ଓଡ଼ିଶାଲାଇଭ୍ ବ୍ୟୁରୋ
ଧାମନଗର ଡବଲ ମର୍ଡର ଉପରୁ ପରଦା ହଟାଇଛନ୍ତି ଭଦ୍ରକ ଏସ୍ପି ବାତ୍ତୁଲା ଗଙ୍ଗାଧର। ଟଙ୍କା ପାଇଁ ଅଭିଯୁକ୍ତ ବବୁଆ ଦୁଇ ଜଣଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଧାମନଗର ଡବଲ ମର୍ଡର ଘଟଣା ଉପରୁ ପରଦା ହଟାଇଲେ ଭଦ୍ରକ ଏସ୍ପି ବାତ୍ତୁଲା ଗଙ୍ଗାଧର। ଭଦ୍ରକ ଏସ୍ପି ଅଫିସ୍ରେ ସାମ୍ବାଦିକ ସମ୍ମିଳନୀ କରି ଡବଲ ମର୍ଡର ଉପରୁ ପରଦା ହଟାଇଛନ୍ତି ସେ। ପୂର୍ବ ପ୍ରତିଶୋଧ ନୁହେଁ, ୨ ଲକ୍ଷ ଟଙ୍କା ପାଇବା ପାଇଁ ବବୁଆ ୨ ଜଣଙ୍କୁ ହତ୍ୟା କରିଥିବା ଏସ୍ପି ସୂଚନା ଦେଇଛନ୍ତି।
“କିଛିଦିନ ତଳେ ରବୀନ୍ଦ୍ର ୨ ଲକ୍ଷ ଟଙ୍କା ପାଇଥିଲେ। ସେ ଏହି ଟଙ୍କାକୁ ଘରେ ରଖିଥିଲେ। ବବୁଆ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିବାରୁ ଟଙ୍କା ସମ୍ପର୍କରେ ଜାଣିଥିଲେ। ଏଣୁ ସେ ଟଙ୍କା ନେବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ପୂରା ପରିବାରକୁ ରାସ୍ତାରୁ ହଟାଇ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଥିଲା”, କହିଛନ୍ତି ଏସ୍ପି।
ଏସ୍ପି ଆହୁରି କହିଛନ୍ତି ଯେ ରବିବାର ଦିନ ବବୁଆ ମର୍ଡର ପ୍ଲଟ ରଚନା କରିଥିଲା। ପ୍ରଥମେ ରବୀନ୍ଦ୍ରକୁ ମଦ ପିଇବାକୁ ଡ଼ାକି ନେଇଥିଲା। ପ୍ରଚୁର ମଦ ପିଆଇ ରବୀନ୍ଦ୍ରକୁ କେନାଲକୁ ଠେଲି ଦେଇଥିଲା। ଏହାପରେ ରବୀନ୍ଦ୍ରର ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କରିବା ତାଙ୍କ ଝିଅ ଉପରେ ନଜର ପକାଇଥିଲା। ଝିଅକୁ ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ପଡ଼ୋଶୀ ଚାଲି ଆସିଥିଲେ। ଫଳରେ ସେଠାରୁ ଖସି ଯାଇଥିଲା ବବୁଆ।
ଆଜି ସକାଳେ ବବୁଆ କିନ୍ତୁ ଭିନ୍ନ କଥା କହିଥିଲା। ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ର କରି ସେ ରବୀନ୍ଦ୍ରଙ୍କ ପରିବାରକୁ ମାରିବାବୁ ଚାହୁଁଥିଲା ବୋଲି କହିଥିଲା। ରବୀନ୍ଦ୍ରଙ୍କ ପରିବାର ବବୁଆର ମା’ ବାପାଙ୍କୁ ନିର୍ଯାତନା ଦେଇଥିବାରୁ ସେ ପିଲା ଦିନରୁ ପ୍ରତିଶୋଧ ନେବାକୁ ଚାହୁଁଥିବା ଗଣମାଧ୍ୟମ ଆଗରେ କହିଥିଲା। କିନ୍ତୁ ଏହାକୁ ମିଛ କହିଛନ୍ତି ଏସ୍ପି ବାତ୍ତୁଲା ଗଙ୍ଗାଧର।
ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ଏବଂ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବବୁଆ ମିଛ କହିଥିବା ଏସ୍ପି କହିଛନ୍ତି।