ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପି ଗଡ଼ରେ ଆଉ ଫୁଟିବନି ପଦ୍ମ। ମଧ୍ୟପ୍ରଦେଶ-ଛତିଶଗଡ଼-ରାଜସ୍ଥାନରେ ସରକାର ଗଢ଼ିବ କଂଗ୍ରେସ। ବିଧାନସଭା ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ।

୨୦୧୯ ନିର୍ବାଚନକୁ ନେଇ ବିଜେପି ଅଙ୍କ କଷୁଛି। ଏନଡିଏ ପୁଣିଥରେ କେମିତି ଦିଲ୍ଲୀ ସିଂହାସନ ଅକ୍ତିଆର୍ କରିବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ନେତୃବୃନ୍ଦ। କିନ୍ତୁ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଗଡ଼ କୁହାଯାଉଥିବା ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଏହି ନିର୍ବାଚନରେ ବିଜେପିକୁ ବଡ଼ ଝଟକା ଲାଗିବ ବୋଲି ଆଗୁଆ ସର୍ଭେରୁ ଜଣାପଡ଼ିଛି। ଏହି ତିନି ରାଜ୍ୟରେ କଂଗ୍ରେସକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ସର୍ଭେ କହିଛି।

ମଧ୍ୟପ୍ରଦେଶରେ ଗଡ଼ିବ ଶିବରାଜଙ୍କ ସରକାର

ମଧ୍ୟପ୍ରଦେଶରେ ୧୫ ବର୍ଷ ହେଲା ଶଶସନରେ ରହିଛି ବିଜେପି। ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ରହିଛନ୍ତି। ହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଅଙ୍କ ଭୁଲ୍ ହେବାକୁ ଯାଉଛି। ନରେନ୍ଦ୍ର ମୋଦି ଏବଂ ଶିବରାଜ ସିଂହ ଚୌହାନଙ୍କ ଲୋକପ୍ରିୟତାକୁ ନେଇ ବିଜେପି ଯେଉଁ ଗଣିତ କଷିବାକୁ ଯାଉଛି ତାହା ମଧ୍ୟପ୍ରଦେଶରେ ବୁମେରାଂ ହୋଇପାରେ ବୋଲି ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ସର୍ଭେରେ କୁହାଯାଇଛି ଯେ ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ଭିତରେ କଡ଼ା ଟକ୍କର ହେବ। ଆଉ କଂଗ୍ରେସ ହିଁ ସରକାର ଗଢ଼ିବ।

ମଧ୍ୟପ୍ରଦେଶରେ ମୋଟ ଆସନ ହେଉଛି ୨୩୦। ବିଜେପିକୁ ୧୦୬ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୧୧୭ ଆସନ ଏବଂ ଅନ୍ୟମାନେ ୭ ଆସନ ପାଇବେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ବିଜେପିକୁ ୪୦ ପ୍ରତିଶତ ଭୋଟ ମିଳିବାକୁ ଥିବା ବେଳେ କଂଗ୍ରେସ ପାଇବ ୪୨ ପ୍ରତିଶତ ଏବଂ ଅନ୍ୟ ଦଳ ପାଇବେ ୧୮ ପ୍ରତିଶତ ଭୋଟ।

ଛତିଗଶଡ଼ରେ ଶାସନକୁ ଫେରିବ କଂଗ୍ରେସ

ମଧ୍ୟପ୍ରଦେଶ ପରି ଛତିଶଗଡ଼ରେ ମଧ୍ୟ ବିଜେପି ୧୫ ବର୍ଷ ହେଲା ଶାସନରେ ରହିଛି। ହେଲେ ସର୍ଭେ କହୁଛି ବିଜେପି ହାତରୁ କଂଗ୍ରେସ କ୍ଷମତା ଛଡ଼ାଇ ନେବ। ରମଣ ସିଂହଙ୍କ ସରକାର ଚିତ୍‌ପଟ୍ଟାଙ୍ଗ ମାରିବ ବୋଲି ସର୍ଭେ କହିଛି।

ଛତିଶଗଡ଼ରେ ବିଧାନସଭା ଆସନ ସଂଖ୍ୟା ହେଉଛି ୯୦। ବିଜେପି ୩୩ ଆସନ ପାଇବାକୁ ଥିବା ବେଳେ କଂଗ୍ରେସକୁ ୫୪ ଏବଂ ଅନ୍ୟ ଦଳ ୩ଟି ଆସନ ପାଇବେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୩୯ ପ୍ରତିଶତ ଭୋଟ, କଂଗ୍ରେସ ୪୦ ପ୍ରତିଶତ ଏବଂ ଅନ୍ୟମାନେ ୨୧ ପ୍ରତିଶତ ଭୋଟ ପାଇବେ। ଅଜିତ ସିଂହ ଦଳ କଂଗ୍ରେସ ସହ ଟକ୍କର ଦେଲେ ବି ବିଜେପି କୌଣସି ଫାଇଦାରେ ରହିବ ନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି। ବିଜେପି ୧୬ଟି ସିଟ୍ ହରାଇବାକୁ ଥିବା ବେଳେ କଂଗ୍ରେସ ୧୫ଟି ଅଧିକ ଆସନ ପାଇବ।

ରାଜସ୍ଥାନରେ ବି ଗଡ଼ିଯିବ ବିଜେପି

ରାଜସ୍ଥାନରେ କ୍ଷମତାସୀନ ବିଜେପିକୁ ପରାଜିତ କରି କଂଗ୍ରେସ ପୁଣି କ୍ଷମତାକୁ ଆସିବ ବୋଲି ସର୍ଭେରୁ ଜଣାପଡ଼ିଛି। ବସୁନ୍ଧରା ରାଜେଙ୍କ ସରକାର ଉପରେ ରାଜସ୍ଥାନବାସୀ ଖପ୍ପା ଥିବାରୁ କଂଗ୍ରେସ ଏଥିରୁ ଫାଇଦା ନେବାକୁ ଚାହୁଁଛି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି ୫୭ଟି ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ପାଇବ ୧୩୦ ଏବଂ ଅନ୍ୟମାନେ ୧୩ଟି ଆସନ ପାଇବେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ବିଜେପି ୩୭ ପ୍ରତିଶତ, କଂଗ୍ରେସ ୫୧ ପ୍ରତିଶତ ଏବଂ ଅନ୍ୟମାନେ ୧୨ ପ୍ରତିଶତ ଭୋଟ ପାଇବେ। ୨୦୧୩ ତୁଳନାରେ ୨୦୧୮ରେ କଂଗ୍ରେସ ଫାଇଦାରେ ରହିବ ବୋଲି ରିପୋର୍ଟ କହିଛି।

Comment