ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେନାବ୍ ନଦୀରେ ବସ ଓଲଟି ୧୧ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ୯ଜଣ ଗୁରୁତର ଆହତ।

ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମଙ୍ଗଳବାରଦିନ ଏହି ଅଘଟଣ ଘଟିଛି। ମଶେଲ୍‌ ତୀର୍ଥଯାତ୍ରାରୁ ଫେରିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

ସୌଭାଗ୍ୟବଶତଃ ଜଣେ ୫ ବର୍ଷର ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଛି। ତେବେ ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ କେଉଁ ଅଞ୍ଚଳର ଏନେଇ କିଛି ଜଣାପଡ଼ିନି।

ଜାମ୍ମୁରୁ ୨୮କିଲୋମିଟର ଦୂରରେ ଥିବା କିଶତଓ୍ୱାଡ ନିକଟରେ ବସ ଭାରସ୍ୟାମ ହରାଇ ଚେନାବ ନଦୀରେ ପଡିଯାଇଥିଲା। ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ କିଶତଓ୍ୱାଡ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ସମସ୍ତ ମୃତ ଦେହକୁ ଉଦ୍ଧାର କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଗତକାଲି କୁଲ୍ଲିଗଡର ଡୋଡା-କିସ୍ତୱାର ରୋଡ୍‌ରେ ଏକ ଦୁର୍ଘଟଣାରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା।

Comment