ ଦ୍ଵାରା ନିର୍ବାଚିତ ହୋଇଥାନ୍ତି। ଅନ୍ୟ ୭୦ଜଣ ସଦସ୍ୟ ପାଇଁ ନିର୍ବାଚନ ହୋଇଥାଏ।
କେମିତି ହୋଇଥାଏ ଏହି ୭୦ଜଣଙ୍କ ନିର୍ବାଚନ
ଏହି ୭୦ଜଣଙ୍କ ମଧ୍ୟରୁ ୬୦ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିଥାଏ। ବାକି ୧୦ଟି ସିଟି ପାକିସ୍ତାନର ଅଳ୍ପସଂଖ୍ୟକ ସମୁଦାୟଙ୍କ ପାଇଁ ସଂରକ୍ଷିତ ହୋଇଥାଏ।
ଭାରତରେ ସାଂସଦମାନଙ୍କୁ ମେମ୍ବର ଅଫ୍ ପାର୍ଲିଆମେଣ୍ଟ୍ କୁହାଯାଉଥିବାବେଳେ ପାକିସ୍ତାନରେ ସାଂସଦମାନଙ୍କୁ ମେମ୍ବର ଅଫ୍ ନ୍ୟାସନାଲ୍ ଆସେମ୍ବ୍ଲି କୁହାଯାଏ।
ପାକିସ୍ତାନ ସିନେଟର କାର୍ଯ୍ୟକାଳ ୬ବର୍ଷ ହୋଇଥିବାବେଳେ ଭାରତର ରାଜ୍ୟସଭାର ସାଂସଦମାନଙ୍କର କାର୍ଯ୍ୟକାଳ ୬ବର୍ଷ ହୋଇଥାଏ।
ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପାଇଁ ମତଦାନ ସରି ସାଙ୍ଗେ ସାଙ୍ଗେ ଭୋଟ ଗଣତି ଆରମ୍ଭ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଫଳାଫଳ ପ୍ରକାଶ ପାଇବ। ଏଥର ସାଧାରଣ ନିର୍ବାଚନରେ ୩୪୫୯ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ନିର୍ବାଚନରେ କଠୋରପନ୍ଥି ସଂଗଠନର ୪୬୦ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି।