ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନବୀନ ସରକାରଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ସମାଲୋଚନା କରିଥିବା ଅମିତ ଶାହ ଏବେ ନବୀନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଶାହ ନବୀନଙ୍କୁ ଫୋନ୍ କରିବା ପରେ ରାଜନୀତିରେ ଶତ୍ରୁର ସାହାଯ୍ୟ ବି ଲୋଡ଼ା ପଡ଼େ ବୋଲି ଚର୍ଚ୍ଚା ହେଉଛି।

ଆବଶ୍ୟକ ପଡ଼ିଲେ ରାଜନୀତିରେ ଶତ୍ରୁର ସାହାଯ୍ୟ ବି ଲୋଡ଼ା ପଡ଼େ। ଏ କଥାକୁ ଆଉ କେହି ବୁଝନ୍ତୁ କି ନବୁଝନ୍ତୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କିନ୍ତୁ ଏହାକୁ ଭଲଭାବେ ବୁଝିଛନ୍ତି। ଯେଉଁ ଅମିତ ଶାହ ଦିନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ‘ପୋଡ଼ା ଟ୍ରାନ୍ସଫର୍ମର’ କହି ତାତ୍ସଲ୍ୟ କରିଥିଲେ ସେହି ପୋଡ଼ା ଟ୍ରାନ୍ସଫର୍ମରର ସାହାଯ୍ୟ ଲୋଡ଼ିଛନ୍ତି।

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥ ନ କରିବା ପାଇଁ ଅମିତ ଶାହ ଆଜି ନବୀନଙ୍କ ସହ ଫୋନରେ କଥା ହୋଇଛନ୍ତି। ହରିବଂଶଙ୍କୁ ସମର୍ଥନ କରିବା ପାଇଁ ସାହାଯ୍ୟ ମାଗିଛନ୍ତି। ନବୀନଙ୍କୁ ଶାହ ଫୋନ କରିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିଛି। ୨୦୧୯ରେ ରାଜ୍ୟ ରାଜନୀତିର ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି।

୨୦୧୭ ସେପ୍ଟେମ୍ବର ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଦୁଇ ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା ସହ ଜନତା ମଇଦାନରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ।

ନବୀନ ସରକାରଙ୍କୁ ପୋଡ଼ା ଟ୍ରନ୍ସଫର୍ମର ସହ ତୁଳନା କରିଥିଲେ ଶାହ। ଟ୍ରାନ୍ସଫର୍ମର ପୋଡ଼ିଗଲେ ଯେମିତି ଅଦରକାରୀ ହୋଇଯାଏ ଠିକ୍ ସେମିତି ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦେବା ପାଇଁ ଶାହ ବିଜେପି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।

ଶାହଙ୍କ ଏହି ମନ୍ତବ୍ୟକୁ ନେଇ ସେତେବେଳେ ରାଜନୀତି ଜୋର୍ ଧରିଥିଲା। ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଶାହ ଅସୁରମାନଙ୍କ ଭାଷା ବ୍ୟବହାର କରୁଥିବା କହିଥିଲା। ହେଲେ ଏବେ ଶାହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନବୀନଙ୍କ ସାହଯ୍ୟ ଲୋଡ଼ିଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟହାର ଓଡ଼ିଶାରେ ବୃଦ୍ଧି ପାଇଥିଲା। ଏହା ପରଠୁ ବିଜେପି ବିଜେଡି ବିରୋଧରେ ଅଭିଯାନକୁ ଜୋରଦାର କରିଥିଲା। ୨୦୧୯ରେ ଓଡ଼ିଶାରେ ବିଜେପି ୧୨୦ରୁ ଅଧିକ ଆସନ ପାଇବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାସହ ଶାହ ଯେତେଥର ଓଡ଼ିଶା ଗସ୍ତରେ ଆସିଛନ୍ତି ସେତେଥର ସେ ନବୀନ ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି। ନବୀନ ସରକାରଙ୍କୁ ବାରମ୍ବାର ସମାଲୋଚନା କରିଛନ୍ତି।

ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି-ବିଜେଡି ଭିତରେ ଛକାପଞ୍ଝା ଲାଗିରହିଛି। କଥା କଥାକେ ବିଜେପି ସରକାରଙ୍କୁ ଘେରିଛି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି। ବିଜେଡି ମଧ୍ୟ କେନ୍ଦ୍ର ବିରୋଧୀ ନାରା ଦେଇ ବିଜେପିକୁ ସମାଲୋଚନା କରିଛି। ମହାନଦୀ, ପୋଲାଭରମ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି ସବୁବେଳେ କେନ୍ଦ୍ରର ବିଜେପି ସରକାରକୁ ତୀର ମାରି ଆସିଛି।

୨୦୧୯ ପୂର୍ବରୁ ବିଜେପି ଏବଂ ବିଜେଡି ଭିତରେ ଯେଉଁ ରାଜନୀତିକ ଛକାପଞ୍ଝା ଚାଲିଥିଲା ତାହା ଆଗାମୀ ଦିନରେ ଜଟିଳ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ନିଜେ ଅମିତ ଶାହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ନବୀନଙ୍କୁ ଫୋନ୍ କରିବା ପରେ ରାଜନୀତି ସମୀକରଣ ବଦଳିପାରେ ବୋଲି କୁହାଯାଉଛି।

ଜିଏସ୍‌ଟି ବିଲ୍‌କୁ ସମର୍ଥନ ଏବଂ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆସିବା ବେଳେ ବିଜେଡିର ସମର୍ଥନ ଚାହିଁଥିଲା ଏନଡିଏ। ଏହାସହ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ବେଳେ ବି ଏନଡିଏ ବିଜେଡିର ସମର୍ଥନ ଚାହୁଁଥିଲା। କିନ୍ତୁ ସେତେବେଳେ ଅମିତ ଶାହ ସିଧାସଳଖ ବିଜେଡି ସୁପ୍ରିମୋଙ୍କ ସହ କଥା ହୋଇ ନଥିଲେ।

ବିଜେଡି ଜିଏସ୍‌ଟି ବିଲ୍‌କୁ ସମର୍ଥନ କରିବା ସହ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା। କିନ୍ତୁ ଉପ-ରାଷ୍ଟ୍ରପତି ଓ ଅନାସ୍ଥା ପ୍ରସ୍ତାବ ବେଳେ ବିଜେଡି ସମଦୂରତ୍ୱ କାର୍ଡ ଖେଳିଥିଲା। କାଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମୟରେ ବିଜେଡି ସମଦୂରତ୍ୱ କାର୍ଡ ଖେଳିବ ସେହି ଆଶଙ୍କାରେ ଅମିତ ଶାହ ଆଗୁଆ ନବୀନଙ୍କୁ ଫୋନ କରିଥିବା ଚର୍ଚ୍ଚା ହେଉଛି।

Comment