ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳ ଜଳପ୍ରଳୟରେ ଫସିରହିଛନ୍ତି ଅନେକ ଓଡ଼ିଆ। ସେମାନଙ୍କୁ ଉଦ୍ଧାର ପାଇଁ ଗଲା ସ୍ଵତନ୍ତ୍ର ଟିମ୍।
କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଲାଣି ୩୨୪ ଜଣଙ୍କ ଜୀବନ। ଏହି ଜଳପ୍ରଳୟରେ ଫସିରହିଛନ୍ତି ଅନେକ ଓଡ଼ିଆ। କେରଳର ମୋନାର ଅଞ୍ଚଳରେ ୧୪୦ ଜଣ ଓଡ଼ିଆ ଫସିଥିବାର ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଗଲା ୪ଣିଆ ସ୍ଵତନ୍ତ୍ର ଟିମ୍।
“କେରଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି। ସହକାରୀ ଶ୍ରମ କମିଶନରଙ୍କ ନେତୃତ୍ଵରେ ୪ ଜଣିଆ ସ୍ଵତନ୍ତ୍ର ଟିମ୍ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବ”, କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ।
ଏହାସହ ରିଲିଫ ଓ ଉଦ୍ଧାର କାମରେ ସହାୟତା କରିବାକୁ ଓଡ଼ିଶାରୁ ୨୪୫ ଜଣ ଅଗ୍ନିଶମ କର୍ମଚାରୀ କେରଳ ବାହାରିଛନ୍ତି। ୭୫ଟି ପାଓ୍ୱାର ବୋଟ୍ ମଧ୍ୟ ନିଆଯିବ। ଅଗ୍ନିଶମ ଡିଜି ବିକେ ଶର୍ମା ଏହି ଟିମ୍ର ନେୃତୃତ୍ଵ ନେଇଛନ୍ତି।
“କେରଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶାରୁ ଏକ ଟିମ୍ କେରଳ ଯାଇଛି। କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ସମ୍ପର୍କରେ ରହିଛୁ। ଆବଶ୍ୟକ ହେଲେ ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ଵତନ୍ତ୍ର ଗାଡ଼ି କେରଳ ପଠାଯିବ”, କହିଛନ୍ତି ଏସଆରସି।
କେରଳରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି। ଟୋଲ୍ ଫ୍ରି ହେଲ୍ପ ଲାଇନ୍ ନମ୍ବର ହେଉଛି ୧୦୭୦ ଏବଂ ଅନ୍ୟ ହେଲ୍ପ ଲାଇନ୍ ନମ୍ବର ରହିଛି ୦୬୭୪- ୨୫୩୪୧୭୭। ଏହି ହେଲ୍ପ ଲାଇନ ନମ୍ବରରେ ଫସିଥିବା ଲୋକଙ୍କ ସମ୍ପର୍କୀୟମାନେ ଯୋଗାଯୋଗ କରିପାରିବେ।

















