ଓଡ଼ିଶାଲାଇଭ୍ ବ୍ୟୁରୋ
ସାଇକେଲରେ ଶବ ବୁହାକୁ ନେଇ ବିଜେପି ଘେରିଛି ରାଜ୍ୟ ସରକାରଙ୍କୁ। ପ୍ରଶ୍ନ କରିଛି – ଆମ ଗାଁ ଆମ ବିକାଶର ପ୍ରକୃତ ରୂପ କ’ଣ?
“ଖବରକାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ସରକାର ଆମ ଗାଁ ଆମ ବିକାଶର ବିଜ୍ଞାପନ ଦେଇଛନ୍ତି। ଏହାର ଠିକ୍ ତଳକୁ ପ୍ରକାଶ ପାଇଛି ବୌଦ୍ଧ ଜିଲ୍ଲାର ହୃଦୟବିଦାରକ ଘଟଣା। ଚାରିକାନ୍ଧ ନମିଳିବାରୁ ସାଇକେଲରେ ବୁହା ହେଲା ଶବ। ଏହା କ’ଣ ଆମ ଗାଁ ଆମ ବିକାଶର ପ୍ରକୃତ ଚିତ୍ର କି?”
ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଏମିତି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଗାଁରୁ ଲୋକେ ସାମାଜିକ ବାସନ୍ଦ ହେଉଥିବା ବେଳେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏହାର ହିସାବ ରଖୁନାହିଁ। ଏଠି ଶାସନ କଳ ସ୍ଥାଣୁ ପାଲଟି ଯାଇଛି ବୋଲି ବସନ୍ତ କହିଛନ୍ତି।
ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲ୍ଲି ପଞ୍ଚାୟତର କୃଷ୍ଣପାଲ୍ଲି ଗାଁର ଘଟଣା। ଏହି ଗାଁର ଚତୁର୍ଭୁଜ ବାଙ୍କ ସାମାଜିକ ବାସନ୍ଦ ହୋଇଥିବାରୁ ନିଜ ଶାଳୀର ମୃତଦେହ ସଂସ୍କାର କରିବାକୁ କେହି ସହଯୋଗ କଲେନି। ଶେଷରେ ଚତୁର୍ଭୁଜ ଏକୁଟିଆ ଶାଳୀର ଶବକୁ ସାଇକେଲରେ ବାନ୍ଧି ମଶାଣିକୁ ନେଇଥିଲା। ଏକୁଟିଆ ହିଁ ଶାଳୀର ଶବ ସଂସ୍କାର କରିଥିଲା।
ଏହି ଖବର ପ୍ରଚାରିତ ହେବା ପରେ ଆଜି ପ୍ରଶସନର ନିଦ ଭାଙ୍ଗିଛି। ପ୍ରଶାସନିକ ଅଧିକାରୀ ଚତୁର୍ଭୁଜ ବାଙ୍କ ଘରକୁ ଯାଇ ରେଡକ୍ରସ ପାଣ୍ଠିରୁ ସହାୟତା ଦେଇଛନ୍ତି। ହେଲେ ଏପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।
ବସନ୍ତ ପଣ୍ଡା କହିଛନ୍ତି, “ବିଜେଡି ଶାସନ ଅମଳରେ ବାରମ୍ବାର ଲଜ୍ଜିତ ହେଉଛି ଓଡ଼ିଶା। ଆମ୍ବୁଲାନ୍ସ ନମିଳିବାରୁ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୦ କିମି ବାଟ ଚାଲିଥିଲା କଳାହାଣ୍ଡିର ଦାନ ମାଝି। ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଥିଲା। ଏବେ ପୁଣି ବୌଦ୍ଧ ଜିଲ୍ଲାରେ ସାଇକେଲରେ ଶବ ବୁହାହେବା ଘଟଣା ଲୋକ ଲୋଚନକୁ ଆସିଛି। ଗାଁରେ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି। ହେଲେ ସରକାର କିଛି ଖବର ରଖୁ ନାହାନ୍ତି।”
ସେ ଆହୁରି କହିଛନ୍ତି ଯେ ଆମ ମୁଖ୍ୟମନ୍ତ୍ରୀ ଆଦର୍ଶ ମୁଖ୍ୟମନ୍ତ୍ରୀ ଏବଂ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇଛନ୍ତି। କଠିନ ପରିଶ୍ରମ ପାଇଁ ଆହ୍ୱାନ ଦେଉଛନ୍ତି। ହେଲେ ରାଜ୍ୟରେ ବିକାଶ ବାଟବଣା ହୋଇଯାଇଛି। କେଉଁଠି ଟ୍ରଲିରେ ଶବ ବୁହା ହେଉଛି ତ କେଉଁ ଗର୍ଭବତୀଙ୍କୁ କାନ୍ଧରେ ବୁହା ହେଉଥିବା ଖବର ଦେଖିବାକୁ ମିଳୁଛି। ବିକାଶ ନାଁରେ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏହାର ଜବାବ ରଖିଛନ୍ତି।
ସେ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ହେଉଛି। ସବୁ ବର୍ଗର ଲୋକଙ୍କ ପାଇଁ ଆମ ସରକାର ଯୋଜନା କରିଛନ୍ତି। ବିଜେପି ତୁଚ୍ଛା ରାଜନୀତି ନକରୁ।








ସାଇକେଲରେ ଶବ ବୁହାକୁ ନେଇ ବିଜେପି ଘେରିଛି ରାଜ୍ୟ ସରକାରଙ୍କୁ। ପ୍ରଶ୍ନ କରିଛି – ଆମ ଗାଁ ଆମ ବିକାଶର ପ୍ରକୃତ ରୂପ କ’ଣ?









