ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ବ୍ଳୁ ଟିକ୍ କୁ କିଛି ସମୟ ପାଇଁ ହଟାଇ ଦିଆଯାଇଥିଲା। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବାପରେ ଏବେ ପୁନର୍ବାର ଧୋନୀଙ୍କ ଟୁଇଟର ଆକାଉଣ୍ଟକୁ ବ୍ଳୁ ଟିକ୍ ଫେରି ଆସିଛି।

ତେବେ ଧୋନୀ ଗତ କିଛି ମାସ ହେବ ଟୁଇଟରରେ ସକ୍ରିୟ ନଥିବା କାରଣରୁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଧୋନୀଙ୍କ ଆକାଉଣ୍ଟରେ ୮.୨ମିଲିୟନ ଫଲୋୟର୍ସ ରହିଛନ୍ତି।

ସୂଚନାଥାଉକି, ପୂର୍ବରୁ ମଧ୍ୟ ଏଭଳି ଅନେକ କେସ୍ ସାମ୍ନାକୁ ଆସିଛି। ଯେଉଁମାନେ ଟୁଇଟର ପଲିସିକୁ ଉଲଙ୍ଘନ କରିଛନ୍ତି କିମ୍ବା ଅନେକ ସମୟ ଧରି ସକ୍ରିୟ ରହୁନାହାଁନ୍ତି, ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଉଛି। ସେହିପରି ଧୋନୀଙ୍କ ଆକାଉଣ୍ଟରୁ ଶୁକ୍ରବାର ବ୍ଲୁ ଟିକ୍ କୁ କିଛି ସମୟ ପାଇଁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି।କାପ୍ଟେନ କୁଲ ଟୁଇଟରରେ ସକ୍ରିୟ ନାହାଁନ୍ତି ସତ, କିନ୍ତୁ ତାଙ୍କୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ହେଉଥାଏ। କେତେବେଳେ ଫାର୍ମ ହାଉସରେ କ୍ଷତି କରୁଥିବା ଫଟୋକୁ ନେଇ, ପୁଣି କେତେବେଳେ ତାଙ୍କ ହେୟାର ଷ୍ଟାଇଲ ଏବଂ ଆଉ କେତେବେଳେ ତାଙ୍କ ଝିଅ ଜିଭା ପାଇଁ ଲାଇମଲାଇଟରେ ରହିଆସିଛନ୍ତି କପ୍ଟେନ କୁଲ୍।

ଧୋନୀ ଶେଷଥର ପାଇଁ ଚଳିତ ବର୍ଷ ଜାନୁଆରୀ ୮ରେ ଟୁଇଟ କରିଥିଲେ। ତା’ପରଠାରୁ ସେ ଟୁଇଟରରେ କୌଣସି ବି ପୋଷ୍ଟ କରିନାହାଁନ୍ତି। ଏଥିସହ ୨୦୨୦ରେ ଧୋନୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ମାତ୍ର ୬ଟି ପୋଷ୍ଟ, ୨୦୧୯ରେ ୭ଟି ଏବଂ ୨୦୧୮ରେ ୨୩ଟି ପୋଷ୍ଟ କରିଥିଲେ।

Comment