ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ ସହରରେ ଏହି କ୍ରୀଡ଼ା ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ଚାଲିବ। ୪୦ଟି କ୍ରୀଡ଼ାରେ ୪୫ଟି ଦେଶରୁ ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍‍ ଏହି କ୍ରୀଡ଼ାରେ ଭାଗନେବାକୁ ଯାଉଛନ୍ତି। 

  • ଇଣ୍ଡୋନେସିଆରେ ଆଜିଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା।
  • ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ ସହରରେ ଏହି କ୍ରୀଡ଼ା ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ଚାଲିବ।
  • ଆଜିଠାରୁ ଆରମ୍ଭ ହେଉଛି ୧୮ଶ ଏସୀୟ କ୍ରୀଡ଼ା
  • ଏହି କ୍ରୀଡ଼ା ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ଚାଲିବ
  • ୪୦ଟି କ୍ରୀଡ଼ାରେ ୪୫ଟି ଦେଶରୁ ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍‍ ଏହି କ୍ରୀଡ଼ାରେ ଭାଗ ନେବେ
  • ଭାରତର ୫୭୧ ଜଣ ଖେଳାଳି ଏହି କ୍ରୀଡ଼ାରେ ଭାଗ ନେଉଛନ୍ତି
  • ଏସୀୟ କ୍ରୀଡ଼ାରେ ୧୨ ଜଣ ଓଡ଼ିଆ କ୍ରୀଡ଼ାବିତ୍‍ ଭାଗ ନେଉଛନ୍ତି

ପ୍ରଥମଥର ପାଇଁ ୨୦୧୮ ଏସୀୟ କ୍ରୀଡ଼ାରେ ପ୍ରତିଯୋଗିତା ଜାକର୍ତ୍ତା ଓ ସୁମାତ୍ରା ପ୍ରଦେଶର ପାଲେମ୍‍ବାଙ୍ଗ୍‍ର ମୋଟ ୧୫ଟି ଷ୍ଟାଡିୟମ୍‍ରେ ଅନୁଷ୍ଠିତ ହେବ। ଏଥର ଏସିଆର କ୍ରୀଡ଼ା ସୁପରପାୱର ଚୀନ୍‍ ଏବଂ ପ୍ରଥମଥର ପାଇଁ ମିଳିତ ଭାବେ ଭାଗ ନେଉଥିବା କୋରିଆ ମଧ୍ୟରେ ପଦକ ତାଲିକାର ପ୍ରଥମସ୍ଥାନରେ ରହିବା ପାଇଁ ମୁକାବିଲା ହେବ। ଭାରତ ମଧ୍ୟ ପଦକ ତାଲିକାର ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିବାର ସମ୍ଭାବନା ରହିଛି।

ଭାରତର ୫୭୧ ଜଣିଆ ଶକ୍ତିଶାଳୀ ଦଳ ଏଥର ଏସୀୟ କ୍ରୀଡ଼ାରେ ଭାଗନେଉଛି। ସେମାନଙ୍କ ମଧ୍ୟରେ ୩୧୨ ପୁରୁଷ କ୍ରୀଡ଼ାବିତ୍‍ ଥିବା ବେଳେ ୨୫୯ ମହିଳା ରହିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‍ଙ୍କ ସଫଳତା ପରେ ୧୬ ଦିନ ଧରି ଚାଲିବାକୁ ଥିବା ଏସୀୟ କ୍ରୀଡ଼ାରେ ସେମାନଙ୍କଠାରୁ ଦେଶ ବହୁତ ଆଶାରଖିଛି।

୨ଟି ଅଲିମ୍ପିକ୍‍ ପଦକ ବିଜେତା ସୁଶୀଲ କୁମାରଙ୍କ ସହ ୧୬ ବର୍ଷ ବୟସ୍କା ମାନୁ ଭାକେରଙ୍କଠାରୁ ଭାରତ ସ୍ୱର୍ଣ୍ଣପଦକର ଆଶାରଖିଛି। ପୁଣି ୨୦ ବର୍ଷରୁ କମ୍‍ ବିଶ୍ୱ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଥିବା ସ୍ପ୍ରିଣ୍ଟର ହିମା ଦାସ ଓ ଜୁନିୟର ବିଶ୍ୱ ଚମ୍ପିଆନ୍‍ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ପାଇଁ ବଡ଼ ଦାବିଦାର।

ତେବେ ସୁଟିଂ, ବକ୍ସିଂ ଓ କୁସ୍ତିରେ ଭାରତ ସର୍ବାଧିକ ଜିତିବାର ଆଶାରହିଛି। ବକ୍ସିଂରେ ବିକାଶ କୃଷ୍ଣନ୍‍, ଶିବ ଥାପ୍ପା ଓ ଗୌରବ ସୋଲାଙ୍କିଙ୍କ ପରି କ୍ରୀଡ଼ାବିତ୍‍ ଥିବା ବେଳେ ସରଜୁବାଳା ଦେବୀ ମଧ୍ୟ ଦେଶକୁ ପଦକ ଦେଇପାରନ୍ତି।

ସୁଟିଂରେ ମାନବଜିତ ସାନ୍ଧୁ, ମାନୁ ଭାକେର, ହିନା ସିଦ୍ଧୁଙ୍କ ପରି ପ୍ରଥିତଯଶା କ୍ରୀଡ଼ାବିତ୍‍ ରହିଛନ୍ତି। ଏସୀୟ କ୍ରୀଡ଼ା ଇତିହାସରେ ଦୌଡ଼କୁଦ ଭାରତ ପାଇଁ ସବୁଠାରୁ ସ୍ୱର୍ଣ୍ଣପ୍ରସୂ ପ୍ରମାଣିତ ହୋଇଥିବା ବେଳେ ଏଥର ମଧ୍ୟ ଟ୍ରାକ୍‍ ଏଣ୍ଡ୍‍ ଫିଲ୍‍ଡରୁ ଭାରତ ଅଧିକ ପଦକର ଆଶାରଖିଛି।

ଏଥର ଭାରତୀୟ ବ୍ୟାଡ୍‍ମିଣ୍ଟନ ଦଳ ବେଶ୍‍ ଶକ୍ତିଶାଳୀ ଥିବାରୁ ଏକାଧିକ ପଦକ ଜିତିବା ନିଶ୍ଚିତ। ପିଭି ସିନ୍ଧୁ, ସାଇନା ନେହୱାଲ, କେ ଶ୍ରୀକାନ୍ତ ଓ ଏଚ୍‍ଏସ୍‍ ପ୍ରଣୟ ପଦକ ଜିତିପାରନ୍ତି। ପୁଣି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଥିବାରୁ ଉଭୟ ଦଳଙ୍କଠାରୁ ସ୍ୱର୍ଣ୍ଣର ଆଶା ରଖିଛନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ। ଟେବୁଲ ଟେନିସରେ ମାନିକା ବାତ୍ରା ଓ ଏ ଶରତ କମଲଙ୍କଠାରୁ ଭାରତ ପଦକର ଆଶାରଖିଛି। ଜିମ୍‍ନାଷ୍ଟିକ୍ସରେ ଦୀପା କର୍ମକାର ପଦକର ବଡ଼ ଦାବିଦାର।

ଏଥର ଏସୀୟ କ୍ରୀଡ଼ାରେ ୧୨ ଜଣ ଓଡ଼ିଆ କ୍ରୀଡ଼ାବିତ୍‍ ଭାଗ ନେଉଛନ୍ତି। ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବା ବେଳେ ମହିଳା ହକି ଦଳରେ ଦୀପ୍‍ ଗ୍ରେସ୍‍ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ୍‍ ରହିଛନ୍ତି। ରୋଇଂରେ ସଂଯୁକ୍ତା ଡୁଙ୍ଗ୍‍ଡୁଙ୍ଗ୍‍, ଜିମ୍ନାଷ୍ଟିକ୍‍ସରେ ରାକେଶ ପାତ୍ର, ବ୍ୟାଡ୍‍ମିଣ୍ଟନରେ ଋତୁପର୍ଣ୍ଣା ପଣ୍ଡା ରହିଥିବା ବେଳେ ଆଥ୍‍ଲେଟିକ୍ସରେ ଦୁତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍‍ ଓ ଜଉନା ମୁର୍ମୁ ରହିଛନ୍ତି। ଦୁତି ପଦକ ଜିତିବା ଲାଗି ପ୍ରବଳ ଦାବିଦାର।

Comment