ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦେହାନ୍ତ ଆଜି ସନ୍ଧ୍ୟା ୫ଟା୫ ମିନିଟରେ ହୋଇଛି। ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିମାନେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ୭ ଦିନଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି।

ବାଜପେୟୀଙ୍କ ମରଶରୀରକୁ ଏମ୍‌ସ ହସ୍ପିଟାଲରୁ କୃଷ୍ଣା ମେନନ୍ ମାର୍ଗସ୍ଥିତ ବାସଭବନକୁ ନିଆଯାଇଛି। ରାତି ସାରା ମର ଶରୀରକୁ ବାସଭବନରେ ରଖାଯାଯିବ। ଶୁକ୍ରବାର ସକାଳ ସାଢ଼େ ୯ଟାରେ ବିଜେପି ପାର୍ଟି ଅଫିସକୁ ବାଜପେୟୀଙ୍କ ପାର୍ଥିକ ଶରୀରକୁ ନିଆଯିବ। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିବା ପରେ ଦିନ ସାଢ଼େ ୧ଟାରେ ଶୋଭାଯାତ୍ରା ଆରମ୍ଭ ହେବ। ସ୍ମୃତିସ୍ଥଳ ନିକଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ବାଜପେୟୀ ୫ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଥିଲେ। ୧୯୫୨ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ। ହେଲେ ୧୯୫୭ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ। ୧୯୭୭ରେ ସେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ହେବା ସହ ୧୯୯୬ରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୯୮ରେ ବାଜପେୟୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ସୌଭାଗ୍ୟ ଅର୍ଜନ କରିଥିଲେ। ହେଲେ ଏହି ସରକାର ୧୩ ମାସରେ ଭାଙ୍ଗି ଯାଇଥିଲା। ୧୯୯୯ରେ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୪ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ରହିଥିଲେ।

 

Comment