ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଯୋଗ ଗୁରୁ ବାବା ରାମଦେବ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ସେ ବାଜପେୟୀଙ୍କୁ ‘ଉଦାରବାଦୀ’ ନେତା କହିବା ସହ ତାଙ୍କ ସ୍ଥାନ ରାଜନୀତିରୁ ଊର୍ଦ୍ଧ୍ୱରେ ବୋଲି କହିଥିଲେ।

“ଅଟଳ ବିହାରୀ ବାଜପେୟୀ ଥିଲେ ଅଜାତଶତ୍ରୁ। ଭାରତୀୟ ରାଜନୀତିରେ ସେ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି। ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯୁଗ ଯୁଗ ଧରି ଲୋକଙ୍କ ମନରେ ରହିବେ। ସେ ଜଣେ ଗମ୍ଭୀର ଏବଂ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ। ସାରା ଦେଶ ତାଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି”, କହିଛନ୍ତି ବାବା ରାମଦେବ।

ଭାରତ ପରମାଣୁ ସମ୍ପନ୍ନ ଦେଶ ଭାବେ ଛିଡ଼ା ହେବା ପଛରେ ବାଜପେୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ସାରା ବି୍ଶ୍ୱକୁ ମୁକାବିଲା କରିବା ପାଇଁ ଆଜି ଯଦି ଭାରତ ଆଗକୁ ବଢ଼ୁଛି ତାହାଲେ ସେଥିପାଇଁ ମଧ୍ୟ ବାଜପେୟୀଙ୍କ ଅବଦାନ ରହିଥିଲା ବୋଲି କହିଛନ୍ତି ରାମଦେବ।

ଏହି ଅବସରରେ ରାମଦେବ ବାଜପେୟୀଙ୍କ ସହ ବିତାଇଥିବା କିଛି ଅଭୂଲା ମୁହୂର୍ତ୍ତ କଥା ବଖାଣିଥିଲେ।

“ମୁଁ ବାଜପେୟୀଙ୍କୁ ଯୋଗ ଶିଖାଉଥିଲି। ତାଙ୍କଠାରୁ ମଧ୍ୟ ମୁଁ କିଛି ଶିଖିବାର ସୁଯୋଗ ପାଇଛି। ଯୋଗ ଶିଖାଇବା ପରେ ବାଜପେୟୀ ଜୀ ମତେ କହୁଥିଲେ କ୍ଷୀର ପଇବାକୁ। କିନ୍ତୁ ମୁଁ ତାଙ୍କୁ ମଇଁଷୀ କ୍ଷୀର ପିଇବାକୁ ମନା କରୁଥିଲି। ହେଲେ ସେ ମତେ କହୁଥିଲେ ଯେ ଗୁରୁ ହୋଇ ଆପଣ ଗାଈ ଏବଂ ମଇଁଷୀ ଭିତରେ କାହିଁକି ଭେଦଭାବ କରୁଛନ୍ତି”, ରାମଦେବ ଏହା କହିଛନ୍ତି।

ବହୁ ଯୁଗର ପ୍ରତୀକ୍ଷା ପରେ ଅଟଳଜୀଙ୍କ ପରି ମହାପୁରୁଷଙ୍କର ଜନ୍ମ ହୋଇଥାଏ। ଏହା ସତ ଯେ ବାଜପେୟୀଙ୍କ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

Comment