ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗୋଟିଏ ଡଙ୍ଗାରେ ଦାମ-ରାଜଶ୍ରୀ, ଅପରପଟେ ବିଷ୍ଣୁ
  • ଜମୁଛି ଜଗତସିଂହପୁର ବିଜେଡି ରାଜନୀତି
  • ବିଷ୍ଣୁ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ୍: ରାଜଶ୍ରୀ
  • ଦାମ କହିଲେ, “ବିଷ୍ଣୁଙ୍କୁ ଲୋକେ ରାଜନୀତିରୁ ସନ୍ନ୍ୟାସ ଦେଇ ସାରିଲେଣି”

ଜଗତସିଂହପୁର ଜିଲ୍ଲାରେ ଜମୁଛି ବିଜେଡି କନ୍ଦଳ। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲାର ତିନି ହେବିୱେଟ୍ ନେତା। ଗୋଟିଏ ପଟେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ଅନ୍ୟପଟେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଏବଂ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ରହିଛନ୍ତି। ଏହି ତିନି ନେତାଙ୍କ ଆରୋପ ପ୍ରତ୍ୟାରୋପରେ ଜଗତସିଂହପୁର ରାଜନୀତିରେ ଉଷ୍ମତା ଭରି ଯାଇଛି।

ଅନ୍ୟ ଦଳର ନେତାଙ୍କୁ ବିଜେଡିରେ ସାମିଲ୍ କରି ରାଜଶ୍ରୀ ମଲ୍ଲିକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି। ଏହାକୁ ନେଇ ବିଷ୍ଣୁ ଏବଂ ରାଜଶ୍ରୀଙ୍କ ଭିତରେ କଥା କଟାକଟି ହୋଇଥିଲା। ବିଷ୍ଣୁ-ରାଜଶ୍ରୀଙ୍କ କଥା କଟାକଟି ଭିତରେ ଦାମ ମାରିଛନ୍ତି ବାଣ।

ରାଜଶ୍ରୀ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଷ୍ଣୁଙ୍କ ସମର୍ଥକ। ସେମାନେ ଦାବି କରିଥିଲେ ଯେ ଦଳରେ ଥିବା ଲୋକଙ୍କୁ ପଚାରୁ ନାହାନ୍ତି ରାଜଶ୍ରୀ। ବିଷ୍ଣୁ ଏବଂ ତାଙ୍କ ସମର୍ଥକଙ୍କୁ ଆଜି ଜବାବ ଦେଇଛନ୍ତି ରାଜଶ୍ରୀ।

ରାଜଶ୍ରୀ କହିଛନ୍ତି, “ଏଭଳି ନେତାମାନଙ୍କ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ବିଜେଡିର ସ୍ଥିତି ସଙ୍ଗୀନ ହୋଇଯାଇଛି। ଏଣୁ ଜିଲ୍ଲା ସଭାପତି ବିଷ୍ଣୁ ଦାସ ରାଜନୀତିରୁ ତୁରନ୍ତ ସନ୍ନ୍ୟାସ ଦେଇଯିବା ଉଚିତ୍। ତାଙ୍କ ସମର୍ଥକମାନେ ମଧ୍ୟ ଦଳରୁ ଇସ୍ତଫା ଦେଇଦେବା କଥା।”

ରାଜଶ୍ରୀଙ୍କ ମନ୍ତବ୍ୟକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଦାମ। ସେ କହିଛନ୍ତି ଯେ ଲୋକେ ବିଷ୍ଣୁଙ୍କୁ ରାଜନୀତିରୁ ସନ୍ନ୍ୟାସ ଦେଇ ସାରିଲେଣି। ତାଙ୍କ ଭଳି ନେତା ରାଜନୀତିରେ ରହିବା ଠିକ୍ ନୁହେଁ।

ରବିବାର ଦିନ ଜଗତସିଂହପୁର ଜିଲ୍ଲା  ସର୍କିଟ ହାଉସରେ ବସିଥିଲା ପଞ୍ଚାୟତ ପ୍ରତିନିଧିଙ୍କ ବୈଠକ। ଏଥିରେ ବିଷ୍ଣୁ ଦାସ ଉପସ୍ଥିତ ରହିଥିଲେ। ରାଜଶ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ ବିଷ୍ଣୁଙ୍କ ସମର୍ଥକ। ବିଷ୍ଣୁଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବାରୁ ରାଜଶ୍ରୀ ଏହାର ଜବାବ ଦେଇଛନ୍ତି।

ଜଗତସିଂହପୁର ଜିଲ୍ଲାରେ ଦାମ, ବିଷ୍ଣୁ ଓ ରାଜଶ୍ରୀଙ୍କ ମଧ୍ୟରେ ସମ୍ପର୍କ କ’ଣ ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ। ୨୦୧୪ରେ ରାଜଶ୍ରୀ ପ୍ରଥମ ଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ସହ ତାଙ୍କର ସମ୍ପର୍କ ଭଲ ନାହିଁ। ଏପଟେ ଦାମଙ୍କ ସହ ମଧ୍ୟ ବିଷ୍ଣୁ ସମ୍ପର୍କ ଭଲ ନାହିଁ। ଏପରିସ୍ଥଳେ ଦାମ ଓ ରାଜଶ୍ରୀ ଗୋଟିଏ ପଟେ ରହିଥିବା ବେଳେ ବିଷ୍ଣୁ ଆଉ ଗୋଟିଏ ପଟେ ରହିଛନ୍ତି। ଏହି ତିନି ନେତାଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ୍ ହୋଇଛି।

ରବିବାର ବସିଥିବା ବୈଠକରେ ବିଷ୍ଣୁଙ୍କ ସମର୍ଥକମାନେ ରାଜଶ୍ରୀ ଏବଂ ଦାମଙ୍କ ଉପରେ ଅଧିକ ଚର୍ଚ୍ଚା କରିଥିଲେ।

Comment