ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସମର୍ଥନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ହୋଇଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ। ବିରୋଧୀ ଦଳର ପ୍ରାର୍ଥୀ ବି କେ ହରିପ୍ରସାଦ ପରାଜିତ ହୋଇଛନ୍ତି। ଏହାକୁ ନେଇ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ସୋସିଆଲ ମିଡିଆରେ ବିଜେଡିକୁ ବାଣ ମାରିଛନ୍ତି।

ବିଜେଡି ବିରୋଧୀ ଦଳର ଭୂମିକା ନିଭାଇ ନାହିଁ ବୋଲି ଚିଦାମ୍ବରମ୍ ଟୁଇଟ୍ କରିଛନ୍ତି। ଚିଦାମ୍ବରମ୍‌ଙ୍କ ଟୁଇଟ୍‌କୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି।

“ମାତ୍ର ୨୦ଟି ଭୋଟର କଥା। ୨୦ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ହାରିଛନ୍ତି। ଯଦି ବିଜେଡି ବାସ୍ତବରେ ବିରୋଧୀ ଦଳର ଭୂମିକା ନିଭାଇ ଥାଆନ୍ତା ତାହାଲେ ଭିନ୍ନ କିଛି ହୋଇଥାନ୍ତ”, ଟୁଇଟ୍ କରିଛନ୍ତି ଚିଦାମ୍ବରମ୍।

ଚିଦାମ୍ବରମ୍ ଆହୁରି କହିଛନ୍ତି ଯେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦଳକୁ ହରାଇବା ପାଇଁ ଏନଡିଏ ଘୋଷଣା କରିଛି। ହେଲେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ନିଜ ଗୋଡ଼ରେ ନିଜେ ଗୁଳି ମାରିଛି।

ବିଜେଡି ସବୁବେଳେ ସମଦୂରତ୍ୱ କାର୍ଡ ଖେଳି ଆସୁଥିଲା। ଉଭୟ ଉଫଶ ଏବଂ ଏନଡିଏଠାରୁ ସମଦୂରତା ରକ୍ଷା କରୁଥିବା ବିଜେଡି କହି ଆସୁଥିଲା। କିନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ବିଜେଡିକୁ କଂଗ୍ରେସ ସମାଲୋଚନା କରିଛି।

ଚିଦାମ୍ବରମ୍ ଏଆଇଏଡିଏମ୍‌କେକୁ ମଧ୍ୟ ସମାଲୋଚନା କରିଛନ୍ତି। ତାମିଲନାଡୁର ଏହି ପାର୍ଟି ବିଜେପି ଇସାରାରେ ନାଚୁଛି। ମିଳିତ ବିରୋଧୀ ଦଳ ରାଜ୍ୟସଭାରେ ଆଜି ଶକ୍ତି ଦେଖାଇଛନ୍ତି। ୧୦୫ ଜଣ ବିରୋଧୀ ସାଂସଦ ଆଜି ଏକାଠି ହୋଇ ଶକ୍ତି ଦେଖାଇଥିବା ଚିଦାମ୍ବରମ୍ କହିଛନ୍ତି।

Comment