ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଜଣକ ପରେ ଜଣେ କଂଗ୍ରେସ ନେତା ଟାର୍ଗେଟ କରୁଛନ୍ତି। ବାପି ସାର୍ଖେଲଙ୍କ ପରେ ବିଭୁ ତରାଇ ଦାମଙ୍କୁ କରିଛନ୍ତି ସମାଲୋଚନା।

କଂଗ୍ରେସ ନେତା ବାପି ସର୍ଖେଲଙ୍କ ପରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ। ପାରାଦୀପରେ ସାମ୍ବାଦିକ ସମ୍ମିଳନୀ କରି ଦାମଙ୍କୁ ବାଣ ମାରିଛନ୍ତି। ପାରାଦୀପରେ ଯେଉଁ ଅପରାଧ ଘଟୁଛି ତାହା ଦାମଙ୍କ ଇସାରାରେ ବୋଲି ବିଭୁ କହିବା ପରେ ପାରାଦୀପ ରାଜନୀତି ପୂରା ଗରମ୍ ହୋଇଯାଇଛି।

“ପାରାଦୀପରେ ଦିନ ଦ୍ୱି ପହରେ ଫୁଟୁଛି ବୋମା। ଗାଁରେ ଅପରାଧିମାନେ ଖୁଲମ୍ ଖୁଲା ବନ୍ଧୁକ ଧରି ବୁଲୁଛନ୍ତି। ପାରାଦୀପ ଅପରାଧୀମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ପାରାଦୀପର ଆଇନ୍ ଶଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଛି। ଏସବୁ ଦାମଙ୍କ ଇସାରାରେ ହେଉଛି”, କହିଛନ୍ତି ବିଭୁ ତରାଇ।

ସେ ଆହୁରି କହିଛନ୍ତି ଯେ ୪୪ ବର୍ଷ ବୟସରେ ଦାମବାବୁ ରାଜନୀତି ଆରମ୍ଭ କରିଥିଲେ। ତେବେ ୧୦ ବର୍ଷ ଭିତରେ ପାରାଦୀପରେ ଯେତେ ଅପରାଧୀ ସୃଷ୍ଟି ହୋଇଛନ୍ତି ସେମାନଙ୍କ ରିଂମାଷ୍ଟର ଦାମବାବୁ। ଫଳରେ ପାରାଦୀରେ ଶିଳ୍ପ ବାତାବରଣ ନଷ୍ଟ ହେବାକୁ ଯାଉଛି।

କିଛିଦିନ ତଳେ ପରାଦୀପରୁ ଏସ୍‌ଟିଏଫ୍ କୁଖ୍ୟାତ ଅପରାଧୀ ବାପୁ ପରିଡ଼ାକୁ ଗିରଫ କରିଥିଲା। ହେଲେ ଦାମବାବୁ ଏହାକୁ ବିରୋଧ କରିଥିଲେ। ମୁନ୍ନା ପତି ହତ୍ୟାକାଣ୍ଡରେ ବାପୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ବେଳେ ଦାମବାବୁ କାହିଁକି ବିରୋଧ କରୁଥିଲେ ବୋଲି ଶ୍ରୀ ତରାଇ ପ୍ରଶ୍ନ କରିଛନ୍ତି।

ପାରାଦୀପ ବନ୍ଦରକୁ ନେଇ ପଣ୍ଡିତ ଜବାହରଲାଲ୍ ନେହେରୁ, ଇନ୍ଦିରା ଗାନ୍ଧି, ଡକ୍ଟର ମନମୋହନ ସିଂହ, ଜାନକୀବଲ୍ଳଭ ପଟ୍ଟନାୟକ ପ୍ରମୁଖ ସ୍ୱପ୍ନ ଦେଖିଥିଲେ। ସେ ସ୍ପନ କିଛି ମାତ୍ରାରେ ପୂରଣ ହୋଇଛି। କିନ୍ତୁ ୧୮ ବର୍ଷର ଶାସନ ଭିତରେ ରାଜ୍ୟ ସରକାର ପାରାଦୀପର ଶିଳ୍ପ ବିକାଶ ପ୍ରତି ବିଶେଷ ଧ୍ୟାନ ଦେଇ ନାହାନ୍ତି। ପାରାଦୀପ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟି ଯାଇଥିବା କହିଛନ୍ତି କଂଗ୍ରେସ ନେତା ବିଭୂ ତରାଇ।

କିଛିଦିନ ତଳେ କଂଗ୍ରେସ ନେତା ବାପି ସର୍ଖେଲ ମଧ୍ୟ ଦାମଙ୍କୁ ସମାଲୋଚନା କରିଥିଲେ। ଦାମବାବୁଙ୍କର ଟିଟୋ ସହ ଲିଙ୍କ୍ ଥିବା ଅଭିଯୋଗ କରିଥିଲେ।

Comment