ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତଇଂଲଣ୍ଡ ପ୍ରତୀକ୍ଷିତ ଟେଷ୍ଟ୍ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜିଠାରୁ  ବର୍ମିଂହାମର ଏଜ୍ବାଷ୍ଟନ୍ଷ୍ଟାଡିୟମ୍ରେ ଖେଳାଯିବ ଘରୋଇ ଇଂଲଣ୍ଡର ଏହା ୧୦୦୦ତମ ଟେଷ୍ଟ୍ମ୍ୟାଚ୍

ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‍ ଖେଳାଯିବ। ସାରା କ୍ରିକେଟ ଦୁନିଆର ନଜର ଏହି ମ୍ୟାଚ୍‍ ଉପରେ। ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ୧ନଂ ଦଳ। ଇଂଲଣ୍ଡ ମାନ୍ୟତା ତାଲିକାରେ ୫ମ ସ୍ଥାନରେ ଥିଲେ ହେଁ ଘରୋଇମାଟିରେ ଇଂଲଣ୍ଡ ପାଇଁ ଏହି ମାନ୍ୟତାର କୌଣସି ମାନେନାହିଁ। ସର୍ବଦା ଘରୋଇମାଟିରେ ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ ଭାବେ ପ୍ରଦର୍ଶନ କରିଆସିଛି।

ଘରୋଇ ଇଂଲଣ୍ଡର ଏହା ୧୦୦୦ତମ ଟେଷ୍ଟ୍‌ ମ୍ୟାଚ୍‌। ଏହି ଐତିହାସିକ ମୁକାବିଲାକୁ ନେଇ ଇଂଲଣ୍ଡ ଖେଳାଳି ବେଶ୍‌ ଉତ୍ସାହିତ ଅଛନ୍ତି।

ଭାରତ-ଇଂଲଣ୍ଡ କ୍ରିକେଟ ଇତିହାସ

ଭାରତ ଶେଷ ଥର ପାଇଁ ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଇଂଲଣ୍ଡରେ ଶୃଙ୍ଖଳା ଜିତିଥିଲା। ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କ ପାଇଁ କିନ୍ତୁ ସେହି ସଫଳତା ଦୋହରାଇବା ଆଦୌ ସହଜ ହେବନି।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଇଂଲଣ୍ଡରେ ଭାରତ ୨୦୧୧ ଏବଂ ୨୦୧୪ରେ ୦-୪ ଓ ୧-୩ରେ ଶୃଙ୍ଖଳା ହାରିଥିଲା। ମୋଟ ଉପରେ ଭାରତ ଇଂଲଣ୍ଡ ମାଟିରେ ୫୭ ଟେଷ୍ଟ୍‌ ଖେଳି ସେଥିମଧ୍ୟରୁ ମାତ୍ର ୬ଟିରେ ବିଜୟ ଲାଭ କରିଛି। ଯାହା କୋହଲିଙ୍କୁ ଚିନ୍ତାରେ ପକାଇଛି।

ଭାରତ ଇଂଲଣ୍ଡରେ ହାସଲ କରିଥିବା ୬ ବିଜୟ ମଧ୍ୟରୁ ୩ ୨୦୦୨ ମସିହା ପରେ ହାସଲ କରିଛି। ବର୍ତ୍ତମାନର ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଲିଡ୍ସରେ ଇଂଲଣ୍ଡକୁ ହରାଇଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ ୨୦୦୭ରେ ଦ୍ରାବିଡ଼ଙ୍କ ନେତୃତ୍ୱରେ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଈଶାନ୍ତ ଶର୍ମା ଓ ବିରାଟ କୋହଲି ୨୦୧୧, ୨୦୧୪ରେ ଇଂଲଣ୍ଡ ଯାଇଥିଲେ।

ବିରାଟଙ୍କ ଦଳର ୭ ଜଣ ଖେଳାଳି ଗତ ଇଂଲଣ୍ଡ ଗସ୍ତରେ ଥିଲେ। ଏଜ୍‌ବାଷ୍ଟନରେ କିନ୍ତୁ ଭାରତର ପ୍ରଦର୍ଶନ ଅତି ଖରାପ ରହି ଆସିଛି। ୧୯୬୭ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଏଠାରେ ୬ ଟେଷ୍ଟ୍‌ ଖେଳି ୫ଟିରେ ପରାଜିତ ହୋଇଛି।

ଭାଙ୍ଗିପାରେ ବହୁ ରେକର୍ଡ

ଆଉ ୧୦ଟି ୱିକେଟ ନେଲେ ଜେମ୍‍ସ ଆଣ୍ଡରସନ୍‍ ଟେଷ୍ଟ କ୍ରିକେଟ୍‍ରେ ୫୫୦ ୱିକେଟରେ ପହଞ୍ଚିବେ। ଈଶାନ୍ତ ଶର୍ମା ଆଉ ୧୨ଟି ୱିକେଟ ନେଲେ ୨୫୦ ଟେଷ୍ଟ ୱିକେଟ ପୂରଣ କରିବେ। ଆଉ ମାତ୍ର ୨୪ ରନ୍‍ କଲେ ଷ୍ଟୁଆର୍ଟ ବ୍ରଡ୍‍ ବିଶ୍ୱର ୫ମ କ୍ରିକେଟର ଭାବେ ୪୦୦ ଟେଷ୍ଟ ୱିକେଟ ଓ ୩ ହଜାର ଟେଷ୍ଟ ରନ୍‍ କରିବାର କୃତିତ୍ୱ ହାସଲ କରିବେ। ଆଉ ମାତ୍ର ୪୦ ରନ୍‍ କଲେ ଜୋ ରୁଟ୍‍ ୬ ହଜାର ଟେଷ୍ଟ ରନ୍‍ ପୂରଣ କରିବେ। ଆଉ ୯୩ ରନ୍‍ କଲେ ମୁରଲୀ ବିଜୟ ୪ ହଜାର ଟେଷ୍ଟ ରନ୍‍ ପୂରଣ କରିବେ। ଆଉ ୧୦୭ ରନ୍‍ କଲେ ଅଜିଙ୍କ୍ୟ ରାହାଣେ ୩ ହଜାର ଟେଷ୍ଟ ରନ୍‍ ପୂରଣ କରିବେ।

ସ୍ପିନ୍ ହୋଇପାରେ ଘାତକ

ଇଂଲଣ୍ଡ ତା’ ଚୂଡ଼ାନ୍ତ ଏକାଦଶରେ ଆଦିଲ ରସିଦଙ୍କ ରୂପରେ ମାତ୍ର ଜଣେ ସ୍ପିନର ନେଇଛି। ହେଲେ ଭାରତ ଏହାର ବ୍ୟତିକ୍ରମ ଦୁଇ ଜଣ ସ୍ପିନର ଖେଳାଇପାରେ। ପ୍ରାରମ୍ଭିକ ଯୋଡ଼ିକୁ ନେଇ ଦ୍ୱନ୍ଦ୍ୱ ଥିଲେ ମଧ୍ୟ ଶିଖର ଧାଓ୍ଵନଙ୍କ ସହ ମୁରଲୀ ବିଜୟ ପାଳି ଆରମ୍ଭ କରି ପାରନ୍ତି। ହେଲେ ଆନୁଷ୍ଠାନିକ ଭାବେ ଭାରତ ଏଥିନେଇ କୌଣସି ସୂଚନା ଦେଇ ନାହିଁ। ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, ଋଷବ ପନ୍ତ, କୁରୁଣ ନାୟର, ହାର୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ସାର୍ଦୁଲ ଠାକୁର, ମହମ୍ମଦ ସାମି।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ
ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଆଲେଷ୍ଟର କୁକ୍‌, କେଟନ ଜେନିଙ୍ଗ୍ସ, ଜୋ ରୁଟ୍‌ (ଅଧିନାୟକ), ଡେଓ୍ଵିଡ୍‌ ମଲାନ, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ, ଜୋସ୍‌ ବଟଲର, ଆଦିଲ ରସିଦ, ସାମ୍‌ କୁରାନ, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ୍‌।

ଏହି ମ୍ୟାଚ୍‌ ଭାରତୀୟ ସମୟ: ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ।

Comment