ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରକଳ୍ପକୁ ମିଳିନି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ
  • ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା
  • କେନ୍ଦ୍ର ଓ ଆନ୍ଧ୍ର ପ୍ରଦେଶକୁ ନୋଟିସ୍
  • ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ

ବିବାଦୀୟ ପୋଲାଭରମ୍ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳି ନଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ପିଟିସନକୁ ଗ୍ରହଣ କରି ସୁପ୍ରିମକୋର୍ଟ ନୋଟିସ୍ ଦେଇଛନ୍ତି।

ଜଷ୍ଟିସ୍ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ସପ୍ତାହ ମଧ୍ୟରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ କରିବା ପରେ ମାମଲାର ଶୁଣାଣି ହେବ।

ପୋଲାଭରମ୍ ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ମିଳି ନଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାକୁ ବେଆଇନ୍ ବୋଲି ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଯୁକ୍ତି ବାଢ଼ିଥିଲେ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ପୋଲାଭରମ୍ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ରକୁ ପକ୍ଷଭୁକ୍ତ କରାଯାଇଥିଲା। ପୋଲାଭରମ୍ ପ୍ରକଳ୍ପ ବାବଦରେ ସେମାନଙ୍କ ମତାମତ ଲୋଡ଼ାଯାଇଥିଲା। ସଂପୃକ୍ତ ରାଜ୍ୟମାନେ ସେମାନଙ୍କ ମତାମତ ସୁପ୍ରିମକୋର୍ଟକୁ ଦେଇଛନ୍ତି। କେନ୍ଦ୍ର ଓ ଆନ୍ଧ୍ର ପ୍ରଦେଶ ସରକାର ଜବାବ ଦେବା ପରେ ରାଜ୍ୟମାନଙ୍କର ମତାମତ ସାର୍ବଜନୀନ କରାଯିବ।

Comment