ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ଆଜି ଟ୍ରେଣ୍ଟ ବ୍ରିଜ୍‌ର ନଟିଂହାମ ପଡ଼ିଆକୁ ଓହ୍ଲାଇବ। ୫ଟିକିଆ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ପାଇଁ କମ୍‌-ବ୍ୟାକ୍‌ କରିବାର ଏହା ଶେଷ ସୁଯୋଗ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇ ଟେଷ୍ଟ୍‍ରେ ଦୟନୀୟ ପରାଜୟ ପରେ ଏବେ ଶୃଙ୍ଖଳାରେ ବଞ୍ଚି ରହିବାକୁ ସଂଘର୍ଷ କରୁଛି ଭାରତୀୟ କ୍ରିକେଟ୍‌ ଦଳ। ଆଜିଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‍ ଏବେ ଭାରତ ପାଇଁ ‘କର ବା ମର’ ହୋଇଯାଇଛି।

ନଟିଂହାମ୍‌ର ଟର୍ଣ୍ଣିଂ ପିଚ୍‌ରେ ଭାରତ ମଧ୍ୟ ନିଜ ଭାଗ୍ୟକୁ ବଦଳାଇବାକୁ ପୂରା ଦମ୍‌ ଲଗାଇବ।  ଯଦି ଏହି ମ୍ୟାଚ୍‌ରେ ଭାରତ ହାରିଯାଏ, ତା’ହେଲେ ଦଳର ହାତରୁ ସିରିଜ୍‌ ଚାଲିଯିବ। ତେଣୁ ବିରାଟ୍‌ ଆଣ୍ଡ କୋ ଏଥିପାଇଁ ବେଶ ଚାପରେ ରହିବେ।

ଏଜ୍‌ବାଷ୍ଟନ୍‌ରେ ୩୧ ରନ୍‌ରେ ହାରିଥିବା ଭାରତ ଗତ ରବିବାର ଲର୍ଡସରେ ପାଳି ଓ ୧୫୯ ରନ୍‌ରେ ହାରିଥିଲା। ମାତ୍ର ସାଢ଼େ ୫ ଦିନର କ୍ରିକେଟ୍‌ ଖେଳି କୋହଲିଙ୍କ ଦଳ ଏବେ ୦-୨ରେ ପଛରେ ପଡ଼ିଯାଇଛି।

ଏହି ଟେଷ୍ଟରେ  ୨୦ ବର୍ଷୀୟ ଯୁବ ଓ୍ଵିକେଟ୍‌ରକ୍ଷକ ଋଷବ ପନ୍ତଙ୍କ ଖେଳିପାରନ୍ତି। ଦୀନେଶ କାର୍ତ୍ତିକଙ୍କ ନୈରାଶ୍ୟଜନକ ଫର୍ମ (୦, ୨୦, ୧, ୦) କାରଣରୁ ଏହି ଯୁବ ତାରକାଙ୍କୁ ପଦାର୍ପଣ ସୁଯୋଗ ମିଳିବାକୁ ଯାଉଛି। ନେଟ୍‌ସରେ ପନ୍ତଙ୍କୁ କାର୍ତ୍ତିକ କ୍ୟାଚିଂ ଅଭ୍ୟାସ କରାଉଥିବା ଦେଖିବାକୁ ମିଳିଛି। ଏହି ଦିଲ୍ଲୀ ଓ୍ଵିକେଟ୍‌ରକ୍ଷକ ମଧ୍ୟ ନେଟ୍‌ସରେ ଢେର ବ୍ୟାଟିଂ କରିଛନ୍ତି।

ନଟିଂହାମ୍‌ ଉଭୟ ପେସ୍‌ ଓ ସ୍ପିନ୍‌ ବୋଲରଙ୍କୁ ସୁହାଉଥିବାରୁ ଦ୍ୱିତୀୟ ଟେଷ୍ଟ୍‌ ଭଳି ଟିମ୍‌ ଇଣ୍ଡିଆ ଏଥର ଦୁଇ ଜଣ ସ୍ପିନର୍‌ଙ୍କୁ ନେଇ ମଇଦାନକୁ ଓହ୍ଲାଇବ। ଦ୍ୱିତୀୟ ଟେଷ୍ଟରେ ନିରାଶ କରିଥିବା ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ଟିମ୍‌ ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟ ଚିନ୍ତା କରୁଛି। ଭାରତ ପାଇଁ ସବୁଠୁ ଭଲ ଖବର ହେଉଛି ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମରାଙ୍କ ଫିଟ୍‌ନେସ୍‌। ସେ ଖେଳିଲେ ପେସ ବିଭାଗ ଆହୁରି ଶକ୍ତିଶାଳୀ ହୋଇଯିବ। ତାଙ୍କ ସହ ଟିମ୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ସ୍ପିନ୍‌ ଆକ୍ରମଣ ସମ୍ଭାଳିବେ।

ତେବେ ଟିମ୍‌ ଇଣ୍ଡିଆର ଓପନିଂ ଯୋଡ଼ି ବାରମ୍ବାର ଫେଲ୍‌ ମାରିବା ଟିମ୍‌ ମ୍ୟାନେଜ୍‌ମେଣ୍ଟକୁ ଚିନ୍ତାରେ ପକାଇଛି।  ଦଳ ଆସନ୍ତାକାଲି ମ୍ୟାଚ୍‌ରେ ଲର୍ଡସ୍‌ ଟେଷ୍ଟରେ ବେଞ୍ଚରେ ବସିଥିବା ନିୟମିତ ଓପନର୍‌ ଶିଖର ଧୱନ୍‌ଙ୍କୁ ମୁରଲୀ ବିଜୟଙ୍କ  ସ୍ଥାନରେ ଖେଳାଇବାର ସମ୍ଭାବନା ରହିଛି।

ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଏବେ ସମ୍ପୂର୍ଣ୍ଣ ଚାପରେ। ଇଂଲିସ୍‌ ଖେଳାଳିଙ୍କ ଘେରାବନ୍ଦି ଭିତରେ ରହିଛନ୍ତି କହିଲେ ବି ଅତ୍ୟୁକ୍ତି ହେବନାହିଁ। ଟ୍ରେଣ୍ଟ୍‌ବ୍ରିଜ୍‌ରେ ଇତିହାସ କହୁଛି ସିମ୍‌ ବୋଲରଙ୍କୁ ସହାୟତା ମିଳିବ, ପିଚ୍‌ରେ ହାଲ୍‌କା ଘାସ ବି ରହିଛି। ଜେମ୍‌ସ ଆଣ୍ଡରସନ୍‌ ଏହି ପଡ଼ିଆରେ ଏକାକି ୬୦ ଓ୍ଵିକେଟ୍‌ ନେଇ ସାରିଛନ୍ତି ୧୮.୯୫ ହାରରେ।

ଆଜି ଭାରତୀୟ ସମୟ ଅପରାହ୍ନ ୩.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।

Comment