ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନି। ୟୁ ଗଭ ପକ୍ଷରୁ କରାଯାଇଥିବା ଭୋଟିଂରେ ସର୍ବାଧିକ ଭୋଟ ପାଇ ନମ୍ବର ୱାନ ଖେଳାଳି ହୋଇଛନ୍ତି କ୍ୟାପଟେନ୍ କୁଲ୍।
କ୍ରିକେଟ ଜୀବନର ଅପରାହ୍ନରେରେ ପହଞ୍ଚିବା ସତ୍ତ୍ଵେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଲୋକପ୍ରିୟତା କମ୍ ହୋଇନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଧୋନିଙ୍କର ଧିମା ବ୍ୟାଟିଂ ଯୋଗୁଁ ତାଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିଲେ ହେଁ ଏହା ତାଙ୍କ ଲୋକପ୍ରିୟତାରେ କୌଣସି ଆଞ୍ଚ ଆଣି ପାରିନାହିଁ। ଏବେ ବି ମହେନ୍ଦ୍ର ସିଂହ ଧୋନି ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ତାରକା। ଏହି କ୍ରମରେ ସେ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ସଫଳତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଧୋନି।
ୟୁଗଭ୍ ପକ୍ଷରୁ ଅନ୍ଲାଇନ୍ରେ ୪ ମିଲିଅନରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଧୋନି ସର୍ବାଧିକ ୭.୭ପ୍ରତିଶତ ଭୋଟ ପାଇଥିବାବେଳେ ତେନ୍ଦୁଲକର ୬.୮ପ୍ରତିଶତ ଓ ବିରାଟ କୋହଲି ୪.୮ପ୍ରତିଶତ ରେ ରହିଛନ୍ତି।
ଏହି ୱେବ୍ସାଇଟ୍ ପକ୍ଷରୁ ଅନ୍ଲାଇନ୍ ଭୋଟିଂ ମାଧ୍ୟମରେ ୪୦ ଲକ୍ଷ ଭାରତୀୟଙ୍କଠାରୁ ମତ ନିଆ ଯାଇଥିଲା। କେବଳ ସେତିକି ନୁହେଁ, ଲୋକପ୍ରିୟତା ବ୍ୟକ୍ତିତ୍ବ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଧୋନି ଭାରତରେ ୨ୟ ସ୍ଥାନରେ ରହିଛନ୍ତି।
ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟ୍ୱେଣ୍ଟି୨୦ ବିଶ୍ୱକପ୍ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଚମ୍ପିଆନ୍ ହୋଇଥିଲା। କିଛିଦିନ ତଳେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ୪ର୍ଥ ଭାରତୀୟ ଭାବେ ଧୋନି ୧୦ ହଜାର ରନ୍ ସଂଗ୍ରହ କରିଛନ୍ତି। ଧୋନି ହେଉଛନ୍ତି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ। ଧୋନିଙ୍କ ନେତୃତ୍ୱରେ ଭାରତ ୨୭ଟି ଟେଷ୍ଟମ୍ୟାଚ୍ ଜିତିଛି।
ଧୋନିଙ୍କ ନେତୃତ୍ୱରେ ହିଁ ୨୦୦୯ରେ ପ୍ରଥମଥର ପାଇଁ ଭାରତ ଆଇସିସି ଟେଷ୍ଟ ଦଳ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିଥିଲା। ଧୋନି ଏବେ ମଧ୍ୟ ଭାରତ ପାଇଁ ଟ୍ୱେଣ୍ଟି୨୦ ଓ ଦିନିକିଆ କ୍ରିକେଟ ଖେଳୁଥିବାରୁ ସଚିନ୍ଙ୍କଠାରୁ ସେ ଅଧିକ ଲୋକପ୍ରିୟ।
ବର୍ତ୍ତମାନ ଜଣେ ଉଇକେଟ କିପର ବ୍ୟାଟ୍ସମ୍ୟାନଭାବେ ଟି୨୦ ଓ ଏକଦିବସୀୟ ଖେଳୁଥିବା ଧୋନି ଅବସରପ୍ରାପ୍ତ ତେନ୍ଦୁଲକରଙ୍କଠାରୁ ଅଧିକ ଲୋକପ୍ରିୟ ବୋଲି ଏଥିରୁ ଜଣାଯାଇଛି। ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲୋକପ୍ରିୟତା ଆଗାମୀ ଦିନରେ ବଢ଼ିବା ସମ୍ଭାବନା ରହିଛି। ତେନ୍ଦୁଲକର ଓ ଧୋନିଙ୍କ ଅପେକ୍ଷା ତାଙ୍କ ଇନ୍ଷ୍ଟାଗ୍ରାମ ଅନୁଗାମୀଙ୍କ ସଂଖ୍ୟା ଅଧିକ।
ଏହି ସର୍ଭେ ଚଳିତ ବର୍ଷର ପ୍ରାରମ୍ଭରୁ ହୋଇଥିଲା, ଯାହାର ଫଳାଫଳ ଏବେ ଆସିଛି।














