ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିରୋଧରେ ବର୍ମିଂହାମ୍‌ ଟେଷ୍ଟ୍‍ରେ ଭାରତର ପ୍ରଥମ ପାଳିରେ ସମ୍ମାନରକ୍ଷାକାରୀ ଶତକ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

ଇଂଲଣ୍ଡ ବିରୋଧରେ ବର୍ମିଂହାମ୍‌ ଟେଷ୍ଟ୍‍ର ପ୍ରଥମ ପାଳିରେ ସମ୍ମାନରକ୍ଷାକାରୀ ଶତକ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କୋହଲିଙ୍କ ଖେଳ ଜୀବନର ଏହା ୨୨ତମ ଟେଷ୍ଟ ଶତକ। ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ହୋଇଥିଲେ ମଧ୍ୟ ଇଂଲଣ୍ଡ ମାଟିରେ ପ୍ରଥମ ଟେଷ୍ଟ ଶତକ। ବେନ୍‌ ଷ୍ଟୋକ୍‌ସଙ୍କୁ ପଏଣ୍ଟ ସୀମା ରେଖା ସେପାଖକୁ ଖେଳି କୋହଲି ଶତକ ହାସଲ କରିବା ମାତ୍ରେ ଗର୍ଜି ଉଠିଥିଲେ। ଏଥିସହିତ ନିଜ ନିର୍ବନ୍ଧ ମୁଦିକୁ କିସ୍‌ କରିଥିଲେ ବିରାଟ। ପୂର୍ବରୁ ମଧ୍ୟ ଶତକ ହାସଲ କରିବା ପରେ ବେକରେ ପଡ଼ିଥିବା ନିର୍ବନ୍ଧ ମୁଦିକୁ କିସ୍‌ କରିଥାନ୍ତି ବିରାଟ।

ବଲିଉଡ ନାୟିକା ଅନୁଷ୍କା ଶର୍ମାଙ୍କ ସହ ବିରାଟଙ୍କ ନିର୍ବନ୍ଧ ହେବା ପରେ ବିରାଟ ନିର୍ବନ୍ଧ ମୁଦିକୁ ବରାବର ହାତରେ ପିନ୍ଧିଥାନ୍ତି। କିନ୍ତୁ ପଡ଼ିଆରେ ମ୍ୟାଚ୍‌ ଖେଳୁଥିବାବେଳେ ସେ ଏହାକୁ ବେକରେ ପକାଇ ଖେଳିଥାନ୍ତି ବୋଲି ଥରେ ଏକ ସାକ୍ଷାତକାରରେ ବିରାଟ କହିଥିଲେ।

ବହୁ ରେକର୍ଡ ଭାଙ୍ଗିଲେ ବିରାଟ

ଇଂଲଣ୍ଡ ବିରୋଧରେ କୋହଲିଙ୍କ ବିରାଟ ପାଳି ବଳରେ ଭାରତ ବି ପ୍ରଥମ ପାଳି ଚାପରୁ ବାହାରିଯାଇଥିଲା। ଏକାଧିକ ସିଙ୍ଗଲ୍‌ ରନ୍‌ ନ ନେଇ ନିଜ ସ୍ମରଣୀୟ ଶତକ ଅର୍ଜନ ସହିତ ମଧ୍ୟ କୋହଲି ଭାରତ ପାଳିକୁ ଏକା ଏକା ବଞ୍ଚାଇ ଦେଇଥିଲେ।

୨୦୧୪ ଗସ୍ତରେ ୫ ଟେଷ୍ଟ୍‍ରୁ ମୋଟ ୧୩୪ ରନ୍‌ କରିଥିବା କୋହଲି ମଧ୍ୟ ଏଥର ପ୍ରଥମ ପାଳିରେ ହିଁ (୧୪୯) ପଛରେ ପକାଇ ଦେଇଛନ୍ତି। ସ୍ୱଳ୍ପ ପାଳି ଖେଳି ୨୨ଟି ଶତକ ହାସଲରେ ସେ ମଧ୍ୟ ତାଲିକାର ଚତୁର୍ଥରେ ପହଞ୍ଚିଯାଇଛନ୍ତି।

କୋହଲି ନିଜର ୧୧୩ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ (୫୮ ପାଳି), ସୁନୀଲ ଗାଭାସ୍କର (୧୦୧ ପାଳି), ଷ୍ଟିଭେନ୍‌ ସ୍ମିଥ୍‌ (୧୦୮ପାଳି) ସ୍ୱଳ୍ପ ପାଳି ବେଳେ ୨୨ତମ ଶତକ ହାସଲ କରିଥିଲେ। କୋହଲି ଏ କ୍ଷେତ୍ରରେ ସଚିନ ତେନ୍ଦୁଲକର (୧୧୪) ଏବଂ ମହମ୍ମଦ ୟୁସୁଫ୍‌ (୧୨୧)ଙ୍କୁ ପଛରେ ପକାଇଥିଲେ।

ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୧୦୦୦ ରନ ସ୍କୋର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରଥମ ଟେଷ୍ଟର ୨ୟ ଦିନରେ କୋହଲି ଏହି କୃତିତ୍ୱର ଅଧିକାରୀ ହୋଇଛନ୍ତି। ଇଂଲଣ୍ଡ ସିରିଜ ପୂର୍ବରୁ ଏହି ମାଇଲଖୁଣ୍ଟ ଛୁଇଁବାକୁ କୋହଲି ୨୩ ରନ ଆବଶ୍ୟକ କରୁଥିଲେ।

ବେନ୍‍ ଷ୍ଟୋକ୍‍ସଙ୍କ ବଲରେ ସିଙ୍ଗଲ ରନ ନେଇ କୋହଲି ଏହି କ୍ଲବରେ ନିଜକୁ ସାମିଲ କରିଛନ୍ତି। ଏହି କୃତିତ୍ୱ ଅର୍ଜନ କରିବାରେ କୋହଲି ହେଉଛନ୍ତି ୧୩ଶ ଭାରତୀୟ।

ପୂର୍ବରୁ ସଚିନ ତେନ୍ଦୁଲକର (୨୫୩୫) ତାଲିକାର ସର୍ବାଗ୍ରେ ରହିଥିବାବେଳେ ତାଙ୍କ ପଛକୁ ସୁନିଲ ଗାଭାସ୍କର (୨୪୮୩), ରାହୁଲ ଦ୍ରାବିଡ (୧୯୫୦), ଗୁଣ୍ଡାପ୍ପା ବିଶ୍ୱନାଥ (୧୮୮୦), ଦିଲୀପ ଭେଙ୍ଗସରକାର (୧୫୮୯), କପିଳ ଦେବ (୧୩୫୫), ମହମ୍ମଦ ଆଜାରୁଦ୍ଦିନ (୧୨୭୮), ବିଜୟ ମଞ୍ଜରେକର (୧୧୮୧), ମହେନ୍ଦ୍ର ସିଂହ ଧୋନି (୧୧୫୭), ଫାରୁକ ଇଂଜିନିୟର (୧୧୧୩), ଚେତେଶ୍ୱର ପୂଜାରା (୧୦୬୧) ଓ ରବି ଶାସ୍ତ୍ରୀ (୧୦୨୬) ରହିଛନ୍ତି।

Comment