ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପରେ ଗୋଟିଏ କଥା ପ୍ରାଞ୍ଜଳ ଭାବେ ଦେଖାଯାଉଛି ଯେ ଏବେ ବିଜେଡି ପାଇଁ ମୁଖ୍ୟ ରାଜନୈତିକ ଶତ୍ରୁ ହେଉଛି କଂଗ୍ରେସ।

ରାଜ୍ୟସଭା ଉପ-ସଭାପତି ନିର୍ବାଚନ ପରେ ଶାସକ ବିଜେଡି, ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ବୟାନବାଜି ଚାଲୁ ରହିଥିବା ବେଳେ ଏହି ଘଟଣାରୁ କିଛିଟା ସ୍ପଷ୍ଟ ରାଜନୈତିକ ସଂକେତ ଆସୁଛି। ଆଗାମୀ ଦିନରେ ଓଡ଼ିଶାର ରାଜନୀତି କ’ଣ ହେବାକୁ ଯାଉଛି, କିଏ କାହାର ପ୍ରତିଦ୍ୱନ୍ଦ୍ୱୀ ଏହା ଆଉ ଅନୁମାନ ହୋଇ ରହିନାହିଁ।

ରାଜ୍ୟସଭା ନିର୍ବାଚନ ପରେ ଗୋଟିଏ କଥା ପ୍ରାଞ୍ଜଳ ଭାବେ ଦେଖାଯାଉଛି ଯେ ଏବେ ବିଜେଡି ପାଇଁ ମୁଖ୍ୟ ରାଜନୈତିକ ଶତ୍ରୁ ହେଉଛି କଂଗ୍ରେସ। ଅନ୍ୟ ଅର୍ଥରେ କଂଗ୍ରେସ ନେତୃତ୍ୱରେ କୌଣସି ବିରୋଧୀ ମେଣ୍ଟକୁ ବିଜେଡି ସମର୍ଥନ କରିବ ନାହିଁ।

ଏମିତିରେ ନବୀନ ପଟ୍ଟନାୟକ ମେଣ୍ଟ ରାଜନୀତିରେ ବିଶ୍ୱାସ କରୁନାହାନ୍ତି। ମିଳିତ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲେ ବିଜେଡି ସମର୍ଥନ କରିଥାନ୍ତା କି ଏହିଭଳି ପ୍ରଶ୍ନ ଅବାନ୍ତର। କାରଣ ଯେତେ ମେଣ୍ଟ କଥା କୁହାଗଲେ ବି ମୋଦି ସରକାରଙ୍କ ବିରୋଧରେ ଏକ ଅନୁକୂଳ ରାଜନୈତିକ ସ୍ଥିତି ତିଆରି କରିପାରି ନାହାନ୍ତି ତଥାକଥିତ ବିରୋଧୀ ଦଳ। ଏଣୁ ରାଜ୍ୟସଭା ଉପସଭାପତି ପଦ ପାଇଁ ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶଙ୍କୁ ଯେତେବେଳେ ପ୍ରାର୍ଥୀ କରାଗଲା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ କଥାଟା ପ୍ରକୃତରେ ସହଜ ହୋଇଗଲା। ଜାତି ଗଲାନି କି ପେଟ ଅପୂରା ରହିଲା ନାହିଁ।

ସତ କଥା ହେଉଛି ବିଜେଡି ଏହି ସଂକଟରୁ ରକ୍ଷା ପାଇବା ପାଇଁ ଘୋର ଚିନ୍ତାରେ ପଡ଼ିଯାଇଥିଲା। ତେଣେ ନୀତିଶ କୁମାର ନବୀନଙ୍କ ଜଣେ ଭଲ ବନ୍ଧୁ ହୋଇଥିବା କାରଣରୁ ଅନୁରୋଧ ଆସିବା ମାତ୍ରେ ନବୀନ ସେହି ସୁଯୋଗକୁ ମାଡ଼ି ବସିଥିଲେ। ରାଜ୍ୟସଭା ଉପ-ସଭାପତି ନିର୍ବାଚନ ପାଇଁ ନବୀନ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାର ଏକ ବୃହତ୍ତର ସନ୍ଦେଶ ରହିଛି। ସେହି ସନ୍ଦେଶଟି ହେଉଛି ଯେ ଆମ ଭୋଟରେ ତୁମେ କେହି ହାତ ମାରନା।

ଉପକୂଳ ଓଡିଶାରେ ଯେଉଁ ସାତଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି ସେଗୁଡ଼ିକ ବିଜେଡିର କବ୍‌ଜାରେ ରହିଛି। କିନ୍ତୁ ଏହିସବୁ ଆସନରେ କଂଗ୍ରେସ କଡ଼ା ଟକ୍କର ଦେବା ନିଶ୍ଚିତ। ଅନ୍ୟ ପକ୍ଷରେ ଉପକୂଳ ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ, ଯାହା କିଛି ଉପସ୍ଥିତି କେବଳ ପଶ୍ଚିମ ଓଡ଼ିଶାରେ। ଏଣୁ ୨୦୧୯ରେ କଂଗ୍ରେସ ହିଁ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ।

ଯେଉଁ କଂଗ୍ରେସକୁ ବିରୋଧ କରି ବିଜେଡିର ଜନ୍ମ ସେହି ଦଳ ହିଁ ସବୁଦିନ ପାଇଁ ବିଜେଡିର ବଇରୀ ହୋଇ ରହିବ। ଏ କଥା କହିଛନ୍ତ ବିଜେଡିର ଜଣେ ବରିଷ୍ଠ ନେତା। ବିଜେଡିର ଆଉ କିଛି ନେତାଙ୍କ କହିବା କଥା ଯେ ରାଜ୍ୟସଭାରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଅର୍ଥ ନୁହେଁ ଯେ ବିଜେପି ପାଖରେ ବିଜେଡି ବିକ୍ରି ହୋଇଯାଇଛି। ଏଣୁ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ କୌଣସି ପ୍ରକାର ବୁଝାମଣା ହେବା ପ୍ରଶ୍ନ ଉଠୁନାହିଁ।

ଖବର ଅନୁସାରେ ବିଜେଡି ସମସ୍ତ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଠିଆ କରିବ। ଯଦି ବି କୌଣସି ବୁଝାମଣା ବା ମେଣ୍ଟର ଆବଶ୍ୟକତା ପଡ଼େ ତାହା କେବଳ ନିର୍ବାଚନ ଫଳ ବାହାରିବା ପରେ। ଏଣୁ ଆଗାମୀ ନିର୍ବାଚନ ଯାଏଁ ନବୀନଙ୍କ ‘ସମଦୂରତ୍ୱ’ ଥିଓରିରେ ଅପାତତଃ କୌଣସି ପରିବର୍ତ୍ତନ ହେବା ଦେଖାଯାଉ ନାହିଁ। ତାଙ୍କ ଖେଳଟି ବର୍ତ୍ତମାନ ନିଜ ଗଡ଼ ଜଗିବା, ଅନ୍ୟର ଗଡ଼ ଜଗିବା ନୁହେଁ।

Comment