ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ।

ପୂର୍ବତନ ପ୍ରଧାନମନ୍ତ୍ରୀ ନେତା ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କ ୯୩ବର୍ଷ ବୟସ ହୋଇଥିଲା। ଗୁରୁବାରଦିନ ସନ୍ଧ୍ୟା ୫.୫ ମିନିଟରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ।

କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରାଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ବାଜପେୟୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ବୁଧବାର ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାର ଗୁରୁତର ଅବନତି ଦେଖା ଦେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

୯୩ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ବାଜପେୟୀ ଡିମେନସିୟା ନାମକ ଏକ ରୋଗରେ ପୀଡ଼ିତ ଥିଲେ। ୨୦୦୯ ମସିହାଠାରୁ ସେ ହ୍ୱିଲ ଚେୟାରରେ ଥିଲେ।

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସ ରଚିଛନ୍ତି।

ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ବାଜପେୟୀ ଜଣେ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା ଥିଲେ। ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ।

ବାଜପେୟୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ରାଜନେତା। ଦେଶ ଜଣେ ପ୍ରବୀଣ ରାଜନୈତିକ ନେତାଙ୍କୁ ହରାଇଲା ବୋଲି ସେମାନେ ନିଜ ଶୋକ ବାର୍ତ୍ତାରେ କହିଛନ୍ତି।

Comment