ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକୀୟ ଆପ୍ ‘ଟୁଇଟର’କୁ ଟକ୍କର ଦେବାରେ ଲାଗିଛି ‘କୁ’। ଟୁଇଟର-ଭାରତ ସରକାରଙ୍କ ଲଢ଼େଇ ଭିତରେ  ସ୍ୱଦେଶୀ ଆପ୍‌ ‘କୁ’ର ଚାହିଦା ବଢ଼ିବାରେ ଲାଗିଛି। ସରକାରୀ ସ୍ତରରେ ଏହି ‘କୁ’ ଆପ୍‌କୁ ବ୍ୟାପକ ଭାବରେ ପ୍ରଚାର କରାଯାଉଛି। ଫଳରେ ‘କୁ’ ଆମେରୀକୀୟ ଆପ୍‌ ଟୁଇଟରର ସ୍ୱଦେଶୀ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି।

କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ,  କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ସମେତ ଜାତୀୟ ଗଣମାଧ୍ୟମରେ କାମ କରୁଥିବା କିଛି ସାମ୍ବାଦିକ ଓ ସାମ୍ବାଦିକା ଏଥିରେ ଆକାଉଣ୍ଟ ଖୋଲି ଏହି ଆପ୍‌ର ପ୍ରଚାର କରିବାରେ ଲାଗିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ କହିଲେ ଫେସବୁକ୍‌, ଇଷ୍ଟାଗ୍ରାମ, ହ୍ୱାଟସଆପ୍‌, ଟେଲିଗ୍ରାମ, ଟ୍ୱିଟରକୁ ଇତ୍ୟାଦିକୁ ବୁଝାଇଥାଏ। ଏହିସବୁ ସୋସିଆଲ ପ୍ଳାର୍ଟଫର୍ମରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଟ୍ୱିଟର। ଯେଉଁ ଆପ୍‌ରେ କିଛି ସେକେଣ୍ଡ ମଧ୍ୟରେ ବାର୍ତ୍ତା ଚାରିଆଡ଼େ ପ୍ରସାରିତ ହୋଇଯାଉଛି। ରାଜନେତାଠାରୁ ଆରମ୍ଭ କରି ଅଭିନେତା ଓ ସାଧାରଣ ଜନତା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଏହି ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି । ଏହି ଆପ୍ ମାଧ୍ୟମରେ ମତ ପ୍ରକାଶ କରିବାର ମାତ୍ର କେଇ ସେକେଣ୍ଡରେ ବିଭିନ୍ନ ମହଲରୁ ମିଳୁଛି ପ୍ରତିକ୍ରିୟା।

ଭାରତରେ ଟୁଇଟର ବିବାଦ

ନୂତନ କୃଷି ଆଇନକୁ ନେଇ ଟୁଇଟରରେ ଦେଖା ଦେଇଥିଲା ବିବାଦ। କିଛି ଦେଶୀ ଓ ବିଦେଶୀ ଲୋକ ଟୁଇଟରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ଟୁଇଟରରୁ ପାଖାପାଖି ୧୪ଶହ ଆକାଉଣ୍ଟ ନିଷ୍କ୍ରିୟ କରିବା ପାଇଁ କହିଥିଲେ। କିନ୍ତୁ ମାତ୍ର ୫ଶହ ଆକାଉଣ୍ଟକୁ ନିଷ୍କ୍ରିୟ କରିଛି ଟୁଇଟର। ଆମେରିକାର କ୍ୟାପିଟାଲ ହିଲ୍ ହିଂସା ଓ ଲାଲକିଲ୍ଲା ବିବାଦ କ୍ଷେତ୍ରରେ ଟୁଇଟର ପାତରଅନ୍ତର ନୀତି କାର୍ଯ୍ୟକାରୀ କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶର ପାଳନ କରୁନଥିବା ଟୁଇଟରର କିଛି ଅଧିକାରୀଙ୍କୁ ଗିରଫ କରିବାକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାର ଯାହା କହୁଛନ୍ତି ତାହା ଭାରତୀୟ ଆଇନ ପରିସରରେ ଆସୁନାହିଁ ବୋଲି କହିଛି ଟୁଇଟର।

କୁ’ କ’ଣ?

ସୋସିଆଲ ମିଡିଆରେ ସକ୍ରିୟ ଥିବା ଟ୍ୱିଟର ଆପ୍‌ର ପ୍ରତିଦ୍ୱନ୍ଦ୍ୱୀ ହେଉଛି ‘କୁ’। ଏହା ହେଉଛି ଏକ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ। ଏହି ଆପ୍‌ରେ ଟ୍ୱିଟର ଭଳି ସମସ୍ତ ସୁବିଧା ରହିଛି। ଜଣେ ବ୍ୟକ୍ତିଙ୍କୁ ଏଥିରେ ଫଲୋ, ଲାଇକ ଏବଂ ସେୟାର କରାଯାଇପାରିବ। ଇଂରାଜୀ ସମେତ ଅନ୍ୟାନ୍ୟ ଭାରତୀୟ ଭାଷା, ତେଲୁଗୁ, କନ୍ନଡ଼, ବଙ୍ଗାଳୀ, ଓଡ଼ିଆ, ତାମିଲ, ମଲାୟାଲମ, ଗୁଜୁରାଟି, ମରାଠୀ, ପଞ୍ଜାବୀ ଭାଷାର ବ୍ୟବହାର ଏହି ଆପ୍‌ରେ କରାଯାଇପାରିବ । ୪୦୦ ପର୍ଯ୍ୟନ୍ତ କ୍ୟାରେକ୍ଟର ଏଥିରେ ଲେଖିହେବ। ଏହି ପ୍ଲାଟଫର୍ମ ଜରିଆରେ ଜଣେ ବ୍ୟକ୍ତି ଅଲଗା ତଥ୍ୟ ସମ୍ପର୍କରେ ନିଜର ମତ ରଖିପାରିବେ। ଗତବର୍ଷ ମାର୍ଚ୍ଚ ମାସରେ ଅପ୍ରମେୟ ରାଧାକୃଷ୍ଣ ଓ ମୟଙ୍କ ବିଦ୍‌ବକ୍ତାଙ୍କ ଦ୍ୱାରା ଏହି ‘କୁ’ ଆପ୍‌କୁ ବିକଶିତ କରାଯାଇଥିଲା। ଯଦିଓ ସେହି ସମୟରେ ଏହି ଆପ୍‌କୁ ଏତେ ମାତ୍ରାରେ ବ୍ୟବହାର କରାଯାଉନଥିଲା, କିନ୍ତୁ ଏବେ ପାଖାପାଖି ୩୦ଲକ୍ଷରୁ ଅଧିକ ୟୁଜର ଏହି ଆପ୍‌କୁ ଡାଉନଲୋଡ କରିସାରିଛନ୍ତି।  ‘କୁ’ ଆପ୍ ଏବେ ଟ୍ୱିଟରକୁ ଟକ୍କର ଦେବାରେ ଲାଗିଛି।

କେମିତି କରିବେ ଡାଉନଲୋଡ଼୍‌?

ଉଭୟ ଆଣ୍ଡ୍ରଏଡ଼ ଓ ଆଇଓଏସ୍ ପ୍ଲାଟଫର୍ମରେ ‘କୁ’ ଆପ୍‌କୁ ପାଇପାରିବେ। ନିଜ ମୋବାଇଲର ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ‘କୁ’ ଲେଖି ସର୍ଚ୍ଚ କରିବେ। ଆପଣଙ୍କୁ ସ୍କ୍ରିନ ଉପରେ ଛୋଟ ହଳଦିଆ ରଙ୍ଗର କୁକୁଡ଼ା ଚିଆଁ ସଦୃଶ ଏକ ଫଟୋ ଆସିବ। ତାହାକୁ ଡାଉନଲୋଡ଼ କରି ଆକାଉଣ୍ଟ ଖୋଲି ବ୍ୟବହାର କରିବେ। ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଆପ୍‌କୁ ପାଖାପାଖି ୧ ମିଲିୟନ ୟୁଜର ଡାଉନଲୋଡ୍ କରିସାରିଲେଣି।

Comment