ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ବ୍ରହ୍ମପୁର ସହରରେ ରିଂ ରୋଡ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆମ ହସ୍ପିଟାଲ ଯୋଜନା ଏବଂ ବଲାଙ୍ଗୀର ସଇଁତଳାରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ଆଉ ପାଦେ ଆଗେଇଛି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିସୁଳିଆ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଏଥିପାଇଁ ମୋଟା ୫୯୨୯.୩୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି କାର୍ଯ୍ୟକୁ ୪ ବର୍ଷ ମଧ୍ୟରେ ଶେଷ କରିବା ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି।

ସେହିପରି ବ୍ରହ୍ମପୁର ସହରରେ ଗମନାଗମନକୁ ଆହୁରି ସୁଦୃଢ଼ କରିବା ଲାଗି ବ୍ରହ୍ମପୁର ରିଂ ରୋଡ ନିର୍ମାଣ ଲାଗି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ପାଇଁ ୧୫୬.୫୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ଏହା ଦ୍ଵାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶ ପ୍ରକ୍ରିୟା ଆହୁରି ଆଗକୁ ବଢ଼ିବ।

ଏହା ସହିତ ଗଞ୍ଜାମରେ ଜଳସେଚନ ସୁବିଧା ପାଇଁ ବ୍ୟାରେଜ ନିର୍ମାଣ ହେବ। ଋଷିକୁଲ୍ୟା ନଦୀ ଉପରେ ଜାନିଭିଲି ବ୍ୟାରେଜ ନିର୍ମାଣ ସହ ଏହାର ରକ୍ଷଣାବେକ୍ଷଣ ଲାଗି ୮୭.୫୪ କୋଟି ଟଙ୍କା ବ୍ୟୟ ହେବ। ଏହି ପ୍ରକଳ୍ପ ଦ୍ଵାରା ୫୨,୬୭୫ ହେକ୍ଟର ଜମି ଜଳସେଚିତ ହେବା ସହ ବ୍ରହ୍ମପୁର ମହାନଗରକୁ ଦୈନନ୍ଦିନ ୬୭.୫ ମିଲିୟନ ଲିଟର ପାନୀୟ ଜଳ ଯୋଗାଣ ସୁବିଧା ହେବ।

ସେହିପରି ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ ସହ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଲାଗି ‘ଆମ ହସ୍ପିଟାଲ’ ଯୋଜନାର ପରିକଳ୍ପନା କରାଯାଇଛି। ଏହି ଯୋଜନାରେ ୫-ଟି ଅଧୀନରେ ସମସ୍ତ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୪୯ଟି ଡାକ୍ତରଖାନା ସୁଦୃଢ଼ କରାଯିବ। ପର୍ଯ୍ୟାୟ କ୍ରମେ ୧,୮୫୮ଟି ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ ହେବ। ଆମ ହସ୍ପିଟାଲ ଯୋଜନାରେ ୫ ବର୍ଷରେ ଖର୍ଚ୍ଚ ହେବ ୩୩୮୮.୭୩ କୋଟି ଟଙ୍କା।

ବଲାଙ୍ଗିରର ସଇଁତଳାରେ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩୦୭.୮୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ଵାରା ସଇଁତଳାର ୧୧୬ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହେବ। ଏହା ଦ୍ଵାରା ଉପକୃତ ହେବେ ୯୪,୫୫୦ରୁ ଅଧିକ ଲୋକ। ଆସନ୍ତା ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Tags: #odishacabinet #cabinetmeeting #cmodisha #naveenpatnaik #Proposalapproved #odisha

Comment