ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛି ପୂରା ଦେଶ। କେବଳ ଭାରତରେ ନୁହେଁ ବିଦେଶରେ ବି ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି।

ସାର୍କ ଦେଶର ଅନେକ ନେତା ଶୁକ୍ରବାରଦିନ ଭାରତ ଆସି ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭୁଟାନର ରାଜା ଜିଗମେ ଖେଶର ନାମଗେଲ ୱାଙ୍ଗଚୁକ୍ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଥିବା ବାଜପେୟୀଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ନେପାଳର ବିଦେଶ ମନ୍ତ୍ରୀ ମଧ୍ୟ ବାଜପେୟୀଙ୍କୁ ଶେଷ ଦର୍ଶନ କରିଥିଲେ। ସେହିପରି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ମଧ୍ୟ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି।

ପାକିସ୍ତାନ ଓ ଶ୍ରୀଲଙ୍କାର ଅନେକ ନେତା ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିଛନ୍ତି।

ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ମରିସସରେ ଦିନିକିଆ ଶୋକ ପାଳନ କରାଯାଇଛି। ଶୁକ୍ରବାରଦିନ ଦେଶର ପତାକା ଅର୍ଦ୍ଧନିମିତ ରଖାଯାଇଛି।

ବାଜପେୟୀଙ୍କ ପରଲୋକରେ ବିଦେଶୀ ରାଷ୍ଟ୍ର ଆମେରିକା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ଏହାର ଶୋକ ବାର୍ତ୍ତାରେ କହିଛି ଯେ ଦୁଇଦେଶର ସମ୍ପର୍କରେ ଉନ୍ନତି ଆଣିବାରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ।

ବାଜପେୟୀ ଆମେରିକାକୁ ଭାରତର ପ୍ରକୃତ ସହଯୋଗୀ ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଦୂତାବାସ ପକ୍ଷରୁ ବାଜପେୟୀଙ୍କ ପରିବାର ଓ ଭାରତୀୟ ନାଗରିକଙ୍କୁ ଗଭୀର ସମବେଦନା ଜଣାଯାଇଛି।

Comment