ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର କ୍ୟୋଟୋ ସହରରୁ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ପ୍ରଥମଥର ପାଇଁ ‘ଓଡ଼ିଶା ପରିବାର’ ନାମରେ ଏକ ନୂଆ ନିର୍ଦ୍ଦେଶାଳୟ ଖୋଲାଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଭାରତ ତଥା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ।

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟର ଗଠନ କରାଯିବ। ପ୍ରବାସୀ ଓଡ଼ିଆଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ।

ଏହି ନିର୍ଦ୍ଦେଶାଳୟ ମାଧ୍ୟମରେ ରାଜ୍ୟ ବାହାରେ ଓଡ଼ିଶାର ସଂସ୍କୃତି, କଳା, ସ୍ତାପତ୍ୟ, ଶିଳ୍ପ, ପର୍ଯ୍ୟଟନ ଆଦିର ପ୍ରଚାର ପ୍ରସାର କରାଯିବ। ଏହା ପ୍ରବାସୀ ଓଡ଼ିଆଙ୍କର ରାଜ୍ୟ ସରକାରଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ଏକ ଇଣ୍ଟରଫେସ ଭଳି କାମ କରିବ। ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ଏଠାରେ ତାଲିକାଭୁକ୍ତ କରାଯିବ।

ରବିବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

Tags: #OdishaCabinet #OdishaParivarDirectorate #PrabasiOdia #Odiadiaspora

Comment