ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲର୍ଡସ ଟେଷ୍ଟରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ତାଲିକାର ୧ନଂ ସ୍ଥାନ ହରାଇଛନ୍ତି।

ବିରାଟ କୋହଲିଙ୍କୁ ଦୁଇ ଦିନ ଭିତରେ ଦୁଇଟି ବଡ଼ ଝଟ୍‌କା ଲାଗିଛି। ରବିବାର ଲର୍ଡସ୍‌ରେ ଅଧିନାୟକ ଭାବେ ପ୍ରଥମଥର ପାଳି ପରାଜୟ ବରଣ କରିବା ପରେ ସୋମବାର ତାଙ୍କ ହାତରୁ ଆଇସିସି ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାର ଶୀର୍ଷ ସ୍ଥାନ ଖସି ଯାଇଛି।

ଲର୍ଡସରେ ଉଭୟ ପାଳିରେ କୋହଲି ମାତ୍ର ୪୦ (୨୩, ୧୭) ରନ୍‌ କରିବା ପରେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୮ ଦିନ ପରେ ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। କୋହଲି ୯୩୪ରୁ ୯୧୯ ପଏଣ୍ଟ୍‌କୁ ଖସି ଯାଇଛନ୍ତି।

ଫଳରେ କୌଣସି ମ୍ୟାଚ୍‌ ନ ଖେଳି ସ୍ମିଥ୍‌ ଶୀର୍ଷକୁ ଉଠିବାର ସୁଯୋଗ ପାଇଛନ୍ତି। ବଲ୍‌ ବିକୃତ ବିବାଦ ପାଇଁ ବର୍ଷକର ବାସନ୍ଦାଦେଶ ଭୋଗୁଥିବା ସ୍ମିଥ୍‌ ୯୨୯ ପଏଣ୍ଟ୍‌ରେ ସ୍ଥିର ଅଛନ୍ତି।

ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ (୮୫୧), ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୮୪୭) ଏବଂ ଡେଭିଡ୍‌ ଓ୍ଵାର୍ନର (୮୨୦) ପରବର୍ତି ୩ ସ୍ଥାନରେ ରହିଛନ୍ତି। ଲର୍ଡସ୍‌ ଟେଷ୍ଟ୍‌ର ଉଭୟ ପାଳିରେ ଭାରତର ସର୍ବୋଚ୍ଚ ସ୍କୋରର ହୋଇଥିବା ରବିଚନ୍ଦ୍ରନ୍‌ ଅଶ୍ୱିନ (୨୯, ୩୩*) ବ୍ୟାଟ୍ସମ୍ୟାନ୍‌ ତାଲିକାରେ ୬୭ରୁ ୫୭କୁ ଲମ୍ଫ ମାରିଛନ୍ତି।

ଅଲରାଉଣ୍ଡର ତାଲିକାରେ ଦକ୍ଷିଣ ଆଫ୍ରିକାର ଭର୍ନାନ ଫିଲାଣ୍ଡରଙ୍କୁ ପଛରେ ପକାଇ ଅଶ୍ୱିନ ତୃତୀୟ ସ୍ଥାନ ଅଧିକାର କରି ନେଇଛନ୍ତି। ଲର୍ଡସରେ ୯ ଓ୍ଵିକେଟ୍‌ ନେଇଥିବା ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ଇଂଲଣ୍ଡର ସପ୍ତମ ଏବଂ ଗତ ୩୮ ବର୍ଷ ମଧ୍ୟରେ ପ୍ରଥମ ବୋଲର ଭାବେ ୯୦୦ ପଏଣ୍ଟ ଛୁଇଁଛନ୍ତି। ବୋଲର ତାଲିକାରେ ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା ପ୍ରଥମରେ ଥିଲା ବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବୋଲରଙ୍କ ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ୭୪ତମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଅଲ୍‍ରାଉଣ୍ଡର କ୍ରିସ୍‍ ୱକ୍‍ସ ଲର୍ଡସ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ଯୋଗୁଁ ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ତାଲିକାରେ ୩୪ଟି ସ୍ଥାନର ଉନ୍ନତି ଘଟାଇ ୫୦ତମ ସ୍ଥାନରେ ପହଞ୍ଚିଛନ୍ତି। ପୁଣି ବୋଲିଂ ମାନ୍ୟତାରେ ୱକ୍‍ସ ୩୨ତମ ସ୍ଥାନରେ ପହଞ୍ଚିଥିବା ବେଳେ ଅଲ୍‍ରାଉଣ୍ଡର ମାନ୍ୟତାରେ ୫ଟି ସ୍ଥାନର ଉନ୍ନତି ଘଟାଇ ୱକ୍‍ସ ୭ମ ସ୍ଥାନରେ ପହଞ୍ଚିଛନ୍ତି।

Comment