ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁରେ ହଜାର ହଜାର ବର୍ଷର ପରମ୍ପରା ଏବେ ନୂଆ ମୋଡ଼ ନେଉଛି। ମଦୁରାଇର ମୀନାକ୍ଷୀ ଆମ୍ମା ମନ୍ଦିରରେ ପ୍ରଥମ ଥର ପାଇଁ ପୂଜକ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ଅଣ-ବ୍ରାହ୍ମଣ ଯୁବକ।
କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର ଏବଂ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ବଂଶାନୁକ୍ରମିକ ସେବା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ କେନ୍ଦ୍ର କରି ବିତର୍କର ଅବସାନ ଘଟିନାହିଁ। ଏଭଳି ସମୟରେ ତାମିଲନାଡୁର ମଦୁରାଇରେ ଥିବା ମୀନାକ୍ଷୀ ଆମ୍ମା ମନ୍ଦିରର ପୂଜକ ଭାବେ ଜଣେ ଅଣ-ବ୍ରାହ୍ମଣଙ୍କ ନିଯୁକ୍ତି ଏହି ବିତର୍କକୁ ଗତିଶୀଳ କରିବା ଦିଗରେ ପ୍ରାସଙ୍ଗିକତା ପ୍ରଦାନ କରିବ ବୋଲି ମନେହୁଏ।
ମନ୍ଦିରରେ ପୂଜା କରିବାର ଅଧିକାର କେବଳ ବ୍ରାହ୍ମଣମାନଙ୍କର ନୁହେଁ। ପୂଜା ପଦ୍ଧତି ସମ୍ବଳିତ ନିର୍ଦ୍ଧାରିତ ପ୍ରଶିକ୍ଷଣ ପାଠ୍ୟକ୍ରମ ଅଧ୍ୟୟନପରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ଅଣ-ବ୍ରାହ୍ମଣମାନଙ୍କର ମଧ୍ୟ ଏହି ଅଧିକାର ରହିଛି। ଅନ୍ତତଃ ତାମିଲନାଡୁରେ ଏହା ପ୍ରମାଣିତ ହୋଇଛି। ମଦୁରାଇର ମୀନାକ୍ଷୀ ଆମ୍ମା ମନ୍ଦିରରେ ପୂଜକ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ଅଣ-ବ୍ରାହ୍ମଣ ଯୁବକ। ଗତ ମାର୍ଚ୍ଚ ୧ ତାରିଖରୁ ଏହି ନିଯୁକ୍ତି ଦିଆଯାଇଥିଲେ ହେଁ ନିକଟରେ ଏହି ଖବର ଲୋକଲୋଚନକୁ ଆସିଛି। ୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଭିତ୍ତିରେ ଏହି ନିଯୁକ୍ତି ଦିଆଯାଇଛି।
ତାମିଲନାଡୁରେ ପୂଜକ ନିଯୁକ୍ତି ବ୍ୟବସ୍ଥା
ତାମିଲନାଡୁର ବିଭିନ୍ନ ମନ୍ଦିରରେ ସରକାରୀ ପୂଜକ ପ୍ରଶିକ୍ଷଣ କେନ୍ଦ୍ର ବା ଅର୍ଚ୍ଚକ ଟ୍ରେନିଂ ସେଣ୍ଚରରୁ ପ୍ରଶିକ୍ଷଣପ୍ରାପ୍ତ ପୂଜକମାନଙ୍କୁ ନିଯୁକ୍ତି ଦିଆଯିବା ବ୍ୟବସ୍ଥା ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଉଦ୍ୟମରେ ୨୦୦୬ ଏବଂ ୨୦୦୭ ମସିହାରେ ରାଜ୍ୟରେ ଏଭଳି ୬ଟି କେନ୍ଦ୍ର ଖୋଲାଯାଇଥିଲା। ଏଥିରୁ ୪ଟି ବୈଷ୍ଣବ ମନ୍ଦିର ଏବଂ ୨ଟି ଶୈବ ମନ୍ଦିର ପାଇଁ ଉଦ୍ଦିଷ୍ଟ ଥିଲା।
କେନ୍ଦ୍ରରେ ପୂଜାପଦ୍ଧତି ବା ଆଗମ ଶାସ୍ତ୍ରପ୍ରଶିକ୍ଷଣର ଅବଧି ଏକ ବର୍ଷ। ପ୍ରଶିକ୍ଷଣପ୍ରାପ୍ତ ପୂଜକମାନଙ୍କୁ ରାଜ୍ୟ ସରକାରଙ୍କ ଦେବୋତ୍ତର (ହିନ୍ଦୁ ରିଲିଜିଅସ୍ ଆଣ୍ଡ ଚାରିଟେ୍ବଲ ଏଣ୍ଡାଓମେଣ୍ଟସ)ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ମନ୍ଦିରରେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି। ପ୍ରଶିକ୍ଷଣ ଶେଷରେ କନିଷ୍ଠ ପୂଜକ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଏ। ନିଯୁକ୍ତି ପାଇଁ ବିଭାଗୀୟ ବିଜ୍ଞାପନ ପ୍ରକାଶ ପାଇବା ପରେ ପ୍ରଶିକ୍ଷିତ ପୂଜକମାନେ ଆବେଦନ କରନ୍ତି ଏବଂ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେବା ପରେ ନିଯୁକ୍ତି ପ୍ରଦାନ କରାଯାଏ।
ଅଣ-ବ୍ରାହ୍ମଣ ପୂଜକ ନିଯୁକ୍ତି
୨୦୦୭-୨୦୦୮ ମସିହାର ପ୍ରଥମ ବ୍ୟାଚରେ ୨୦୬ ଜଣ ପ୍ରଶିକ୍ଷିତ ଯୁବକଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। କିନ୍ତୁ ବ୍ରାହ୍ମଣ ଓ ଅଣ-ବ୍ରାହ୍ମଣଙ୍କ ପୂଜା ଅଧିକାର ସଂପର୍କିତ ମାମଲା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବାରୁ ସେମାନଙ୍କୁ ସରକାରୀ ନିଯୁକ୍ତି ଦିଆଯାଇ ନ ଥିଲା। ୨୦୧୫ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ସଂପର୍କିତ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ବ୍ରାହ୍ମଣଙ୍କ ସମେତ ୫ ଜଣ ଆବେଦନ କରିଥିଲେ। ସାକ୍ଷାତକାରରେ ଜଣେ ଅଣ-ବ୍ରାହ୍ମଣ ପ୍ରଶିକ୍ଷିତ ପୂଜକ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କୁ ମଦୁରାଇର ମୀନାକ୍ଷୀ ଆମ୍ମା ମନ୍ଦିରରେ ନିଯୁକ୍ତି ଦିଆଯାଇଛି।
କରୁଣାନିଧିଙ୍କ ଉଦ୍ୟମ
୧୯୭୦ ମସିହାରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କର ଏକ ସଂସ୍କାରଧର୍ମୀ ଆଦେଶ ବଳରେ ସବୁ ଜାତିର ଲୋକଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ମନ୍ଦିରରେ ପୂଜକ ଭାବେ ନିଯୁକ୍ତି ଦେବାର ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ପୂଜାପଦ୍ଧତି କ୍ଷେତ୍ରରେ ମନ୍ଦିରର ପରମ୍ପରାକୁ ପ୍ରାଥମିକତା ଦେଇ ୧୯୭୨ରେ ସୁପ୍ରିମକୋର୍ଟ ଏହି ଆଦେଶକୁ ଖାରଜ କରିଦେଇଥିଲେ।
୨୦୦୬ ମସିହାରେ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବା ପରେ କରୁଣାନିଧି ପୁଣି ଅନୁରୂପ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ମଧ୍ୟ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୫ ଡିସେମ୍ବରରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ ପୂଜାପଦ୍ଧତି ସମ୍ବଳିତ ଆଗମ ଶାସ୍ତ୍ର ଅନୁସାରେ ନିଯୁକ୍ତି ଦେବାକୁ କୁହାଯାଇଥିଲା। କିନ୍ତୁ ଏ କ୍ଷେତ୍ରରେ ସମାନତାର ଅଧିକାର ଭଳି ମୌଳିକ ଅଧିକାର ଯେଭଳି କ୍ଷୁଣ୍ଣ ନହୁଏ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ବଳରେ ଏବେ ୨୦୦୭-୦୮ ବର୍ଷରେ ଉତ୍ତୀର୍ଣ୍ଣ ପ୍ରଶିକ୍ଷିତ ପୂଜକମାନଙ୍କୁ ନିଯୁକ୍ତି ଦିଆଯାଉଛି।
ପ୍ରଶିକ୍ଷଣର ଦଶବର୍ଷ ପରେ ହେଲେ ବି ସରକାରୀ ମନ୍ଦିରର ପୂଜକ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ଅଣ-ବ୍ରାହ୍ମଣ ଯୁବକ। ମନ୍ଦିରର ଗର୍ଭଗୃହରେ ମନ୍ତ୍ରୋଚ୍ଚାରଣର ଅଧିକାର ପାଇଛନ୍ତି। ହଜାର ହଜାର ବର୍ଷର ପରମ୍ପରା ଏବେ ନୂଆ ମୋଡ଼ରେ।