ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଲକାନଗିରି ଜିଲ୍ଲାରେ ପୁଣି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଖଇରପୁଟ ବ୍ଲକର ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ଗୋଜିଆଗୁଡ଼ା ଗ୍ରାମର ଝାଡାବାନ୍ତିରେ ଆକ୍ରାନ୍ତ ଲକ୍ଷଣ ପାଙ୍ଗିକୁ ଖଟିଆରେ ବୋହି ମେଡିକାଲ ନେଇଛନ୍ତି ଲୋକେ।
ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ପଞ୍ଚାୟତର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇ ରହିଥିଲା। ବର୍ତ୍ତମାନ ସେହି ଗ୍ରାମଗୁଡ଼ିକରେ ବିଭିନ୍ନ ରୋଗ ବ୍ୟାପିବା ଦେଖିବାକୁ ମିଳୁଛି। ଗୋବିନ୍ଦପାଲିଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଗୋଜିଆଗୁଡ଼ା ଗ୍ରାମ ସେଥି ମଧ୍ୟରୁ ଗୋଟିଏ।
ଏହି ଗ୍ରାମରେ ବସ ବାସ କରୁଥିବା ଅଧିକାଂଶ ଲୋକେ ଜ୍ୱର, ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମଳିଲାଣି। ଆଜି ସକାଳେ ଲକ୍ଷ୍ମଣ ପାଙ୍ଗି ନାମକ ଜଣେ ଯୁବକ ଗୁରୁତର ହେବାରୁ ତାଙ୍କୁ ଖଟିଆରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।
ଗାଁକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇଯାଇ ଥିବାରୁ ଗାଡ଼ି ଯାତାୟତ କରିପାରୁ ନାହିଁ। ଲୋକେ ଆଣ୍ଠୁଏ କାଦୁଅ ଭିତରେ ଯିବା ଆସିବା କରୁଛନ୍ତି। କିଛି ଦିନ ତଳେ ଉକ୍ତ ଗ୍ରାମରେ ସାପ କାମୁଡ଼ା ରୋଗୀକୁ ଖଟିଆରେ ମେଡିକାଲ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ରାସ୍ତା ମରାମତି ହୋଇନାହିଁ।
ଗାଡ଼ି ସୁବିଧା ନଥିବାରୁ ଏବଂ ଆମ୍ବୁଲାନ୍ସ ଆସି ନପାରିବାରୁ ଖଟିଆରେ ଆଜି ଲକ୍ଷ୍ମଣ ପାଙ୍ଗିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ରାସ୍ତା ଶୋଚନୀୟ ପାଇଁ ଠିକାଦାରଙ୍କ ମନମୁଖୀ କାମ ଓ ପ୍ରଶାସନର ନୀରବତାକୁ ଦାୟୀ କରିଛନ୍ତି ଗ୍ରାମବାସୀ।
ଗୋବିନ୍ଦପାଲି ପଞ୍ଚାୟତଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଗ୍ରାମର ଅବସ୍ଥା ଯଦି ଏଭଳି ତାହାଲେ ଜଙ୍ଗଲ ଭିତରେ ଥିବା ଗ୍ରାମଗୁଡ଼ିକର ଅବସ୍ଥା କେଉଁ ଭଳି ଥିବ ତାହା ସହଜରେ ଅନୁମାନ କରି ହେଉଛି।