ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ୍‌କୁ ନେଇ ଚର୍ଚ୍ଚା ଥମୁନି। ଟିଟୋ ସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ବିଧାୟକଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି କଂଗ୍ରେସ କିନ୍ତୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ସିଧାସଳଖ ନିଶାନା କରିଛି।

ଟିଟୋ ସହ ଅମରଙ୍କ କି ସମ୍ପର୍କ ଥିଲା ତାର ଖୋଳତାଡ଼ କରିବାକୁ କଂଗ୍ରେସ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପାଖରେ ଫେରାଦ ହୋଇଛି।

ବଡ଼ଚଣାର ଅସିହା, ଆଲମଗିରି, ଅଛୁତ ବସନ୍ତ, ମଝିପଡ଼ା, ଚଣ୍ଡିଆ, ମାଣ୍ଡୁକା ପାହାଡ଼ରୁ ବିନା ଲିଜ୍‌ରେ ଟିଟୋ ଖଣି ଖନନ କରୁଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ସେହିପରି ବେଆଇନ୍ ଭାବେ ବାଲି ଉଠାଉଥିଲା ଟିଟୋ। ଏଥିରେ ବଡ଼ଚଣା ବିଧାୟକଙ୍କ ହାତ ରହିଛି ବୋଲି କଂଗ୍ରେସ କହିଛି। ଏଣୁ ଅମର ଶତପଥୀଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବାକୁ କଂଗ୍ରେସ ଦାବି କରିଛି।

କଂଗ୍ରେସର ଅଭିଯୋଗକୁ ବିଧାୟକ ଅମର ପ୍ରସାଦ ଶତପଥୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଟିଟୋର ସହ ତାଙ୍କର କୌଣସି ଲିଙ୍କ୍ ନାହିଁ। ରାଜନୀତିକ ଫାଇଦା ପାଇଁ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।

ଏପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଫଳରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଟିଟୋର ଅପରାଧିକ ଚେର ବହୁତ ବାଟ ଲମ୍ବି ଥିବାରୁ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏସ୍‌ଟିଏଫ୍ ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବାରୁ ତଦନ୍ତ ଠିକ୍ ଭାବେ ହେଉନାହିଁ ବୋଲି ସେ କହିଛନ୍ତି।

Comment