ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ଓଡିଶାରୁ ଚିକିତ୍ସା ପାଇଁ ବିଶାଖାପାଟଣା ଆସୁଥିବା ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବିଶାଖାପାଟଣାର ପ୍ରବାସୀ ଓଡ଼ିଆ। ବିଶାଖାପାଟଣାରେ ବିନା ମୂଲ୍ୟରେ ରହିବା, ଖାଇବା ସହ ଆବଶ୍ୟକସ୍ଥଳେ ବିନା ମୂଲ୍ୟରେ ରକ୍ତ ଯୋଗାଇ ଦେବାପାଇଁ ଆଗେଇ ଆସିଛି ବିଶଖାପାଟଣାର ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ।
ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଆଜି ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ରକ୍ତଦାନ ଶିବିର ଉତ୍କଳ ସାଂସ୍କୃତିକ ସମାଜ ଓ ଲାଇଫ ସେର ବ୍ଲଡ଼ ବ୍ୟାଙ୍କ ଆନୁକୂଲ୍ୟରେ ସହରର ଦଶପଲ୍ଲା ହିଲ୍ସ ନିକଟସ୍ଥ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା।
ସଂଗଠନର ସଭାପତି ଜିତେନ୍ଦ୍ର କୁମାର ନାୟକ କହିଛନ୍ତି, “ସୁଦୂର ଓଡ଼ିଶାରୁ ପ୍ରତ୍ୟେକ ଦିନ ବହୁ ଗରିବ ଶ୍ରେଣୀର ରୋଗୀ ଚିକିତ୍ସା ପାଇଁ ବିଶାଖାପାଟଣାର ବିଭିନ୍ନ ଘରୋଇ ହସ୍ପିଟାଲକୁ ଆସୁଛନ୍ତି। ରକ୍ତ ଅଭାବରୁ ଚିକିତ୍ସାରେ ବିଳମ୍ବ ହେଉଛି। ବହୁ ରୋଗୀ ରକ୍ତ ଯୋଗାଡ଼ କରିବା ବେଳେ ବିଶାଖାପାଟଣାରେ ଠକେଇର ଶିକାର ଶିକାର ହେଉଛନ୍ତି। ଏଣୁ ଏସବୁ ଅସୁବିଧାକୁ ଦୃଷ୍ଟି ରଖି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।”
ସେ କହିଛନ୍ତି ଯେ ଓଡ଼ିଶାରୁ ଚିକିତ୍ସା ପାଇଁ ବିଶାଖାପାଟଣା ଆସୁଥିବା ରୋଗୀମାନେ ରକ୍ତ ଦରକାର ପଡ଼ିଲେ ସିଧାସଳଖ ଦଶପଲ୍ଲା ହିଲ୍ସ ନିକଟ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଲେ ସେମାନଙ୍କୁ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ବିନା ମୂଲ୍ୟରେ ରକ୍ତ ପ୍ରଦାନ କରାଯିବ।
ପ୍ରତି ବର୍ଷ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇ ବ୍ଲଡ଼ ବ୍ୟାଙ୍କରେ ରଖାଯାଉଛି। ଏହାସହ ଓଡ଼ିଶାର ରୋଗୀମାନଙ୍କୁ ଜଗନ୍ନାଥ ମନ୍ଦିରରେ ବିନା ମୂଲ୍ୟରେ ରହିବା ଓ ଖାଇବା ସୁବିଧା ପ୍ରଦାନ କରାଯିବ ବୋଲି ସଂଗଠନର ସଭାପତି ଶ୍ରୀ ନାୟକ କହିଛନ୍ତି।
ଆଜିର ଏହି ରକ୍ତଦାନ ଶିବିରରେ ଉତ୍କଳ ସାଂସ୍କୃତିକ ସମାଜର ବହୁ ପୁରୁଷ ଓ ମହିଳା ଯୋଗ ଦେଇ ରକ୍ତଦାନ କରିଥିଲେ। ଏହି ଶିବିରରେ ୧୦୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।


















