ଓଡ଼ିଶାଲାଇଭ୍‌ ବ୍ୟୁରୋ

ନରେନ୍ଦ୍ର ମୋଦି ଏବଂ ବିଜେପିକୁ ପାଦ ପାଦରେ ଜଗିଛନ୍ତି ନବୀନ। ସିରିଜ୍ ଯୋଜନା ଘୋଷଣା କରି ବିରୋଧୀଙ୍କ ସମାଲୋଚନାର ଜବାବ ଦେଉଛନ୍ତି।

ପାଖେଇ ଆସୁଛି ୨୦୧୯ ନିର୍ବାଚନ। ରାଜ୍ୟରେ ବଢ଼ୁଛି ରାଜନୀତିକ ଉଷ୍ମତା। ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଚେକ୍‌ ଦେବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିରିଜ୍‌ ଯୋଜନା ଘୋଷଣା କରି ଚାଲିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ବିଜେପି ବାଟ ପାଉନି। ମୋଦିଙ୍କୁ ପାଦ ପଦରେ ଜଗିଛନ୍ତି ନବୀନ।

ନିକଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆୟୂଷ୍ମାନ ଭାରତ ନାଁରେ ଯୋଜନା ପ୍ରଣୟନ କରିଥିଲେ। କିନ୍ତୁ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରୋକ୍‌ଠୋକ୍ ମନା କରି ଦେଇଥିଲେ ରାଜ୍ୟ ସରକାର। ଆୟୁଷ୍ମାନ ଭାରତକୁ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିଛନ୍ତି। ଓଡ଼ିଶାରେ ଏହି ଯୋଜନା ଖୁବଶୀଘ୍ର ଲାଗୁ ହେବ।

ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ଚର୍ଚ୍ଚା ନଥମୁଣୁ ମୁଖ୍ୟମନ୍ତ୍ରୀ ଆଜି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଓଡ଼ିଶାର ପ୍ରାୟ ୩୪ ଲକ୍ଷ ଲୋକଙ୍କ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଏହି ଯୋଜନା ଲାଗୁ ହେବ।

ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିବା ଅବସରରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ୍ ପଡ଼ୁଥିବା ଓଡ଼ିଶାର ଗରୀବ ଲୋକଙ୍କୁ ସାମିଲ୍ କରିବା ପାଇଁ ମୁଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ହେଲେ କୌଣସି ସମାଧାନର ରାସ୍ତା ବାହାରିଲା ନାହିଁ।”

କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩୪ ଲକ୍ଷ ୪୪ ହଜାର ଲୋକଙ୍କୁ ସାମିଲ୍ କରିବା ପାଇଁ ନବୀନ ମୋଦିଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ୨୦୧୧ ଜନଗଣନା ପରେ ୧୦.୨୨ ପ୍ରତିଶତ ଲୋକସଂଖ୍ୟା ଓଡ଼ିଶାରେ ବଢ଼ିଛି। ସରକାର ଆକଳନ କରିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ଜନସଂଖ୍ୟା ହେଉଛି ୪ କୋଟି ୬୨ ଲକ୍ଷ ୬୩ ହଜାର ୯୮୩। କେନ୍ଦ୍ର ସରକାର ୨୦୧୧ ଜନଗଣନା ହିସାବ ଅନୁସାରେ ଚାଉଳ ଦେଉଛି। ୨୦୧୧ରେ ଓଡ଼ିଶାର ଲୋକସଂଖ୍ୟା ଥିଲା ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮। ଏହି ଜନସଂଖ୍ୟାର ୭୮ ପ୍ରତିଶତ ଅର୍ଥାତ୍ ୩ କୋଟି ୨୬ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରିଛି। ହେଲେ ବାଦ୍ ପଡ଼ୁଥିବା ୩୪ ଲକ୍ଷ ୪୪ ହଜାର ଲୋକଙ୍କୁ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

“ବିନା ଜନଗଣନାରେ ରାଜ୍ୟ ସରକାର କେମିତି ୩୪ ଲକ୍ଷ ଗରୀବଙ୍କୁ ବାଛିଲେ ରାଜ୍ୟ ସରକାର? ଯଦି ଗରୀବଙ୍କୁ ଚାଉଳ ଦେବାର ଥିଲା ତାହାଲେ ଆଗରୁ କୁଆଡ଼େ ଯାଇଥିଲେ? ନିର୍ବାଚନ ପାଖେଇ ଆସୁଥିବାରୁ ଏହା ନବୀନଙ୍କ ଚାଲ୍”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ବଡ଼ ବଡ଼ିଆଙ୍କୁ ରାସନ କାର୍ଡ ବାଣ୍ଟିଥିଲେ ରାଜ୍ୟ ସରକାର। ସତ ଧରା ପଡ଼ିଯିବା ପରେ ଏବେ ରାଜ୍ୟ ସରକାର ଭୁଲ୍ ସୁଧାରୁଛନ୍ତି। ଗରୀବଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।”

ବିଜେଡି ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି।

ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ବିରୋଧୀ ସରକାରଙ୍କୁ କଟାକ୍ଷ କରିବା ନିନ୍ଦନୀୟ। ଯଦି ଗରୀବଙ୍କ ପ୍ରତି ବିରୋଧୀ ଦଳଗୁଡ଼ିକର ସମବେଦନା ରହିଛି ତାହାଲେ ବାଦ୍ ପଡ଼ୁଥିବା ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କହିଥାନ୍ତେ। ହେଲେ ତାହା ନକରି ସମାଲୋଚନା କରିବା ଠିକ୍ ନୁହେଁ।”

୨୦୧୯ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି। ମୋଦିଙ୍କୁ କାଉଣ୍ଟର କରିବା ପାଇଁ ନବୀନ ସୁଯୋଗ ହାତଛଡ଼ା କରୁ ନାହାନ୍ତି। ହେଲେ ବିଜେପିକୁ କାଉଣ୍ଟର କରିବା ପାଇଁ କୌଣସି ସୁଯୋଗ ଦେଉ ନାହାନ୍ତି ନବୀନ।

ଶ୍ରୀମନ୍ଦିର ରତ୍ନମଣ୍ଡାର ଚାବି ହଜିବାକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ରାଜ୍ୟ ସରକାର। ସରକାରଙ୍କୁ ବିରୋଧୀ ଘେରିଥିଲେ। ହେଲେ ଚଳିତ ରଥଯାତ୍ରାକୁ ସୁରୁଖରୁରେ ସମ୍ପନ୍ନ କରି ରାଜ୍ୟ ସରକାର ରେକର୍ଡ କରିଛନ୍ତି। ନିର୍ଦ୍ଧାରିତ ସମ଼ୟ ପୂର୍ବରୁ ନୀତି ଶେଷ କରି ବିରୋଧୀଙ୍କୁ ଜବାବ ଦେଇଛନ୍ତି। ରଥଯାତ୍ରା ଶୃଙ୍ଖଳିତ ହୋଇଥିବାରୁ ବିରୋଧୀ ଘେରିବା ପାଇଁ ବାଟ ପାଇ ନଥିଲେ।

ସେହିପରି ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ବିଜେଡି ଚତୁରତାର ସହ କାର୍ଡ ଖେଳିଛି। ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଏବଂ ବିରୋଧ ନକରି ବିଜେଡି ସଦସ୍ୟ କକ୍ଷତ୍ୟାଗ କଲେ। ଏହାକୁ ନେଇ ବିରୋଧୀ ତୁମ୍ବିତୋଫାନ କଲେ। କିନ୍ତୁ ମାଲକାନଗିରିର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଲୋକାର୍ପଣ କରି ନବୀନ ସବୁ ଶ୍ରେୟ ନେଇଗଲେ।

କିଛିଦିନ ତଳେ ଚାଷୀ ଆତ୍ମହତ୍ୟା, ନାରୀ ନିର୍ଯାତନାକୁ ନେଇ ବିଜେପି ହୋ-ହଲ୍ଲା କରିଥିଲା। କଥା କଥାରେ ସରକାରଙ୍କୁ ଘେରୁଥିଲା। କିନ୍ତୁ ନବୀନ ରାଜ୍ୟବାସୀଙ୍କ ପାଇଁ ସିରିଜ୍‌ ଯୋଜନା ଘୋଷଣା କରିବା ସହ ଚତୁରତାର ସହ ଗୋଟି ଚାଳନା କରି ବିରୋଧୀ ଶିବିରକୁ ଚେକ୍ ଦେଇ ଚାଲିଛନ୍ତି।

 

Comment