ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ଉପସଭାପତି ନିର୍ବାଚନରେ ଶାସକ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶଙ୍କ ବିଜୟ ପରେ ଦେଶର ରାଜନୀତିରେ ଏକ ନୂଆ ସମୀକରଣ ସ୍ଥାନ ନେବାରେ ଲାଗିଛି। ବିଜେପି ପାଇଁ ଏହି ନିର୍ବାଚନ ଏତେ ମାନେ ରଖିଥିଲା ଯେ ଯେଉଁ ଦଳଗୁଡ଼ିକ ଏଥିରେ ସମର୍ଥନ ଜଣାଇଥିଲେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ବିଜେପି ଆଦୌ ପଛେଇବ ନାହିଁ।

ରାଜ୍ୟସଭା ନିର୍ବାଚନରେ ଜିତାପଟ ପୂର୍ବରୁ ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆସିଥିଲା ସେଥିରୁ ମଧ୍ୟ ସରକାର ବର୍ତ୍ତି ଯାଇଥିଲେ। ଆଉ ଏହି ଦୁଇଟି ଯାକ ପରିସ୍ଥିତିରେ ମୋଦି ସରକାର ବିଜେଡ଼ି ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ଠାରୁ ଢ଼େର ପରିମାଣରେ ସାହାଯ୍ୟ ପାଇଥିଲେ। ବିଜେପିର ବରିଷ୍ଠ ନେତା ମାନୁଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ବେଳେ ଏହି ଦୁଇ ଦଳ ଗୃହରେ ଅନୁପସ୍ଥିତ ରହିନଥିଲେ ଓ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିଲେ ପରିସ୍ଥିତି ଖୁବ୍ କଷ୍ଟକର ହୋଇଥାନ୍ତା।

ବର୍ତ୍ତମାନ ପ୍ରଶ୍ନ ହେଉଛି ଆଗକୁ ଓଡ଼ିଶା ଓ ତେଲେଙ୍ଗାନାରେ ବିଜେପିର ରଣନୀତି କ’ଣ ହେବ? ଏ ଦୁଇ ରାଜ୍ୟରେ ବିଜେଡି ଓ ଟିଆରଏସକୁ ଟକ୍କର ଦେବା ସମ୍ଭବ ନୁହେଁ। ବିଜେପିର ଗୋଟିଏ ସୂତ୍ର କହୁଛି ଯେ ଏହି ଦୁଇଟି ରାଜ୍ୟରେ ପଶିବା ପାଇଁ ବିଜେପି ନିଶ୍ଚିତରେ ଚାହିଁବ କିନ୍ତୁ ତାର ରଣନୀତି ଆଗ ଅପେକ୍ଷା ନରମ ହୋଇପାରେ।

୨୦୧୯ରେ ବିଜେଡି ଓ ଟିଆରଏସ ବିରୋଧରେ ବିଜେପି ‘ଯୁଦ୍ଧମ୍ ଦେହି’ ଡାକରା ଦେବ ନାହିଁ। ବିଜେପିର ଏହି ମନ ପରିବର୍ତ୍ତନ ପଛରେ ଦୁଇଟି କାରଣ ରହିଛି। ପ୍ରଥମ ଓ ସବୁଠୁ ବଡ଼ କାରଣ ଉଭୟ ଗୃହରେ ମୋଦି ସରକାର ଯେଉଁ ଆଖିବୁଜା ସମର୍ଥନ ପାଇଥିଲେ। ଦ୍ୱିତୀୟ କାରଣ ହେଉଛି ବିଜେଡି ଓ ଟିଆରଏସ ଅନ୍ୟ କୌଣସି ବିରୋଧୀ ମେଣ୍ଟରେ ନାହାନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ବରାବର ମିଳିତ ବିରୋଧୀ ଦଳ ପାଖରୁ ନିଜକୁ ଦୂରେଇ ରଖିଛନ୍ତି। ସେହିଭଳି ଟିଆରଏସ ସୁପ୍ରିମୋ ଚନ୍ଦ୍ରଶେଖର ରାଓ ସଂକେତ ଦେଇଛନ୍ତି ଯେ ସେ କୌଣସି ବିରୋଧୀ ମେଣ୍ଟରେ ଯୋଗ ଦେବାପାଇଁ ବାଧ୍ୟ ନୁହଁନ୍ତି। ଏଣୁ ବିଜେପି ଚାହୁଁଛି ଯଦି ଏହି ଦୁଇ ଦଳ ଏନଡିଏ ମେଣ୍ଟରେ ଯୋଗ ନଦେଇ ବାହାରୁ ସମର୍ଥନ କରିଛନ୍ତି ତା ବି ଭଲ। ଯଦି ଲୋକସଭା ନିର୍ବାଚନ ପରେ ସମର୍ଥନ ଦରକାର ହୁଏ ଏହି ଦୁଇ ଦଳ ଉପରେ ଭରସା କରାଯାଇ ପାରେ ବୋଲି ବିଜେପିର ମତ।

ଜଣେ ବିଜେପି ନେତାଙ୍କ କହିବା ଅନୁଯାୟୀ ବିଜେଡି ଓ ଟିଆରଏସ ଯେଉଁ ସମର୍ଥନର ହାତ ବଢ଼ାଇଲେ ତା ପଛରେ ସେମାନଙ୍କର ଭବିଷ୍ୟତ ଗଣନା ବି ଗୋଟିଏ ବଡ଼ କାରଣ ଥିଲା। ନବୀନଙ୍କ କ୍ଷେତ୍ରରେ ସୁବିଧା ଏହା ଯେ ୨୦୦୦ ମସିହାରୁ ସେ ଓଡ଼ିଶାରେ କ୍ଷମତାରେ ରହି ଆସିଛନ୍ତି ଓ ଅତୀତରେ ବିଜେପି ସହ ମେଣ୍ଟ ବି କରିଥିଲେ।

ଦିଲ୍ଲୀ ମହଲରେ ଗୋଟିଏ ମତ ପ୍ରକାଶ ପାଇଛି ଯେ ବିଜେଡି ଓ ବିଜେପି ଭିତରେ ଯେଉଁ ନୂଆ ଭାବ-ସମ୍ପର୍କ ସୃଷ୍ଟି ହୋଇଛି ତାହା ଆଗକୁ ମଧ୍ୟ ଦେଖାଯିବ। ଆଉ ୬ ମାସ ପରେ ଯେତେବେଳେ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବ ହୁଏତ ଦେଖାଯିବ ଯେ ବିଜେଡି ବିରୋଧରେ ପ୍ରଚାର ଅଭିଯାନ ଏତେ ଜୋରଦାର ହେଉନାହିଁ। ଏହା ହିଁ ନବୀନଙ୍କୁ ନିର୍ବାଚନ ଜିତିବାରେ ସାହାଯ୍ୟ କରିବ।

ବିଜେପିର ତୁଙ୍ଗ ନେତାମାନେ ଚିନ୍ତା କରି ଦେଖିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ଲୋକସଭାରେ ଦଳର ସଂଖ୍ୟା ହ୍ରାସ ପାଉଛି ତେବେ ଅଣ-ଏନଡିଏ ଦଳଗୁଡ଼ିକ କାମରେ ଆସିପାରନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ତେଲେଙ୍ଗାନା ରାଜନୀତିରେ ଚନ୍ଦ୍ରଶେଖର ରାଓଙ୍କ ଦବଦବା ଜୋର କାରଣ ସେଠି ବିରୋଧୀ ଦଳର କୌଣସି ପ୍ରଭାବ ନାହିଁ।

୨୦୧୪ରେ ଟିଆରଏସ ୧୭ ଲୋକସଭା ଆସନ ମଧରୁ ୧୧ଟି ଜିତିଥିବା ବେଳେ ବିଧାନସଭା ନିର୍ବାଚନକୁ ପୋଛି ନେଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ବର୍ଷ ଓଡ଼ିଶା ଓ ତେଲେଙ୍ଗାନାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ହେବ। ଟିଆରଏସ୍ ଏବେଠାରୁ କହିସାରିଲେଣି ଯେ ୨୦୧୯ରେ ବିଜେପି ସହିତ ନିର୍ବାଚନ -ପରବର୍ତ୍ତୀ ମେଣ୍ଟ ପାଇଁ ପ୍ରସ୍ତୁତ। ଉଭୟ କ୍ଷେତ୍ରୀୟ ନେତା ମଧ୍ୟ ଚିନ୍ତା କରି ଦେଖିଛନ୍ତି ଯେ ବିଜେପି ସହିତ ଭଲ ସମ୍ପର୍କ ରଖିଲେ ନିଜ ନିଜ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିବା ସହଜସାଧ୍ୟ ହେବ।

Comment