ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଅପରାହ୍ଣ ୪ଟା ବେଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶବ ସତ୍କାର କରାଯିବ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଶାସକ-ବିରୋଧୀ ଏକାକାର ହୋଇଛନ୍ତି। ସଭିଏଁ ବିଶ୍ୱନେତାଙ୍କୁ ଶେଷଦର୍ଶନ କରି ଅର୍ପଣ କରିଛନ୍ତି ଭାବପୂର୍ଣ୍ଣ ଗଭୀର ଶ୍ରଦ୍ଧାଞ୍ଜଳି।

ଦୀନ ଦୟାଲ ମାର୍ଗସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିଛି ବାଜପେୟୀଙ୍କ ମୃତ ଶରୀର। ଦିନ ଗୋଟାଏ ବେଳୁ ବାଜପେୟୀଙ୍କ ଅନ୍ତିମ ଶୋଭାଯାତ୍ରା ବାହାରିବ। ବିଜେପି ମୁଖ୍ୟାଳୟରେ ସର୍ବସାଧାରଣ ବାଜପେୟୀଙ୍କୁ ଶେଷ ସମ୍ମାନ ପାଇଁ ରଖାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଲୋକସଭା ଅଧ୍ୟକ୍ଷା ସୁମ୍ରିତା ମହାଜନ ପ୍ରମୁଖ ଶେଷ ସମ୍ମାନ ଜଣାଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ରାଷ୍ଟ୍ରନେତାଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଲାଲ ବାହାଦୁର ଶାସ୍ତ୍ରୀଙ୍କ ବିଜୟ ଘାଟ ଏବଂ ଜବାହରଲାଲ୍‌ ନେହେରୁଙ୍କ ସ୍ମାରକୀ ଶାନ୍ତି ବନ ମଧ୍ୟରେ ଅବସ୍ଥିତ ସ୍ମୃତି ସ୍ଥଳ ଠାରେ ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ଦିଲ୍ଲୀ ପୁଲିସ ଜାତୀୟ ରାଜଧାନୀ ନିମନ୍ତେ ଟ୍ରାଫିକ୍‌ ଆଡ୍‌ଭାଇଜରି ଜାରି କରିଛି।

ସୁରୁଖୁରୁରେ ବାଜପେୟୀ ଅନ୍ତିମ ଯାତ୍ରା ସମାପନ କରିବା ନିମନ୍ତେ କୃଷ୍ଣ ମେନନ୍‌ ମାର୍ଗ, ଜନପଥ ଏବଂ ଇଣ୍ଡିଆ ଗେଟ୍‌ ସି-ହେକ୍ସାଗନ୍‌ ସମେତ କେନ୍ଦ୍ରୀୟ ଦିଲ୍ଲୀକୁ ପଡ଼ିଥିବା ପ୍ରାୟ ସମସ୍ତ ରାସ୍ତା ସକାଳ ୮ଟାଠାରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ବନ୍ଦ ରହିବ।

ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନ ୫ଟା ୫ ମିନିଟ୍‌ ସମୟରେ ଦିଲ୍ଲୀ ଏମ୍‌ସରେ ପରଲୋକ ଘଟିଛି। ୯ ସପ୍ତାହ ଧରି ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହେଉଥିଲେ ବାଜପେୟୀ। ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା। ଗତ ଜୁନ୍ ୧୧ ତାରିଖରେ ବାଜପେୟୀଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ବାଜପେୟୀଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।  ସମସ୍ତ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକାକୁ ଅର୍ଦ୍ଧନମିତ ରଖାଯିବ। ୭ ଦିନ ପର୍ଯ୍ୟନ୍ତ କୌଣସି ସରକାରୀ ଉତ୍ସବ ପାଳନ ହେବନି।

ସେହିପରି ଆଜି ଓଡ଼ିଶାରେ ସବୁ ସ୍କୁଲ ଓ କଲେଜ ସହ ସମସ୍ତ ସରକାରୀ ଅଫିସ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାରଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ସମେତ ୧୧ଟି ରାଜ୍ୟରେ ଆଜି ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।  ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ହରିୟାଣା, ତାମିଲନାଡ଼ୁ  ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଛୁଟି ଘୋଷଣା କରାଯାଇଛି।

Comment