ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଜ୍ଜ୍ୱଳା ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ଉଜ୍ଜ୍ୱଳା ଯୋଜନାରେ ବିଜେପି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ବିଜେଡି ଅଭିଯୋଗ କରିଥିବା ବେଳେ ବିଜେପି ମଧ୍ୟ ଏହାର ଜବାବ ଦେଇଛି। ଖାଲି ସେତିକି ନୁହେଁ, ସାମ୍ବାଦିକ ସମ୍ମିଳନୀ କରି ବିଜେଡି କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି। ଧର୍ମେନ୍ଦ୍ର ଏହାର ଜବାବରେ ବିଜେଡିକୁ ଅସହିଷ୍ଣୁ ବୋଲି କହିଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନାକୁ ବିଜେପି ସଫଳ ବୋଲି କହୁଥିଲେ ମଧ୍ୟ ଏହା ବିଫଳ ବୋଲି ପ୍ରମାଣିତ ହୋଇଛି। ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ଜଣାପଡ଼ୁଛି।

ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ଥିକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି। ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି।

ପ୍ରତାପ ଦେବ କହିଛନ୍ତି, “ଯଦି ହିତାଧିକାରୀ ରିଫିଲ୍‍ ନେବା ପାଇଁ ଆସୁନାହିଁ, ପ୍ରକୃତପକ୍ଷେ ଏହି ଯୋଜନା ବିଫଳ ବୋଲି ଧରାଯିବ। ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ ଯାହା ଜଣାପଡୁଛି, ହିତାଧିକାରୀ ଥରେ ଚୟନ ହେଲା ପରେ ସେ ଆଉ ଦ୍ୱିତୀୟଥର ପାଇଁ ରିଫିଲ୍‍ ନେଉନାହିଁ। ସମୁଦାୟ ହିସାବକୁ ଦେଖିଲେ ସର୍ବାଧିକ ୨୫ରୁ ୩୦ ପ୍ରତିଶତ ହିତାଧିକାରୀ ରିଫିଲ୍‍ ନେଉଛନ୍ତି। ବାକି ୭୦/୭୫ ପ୍ରତିଶତ ଲୋକ ନେଉନାହାନ୍ତି। ସବ୍‍ସିଡି ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ।”

ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ କାହାର ଅସହିଷ୍ଣୁତା ଓ ଅଜ୍ଞାନତାର ଉତ୍ତର କେହି ଦେଇପାରିବେ ନାହିଁ। ବିଜେଡି ଏଭଳି ମନ୍ତବ୍ୟ ଦେଇ ଗରୀବ, ଆଦିବାସୀ ଓ ମହିଳା ବିରୋଧୀ ବୋଲି ପରିଚୟ ଦେଇଛି। ଯଦି ଏହି ଯୋଜନା ସଫଳ ହେଉ ନଥାନ୍ତା ତାହାଲେ ମହିଳାମାନେ ଏହାକୁ ଆଦର କରି ନଥାନ୍ତେ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ବିଜେଡିକୁ ଘେରିଛନ୍ତି। ସେ ପ୍ରତାପ ଦେବଙ୍କୁ ଆକ୍ଷେପ କରିଛନ୍ତି।

“ପ୍ରତାପ ଦେବ ବିଷୟକୁ ଭଳଭାବେ ଅନୁଧ୍ୟାନ ନକରି ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ଏହି ଯୋଜନାରେ ଭାରତର ୫ କୋଟି ମହିଳା ସାମିଲ୍ ହୋଇଛନ୍ତି। ସାରା ବିଶ୍ୱ ଏହି ଯୋଜନାକୁ ପ୍ରଶଂସା କରୁଥିବା ବେଳେ ବିଜେଡି ସମାଲୋଚନା କରିବା ଅସହିଷ୍ଣୁତାର ପରିଚୟ”, କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ।

Comment