ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିକୁ ପୁଣି ଅଡ଼ୁଆରେ ପକାଇଲେ ବିଜୟ ମହାପାତ୍ର। ରାଜ୍ୟସଭା ନିର୍ବାଚନରେ ବିଜେଡିର ସମର୍ଥନ ଲୋଡ଼ି ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ।

ଭାରତୀୟ ଜନତା ପାର୍ଟି ପାଇଁ ଅଡ଼ୁଆ ସାଜିଛନ୍ତି ବିଜୟ ମହାପାତ୍ର। ବିଗତ ଦିନରେ ମହାନଦୀ, ପୋଲାଭରମ୍ ପ୍ରସଙ୍ଗରେ ବିଜେପିକୁ ବାଣ ମାରି ଅସୁବିଧାରେ ପକାଇବା ପରେ ଆଜି ବିଜୟ ବିଜେଡିର ସମର୍ଥନ ଲୋଡ଼ିବାକୁ ନେଇ ଆଟାକ କରିଛନ୍ତି।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ସମର୍ଥନ ଲୋଡ଼ି ବିଜେପି ଓଡ଼ିଶାବାସୀଙ୍କ ଆସ୍ଥା ହରାଉଛି ବୋଲି ବିଜୟ କହିଛନ୍ତି। ବିଜୟଙ୍କ ଏହି ବାଣ ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି।

“ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ପାଇଁ ବିଜେପି ବିଜେଡିର ସମର୍ଥନ ଚାହିଁଥିଲା। ବିଜେପିର କେନ୍ଦ୍ର ନେତାମାନେ ବିଜେଡିର ସମର୍ଥନ ଲୋଡ଼ିଥିଲେ। ହେଲେ ,ପଟେ ରାଜ୍ୟ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷୁଛନ୍ତି। ବିଜେଡିକୁ ସମାଲୋଚନା କରୁଛନ୍ତି। ଗୋଟିଏ ପଟେ ସମର୍ଥନ ମାଗିବା ଏବଂ ଅନ୍ୟପଟେ ସମାଲୋଚନା କରିବାକୁ ପ୍ରସଙ୍ଗକୁ ଓଡ଼ିଶାବାସୀ ବୁଝିପାରୁ ନାହାନ୍ତି। ଫଳରେ ବିଜେପି ଲୋକଙ୍କର ବିଶ୍ୱାସ ହରାଉଛି। ଏହା ଆଗାମୀ ଦିନରେ ଦଳ ପାଇଁ କ୍ଷତି ହୋଇପାରେ”, କହିଛନ୍ତି ବିଜୟ ମହାପାତ୍ର।

ବିଜେପି ଏବଂ ବିଜେଡି ଭିତରେ ସମ୍ପର୍କ କ’ଣ ବୋଲି ତାହା ଉଭୟ ଦଳ ସ୍ପଷ୍ଟ କରିବା ଦରକାର। ନହେଲେ ଲୋକଙ୍କ ମନରେ ଆଶଙ୍କା ରହୁଛି ବୋଲି ବିଜୟ କହିଛନ୍ତି।

ବିଜୟଙ୍କ ବାଣକୁ କାଉଣ୍ଟର କରିଛି ବିଜେପି। ବିଜେପି ଉପ-ସଭାପତି ସମୀର ମହାନ୍ତି ବିଜୟଙ୍କୁ ଜବାବ ଦେଇଛନ୍ତି।

“ବିଜେପି ଓଡ଼ିଶାର ହକ୍ ପାଇଁ ଲଢ଼େଇ କରୁଛି। ବିଜେଡି ସହିତ ବିଜେପିର ସମ୍ପର୍କ କ’ଣ ତାହା ଓଡ଼ିଶାବସୀ ଭଲଭାବେ ଜାଣିଛନ୍ତି। ତେବେ ବିଜୟ ମହାପାତ୍ର କ’ଣ ପାଇଁ ଏହି ପ୍ରସଙ୍ଗ ଉଠାଉଛନ୍ତି ତାହା ବୁଝାପଡ଼ୁ ନାହିଁ। ଯେଉଁମାନେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି ସେମାନଙ୍କ ସହ ବିଜୟବାବୁଙ୍କର ବୋଧହୁଏ ସମ୍ପର୍କ ବଢ଼ି ଯାଇଛି। ସେମାନେ କାହିଁକି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜୟବାବୁ ପ୍ରଥମେ ସେମାନଙ୍କୁ ପଚାରନ୍ତୁ”, କହିଛନ୍ତି ସମୀର ମହାନ୍ତି।

ସମୀର ଆହୁରି କହିଛନ୍ତି ଯେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହାରିବା ପାଇଁ ଏନଡିଏ ପ୍ରାର୍ଥୀ ଦେଇ ନଥିଲା। ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ଦଳର ସମର୍ଥନ ଲୋଡ଼ା ଯାଇଥିଲା। ବିଜୟବାବୁ ଏହା ଭଲଭାବେ ବୁଝିବା ଦରକାର।

ଏପଟେ ବିଜୟ ସାମ୍ବାଦିକ ସମ୍ମିଳନୀରେ ପଚାରିଥିବା ପ୍ରଶ୍ନର ପ୍ରତିକ୍ରିୟ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଯେ ବିଜେଡି ସବୁବେଳେ ତାର ଆଭିମୁଖ୍ୟ ସ୍ପଷ୍ଟ କରି ଆସିଛି। ଆମେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଛୁ। ଜେଡି(ୟୁ) ସହ ଆମର ସମ୍ପର୍କ ଭଲ। ଆମେ ଜେଡି(ୟୁ) ପ୍ରାର୍ଥୀଙ୍କୁ ସମର୍ଥନ କରିଛୁ। ବିଜେପି ସହିତ କୌଣସି ରାଜନୈତିକ ବୁଝାମଣା ହୋଇନି। ୨୦୧୯ରେ ବିଜେଡି ଏକାକୀ ନିର୍ବାଚନ ଲଢ଼ିବ।

Comment