ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ପାଇଁ ବିଜେଡିର ସମର୍ଥନ ଲୋଡ଼ିଥିଲେ ନରେନ୍ଦ୍ର ମୋଦି। ବିଜେଡି ସମର୍ଥନ ଦେବା ପରେ ଆଜି ମୋଦି ଫୋନରେ ନବୀନଙ୍କୁ ଦେଇଛନ୍ତି ଧନ୍ୟବାଦ।

  • ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜିତିଲେ ଏନଡିଏ ପ୍ରାର୍ଥୀ
  • ଏନଡିଏକୁ ସମର୍ଥନ କରିଥିଲା ବିଜେଡି
  • ମୋଦି ଏବଂ ଅମିତ ଶାହ ମାଗିଥିଲେ ସମର୍ଥନ
  • ନବୀନ କରିଥିଲେ ସମର୍ଥନ
  • ନବୀନଙ୍କୁ ଧନ୍ୟବାଦ ଦେଲେ ମୋଦି

ବିଜେଡି ସମର୍ଥନରେ ରାଜ୍ୟସଭାର ଉପାଧ୍ୟକ୍ଷ ହୋଇଛନ୍ତି ହରିବଂଶ ନାରାୟଣ ସିଂ। ଫଳରେ ମିଳିତ ବିରୋଧୀ ଦଳର ଏକତାକୁ ବଡ଼ ଝଟ୍‌କା ଲାଗିଛି। ଏନଡିଏ ପ୍ରାର୍ଥୀଙ୍କ ବିଜୟରେ ବିଜେଡିର ବଡ଼ ଭୂମିକା ରହିଥିବା ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି। ଏଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେଇଛନ୍ତି।

ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଫିସ୍‌କୁ ଆସିଥିଲା ଫୋନ୍। ସେପଟେ ଫୋନ୍ ଧରିଥିଲେ ମୋଦି ଏବଂ ଏପଟେ ଫୋନ୍ ଧରିଥିଲେ ନବୀନ। ଫୋନ୍‌ରେ ମୋଦି କହିଥିଲେ ‘ଧନ୍ୟବାଦ ନବୀନ ଜୀ’। ନବୀନ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିବା କୁହାଯାଉଛି। ଏହାସହ କିଛି ସମୟ ବାର୍ତ୍ତାଳାପ ପରେ ଫୋନ୍ ରଖିଥିଲେ ମୋଦି।

କେବଳ ମୋଦି ନୁହନ୍ତି, ଏନଡିଏର ପ୍ରମୁଖ ସହଯୋଗୀ ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନବୀନଙ୍କୁ ଫୋନରେ ଧନ୍ୟବାଦ ଜଣାଇଛନ୍ତି। ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ ଦେଇଥିବାରୁ ନୀତିଶ ଧନ୍ୟବାଦ ଦେଇଛନ୍ତି।

ଗତ ଗୁରୁବାର ଦିନ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ହୋଇଥିଲା ଭୋଟ। ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂ ଏବଂ ବି କେ ହରିପ୍ରସାଦ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ। ନିର୍ବାଚନର ଦୁଇ ଦିନ ପୂର୍ବରୁ ଏନଡିଏ ତାର ପ୍ରାର୍ଥୀ ଘୋଷଣା କରି ବିଭିନ୍ନ ଦଳର ସମର୍ଥନ ଲୋଡ଼ିଥିଲା।

ଏନଡିଏ ବିଜେଡି ଏବଂ ଟିଆର୍‌ଏସ୍‌ର ସମର୍ଥନ ଚାହିଁଥିଲା। ବିଜେଡି ହାତରେ ରାଜ୍ୟସଭାରେ ୯ ଜଣ ସାଂସଦ ଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଥିଲା ଏନଡିଏ।

ମଙ୍ଗଳବାର ଦିନ ପ୍ରଥମେ ନୀତିଶ କୁମାର ନବୀନଙ୍କୁ ଫୋନ୍ କରିଥିଲେ। ଜେଡି(ୟୁ) ସାଂସଦ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ବିଜେପିର ତୁଙ୍ଗ ନେତାମାନେ ନବୀନଙ୍କୁ ଯୋଯୋଗ କରିଥିଲେ।

ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନବୀନଙ୍କ ସହ ଫୋନରେ କଥା ହୋଇ ବିଜେଡିର ସମର୍ଥନ ଲୋଡ଼ିଥିଲେ। ଶାହଙ୍କ ପରେ ନରେନ୍ଦ୍ର ମୋଦି ଫୋନ କରିଥିଲେ ନବୀନଙ୍କୁ। ସେ ବି ହରିବଂଶଙ୍କ ପାଇଁ ବିଜେଡିର ସମର୍ଥନ ଲୋଡ଼ିଥିଲେ।

ଶେଷରେ ମୁମ୍ବାଇରେ ହେଉଥିବା ଇନଭେଷ୍ଟର୍ସ ମିଟ୍‌ରୁ ବୁଧବାର ରାତିରେ ନବୀନ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଥିଲେ। ଗୁରୁବାର ହୋଇଥିବା ଭୋଟରେ ବିଜେଡି ସମର୍ଥନରେ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି।

Comment