ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ବିଜେପି ନେତାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ପହଞ୍ଚି ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବରିଷ୍ଠ ନେତା ଏବଂ ବିରୋଧୀ ଦଳ ନେତାମାନେ ଶୋକ ପ୍ରକାଶ କରିଛନ୍ତି।

ମୁଁ ନିଶବ୍ଦ ଏବଂ ଶୂନ୍ୟ: ମୋଦି

ବାଜପେୟୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍ କରି କହିଛନ୍ତି ଯେ ଆମ ସମସ୍ତଙ୍କର ପ୍ରିୟ ଅଟଳ ଜୀ ଆଉ ନାହାନ୍ତି। ସେ ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ତାଙ୍କ ଦେହାନ୍ତ ଏକ ଯୁଗର ଅବସାନ। ଅଟଳ ଜୀଙ୍କ ପ୍ରେରଣା, ମାର୍ଗଦର୍ଶନରେ ବିଜେପି କର୍ମକର୍ତ୍ତାମାନେ ପରିଚାଳିତ ହେବେ।

ଜଣେ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲା ଭାରତ: ରାଷ୍ଟ୍ରପତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜୟେପୀଙ୍କ ଦେହାନ୍ତ ଖବର ପାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଭାରତ ଜଣେ ରାଷ୍ଟ୍ରନୀତିଜ୍ଞଙ୍କୁ ହରାଇଲା। ବାଜପେୟୀଙ୍କ ନେତୃତ୍ୱ, ଦୂରଦୃଷ୍ଟି ଏବଂ ଉଦାରବାଦ ସବୁବେଳେ ମନେରହିବ।

କବିତାରେ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହ

ବିଜେପି ରାଷ୍ଟିୟ ସଭାପତି ଅମିତ ଶାହ ବାଜପେୟୀଙ୍କର ଏକ ଲୋକପ୍ରିୟ କବିତା ପୋଷ୍ଟ କରି ଏହି ମହାନ ଜନନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅସ୍ତ୍ରୋପଚାର ପାଇଁ ବାଜପେୟୀ ୧୯୮୮ରେ ଆମେରିକା ଯାଇଥିଲେ। ଏହି ସମୟରେ ସେ ଏକ କବିତା ଲେଖିଥିଲେ। ଆଜି ଏହି କବାତାକୁ ଅମିତ ଶାହ ମନେପକାଇ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ମହାନ ପ୍ରଧାନମନ୍ତ୍ରୀ ଥିଲେ: ଡକ୍ଟର ମନମୋହନ ସିଂ

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ବାଜପେୟୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବାଜପେୟୀ ସବୁ କ୍ଷେତ୍ରରେ ପାରଙ୍ଗମ ଥିଲେ। ସେ ଯେମିତି ଭାଷଣ ଦେଉଥିଲେ ସେମିତି ଉଚ୍ଚକୋଟୀର କବିତା ଲେଖି ଲୋକଙ୍କ ମନକୁ ଛୁଉଁଥିଲେ। ସେ ଲୋକଙ୍କ ସେବା କରିବା ସହ ଜଣେ ମହାନ ପ୍ରଧାନମନ୍ତ୍ରୀ ଥିଲେ।

ବାଜପେୟୀ ଥିଲେ ଜଣେ ମହାନ ରାଜନେତା: ନବୀନ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଜପେୟୀ ଗୁରୁତର ଥିବା ଖବର ପାଇ ଆଜି ନୂଆଦିଲ୍ଲୀ ଯାଇଥିଲେ। ଦିଲ୍ଲୀ ଏମ୍‌ସରେ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ଦେହାନ୍ତ ଖବର ପାଇ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବାଜପେୟୀ ଭାରତୀୟ ରାଜନୀତିରେ ଜଣେ ଉତୁଙ୍ଗ ରାଜନେତା ଥିଲେ।

ଭାରତ ମାତା ଆଜି ମହାନ ପୁଅଙ୍କୁ ହରାଇଲା: ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବାଜପେୟୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଭାରତ ମାତା ଆଜି ଜଣେ ମହାନ ପୁଅଙ୍କୁ ହରାଇଛି। ଅଟ ବିହାରୀ ବାଜପେୟୀ କୋଟି କୋଟି ଜନତାଙ୍କ ହୃଦୟରେ ବସିଥିଲେ। ତାଙ୍କ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

Comment