ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟରେ ନୈରାଶ୍ୟଜନକ ପରାଜୟ ପାଇଁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଇଂଲଣ୍ଡ ସହ ଚାଲିଥିବା ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ କୋଚ ରବିଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟିମର ଖରାପ ପ୍ରଦର୍ଶନ ନେଇ ବିସିସିଆଇ ମଧ୍ୟ ଉଭୟଙ୍କୁ ପ୍ରଶ୍ନ କରିବାର ସମ୍ଭାବନା ରହିଛି।

ଆସନ୍ତା ଶନିବାରଠାରୁ ୩ୟ ଟେଷ୍ଟ ଆରମ୍ଭ ହେଉଥିବାବେଳେ ଏହି ମ୍ୟାଚରେ ଦଳର ପ୍ରଦର୍ଶନ ଉପରେ ବିସିସିଆଇ ନଜର ରଖିଛି। ଏହି ମ୍ୟାଚ ପରେ ହିଁ ୪ର୍ଥ ଓ ୫ମ ଟେଷ୍ଟ ପାଇଁ ଟିମ ଚୟନ କରାଯିବ ବୋଲି ସୂଚନା ମିଳିଛି।

ଏ ସମ୍ପର୍କରେ ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, “ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ପରାଜୟ ପରେ ଖେଳାଳୀମାନେ ଅଭ୍ୟାସ ପାଇଁ ଯଥେଷ୍ଟ ସମୟର ଅଭାବକୁ ମୁଖ୍ୟ କାରଣ ଭାବେ ଦର୍ଶାଇଥିଲେ। କିନ୍ତୁ ଏଥର ସେମାନେ ଏହାକୁ କାରଣ ଭାବେ ଦେଖାଇପାରିବେ ନାହିଁ, କାରଣ ସେମାନେ ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ପାଇଁ ଯଥେଷ୍ଟ ସମୟ ପାଇଛନ୍ତି”।

ଅନ୍ୟପକ୍ଷରେ ଲଣ୍ଡନରେ ଖରାପ ପ୍ରଦର୍ଶନର ପ୍ରଭାବ ଅଧିନାୟକ ବିରାଟ କୋହଲିଙ୍କ ବ୍ୟକ୍ତିଗତ ଟେଷ୍ଟ ରାଙ୍କିଙ୍ଗ ଉପରେ ମଧ୍ୟ ପଡ଼ିଛି। କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ୧ନମ୍ବର ସ୍ଥାନରୁ ୨ୟ ସ୍ଥାନକୁ ଖସିଆସିଛନ୍ତି। ଅଷ୍ଟ୍ରେଲିୟା ଅଧିନାୟକ ଷ୍ଟିଭ ସ୍ମିଥ ୧ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।

ଭାରତୀୟ ଦଳ କହିପାରିବ ନାହିଁ ଯେ ସେମାନେ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ପାଇନାହାନ୍ତି। ଦଳ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପରାଜିତ ହେଲା, ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅଭ୍ୟାସ ଗେମ୍‌ ଖେଳି ନ ଥିବାରୁ ସେମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା ବୋଲି ଖେଳାଳିମାନେ ସଫେଇ ଦେଇଥିଲେ।

ଶାସ୍ତ୍ରୀ ଏବଂ ବର୍ତ୍ତମାନର ସହଯୋଗୀ ଷ୍ଟାଫ୍‌ଙ୍କ ଅଧୀନରେ ଅଷ୍ଟ୍ରେଲିଆ (୨୦୧୪ରେ ୦-୨), ଦକ୍ଷିଣ ଆଫ୍ରିକା (୨୦୧୭-୧୮ରେ ୧-୨) ବିପକ୍ଷ ଦୁଇଟି  ପ୍ରମୁଖ ଟେଷ୍ଟ ସିରିଜରେ ପରାଜିତ ହୋଇଛି।

ବର୍ତ୍ତମାନ ଇଂଲଣ୍ଡରେ ଆମର ଦୟନୀୟ ଅବସ୍ଥା। ଅତୀତରେ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜରେ ଭାରତ ୧-୩ରେ ପରାଜିତ ହେବା ପରେ ବିସିସିଆଇ ଡନ୍‌କାନ୍‌ ଫ୍ଲେଚରଙ୍କ ସହଯୋଗୀ ଜୋ ଡାଓ୍ବିସ(ବୋଲିଂ କୋଚ୍‌) ଏବଂ ଟ୍ରେଭର ପେନି (ଫିଲ୍ଡିଂ କୋଚ୍‌)ଙ୍କୁ ବହିଷ୍କାର  କରିଥିଲା। ଦିନିକିଆ ସିରିଜ ପୂର୍ବରୁ ସେତେବେଳେ ଶାସ୍ତ୍ରୀଙ୍କୁ ଦଳର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା।

ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଇଆନ ଚାପେଲ ଟେକ୍‌ନିକ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ବିଦେଶ ଟୁର୍‌ ବେଳେ ୩ ଜାତୀୟ ଚୟନକର୍ତ୍ତାଙ୍କ ମଧ୍ୟରୁ ଜଣଙ୍କୁ  ଟିମ୍‌ ମ୍ୟାନେଜମେଣ୍ଟରେ ସ୍ଥାନ ଦେବାକୁ କିମ୍ବଦନ୍ତୀ ଓପନର ସୁନୀଲ ଗାଭାସ୍କର ଏକ ପ୍ରସ୍ତାବ ଦେଇଛନ୍ତି। ଅନ୍ୟ ଏକ ସମସ୍ୟା ହେଲା ଅଗଷ୍ଟ ୧୮ରେ ଆରମ୍ଭ ହେବାକୁଥିବା ଟ୍ରେଣ୍ଟବ୍ରିଜ୍‌ ଟେଷ୍ଟରେ କୋହଲିଙ୍କ ଫିଟ୍‌ନେସ୍‌।

Comment