ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ
  • କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ
  • ବିକ୍ରମଙ୍କୁ ଅର୍ଥ ବିଭାଗ, ସୁଦାମଙ୍କୁ ଗଣଶିକ୍ଷା ଏବଂ ସାରଦାଙ୍କୁ ମିଳିଲା ଶ୍ରମ ବିଭାଗ

ଓଡ଼ିଶା ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୩ ଜଣ ନୂଆ ମନ୍ତ୍ରୀ। ସୋମବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ନୂଆ ମନ୍ତ୍ରୀ ହୋଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ରାଜ୍ୟ ଅର୍ଥ ବିଭାଗର ଦାୟିତ୍ଵ ମିଳିଛି। ସେହିପରି ସୁଦାମ ମାର୍ଣ୍ଡି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ସାରଦା ନାୟକଙ୍କୁ ଶ୍ରମ ବିଭାଗର ଦାୟିତ୍ଵ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରୀମାନଙ୍କୁ ଏହି ବିଭାଗଗୁଡ଼ିକର ଦାୟିତ୍ଵ ବାଣ୍ଟିଛନ୍ତି।

ସୋମବାର ମନ୍ତ୍ରୀ ଭାବେ ଶପଥ ନେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ବହୁତ ଲମ୍ବା। ସେ ୧୯୯୫ ମସିହାରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆସନରୁ ଲଗାତର ୬ ଥର ନିର୍ବାଚନ ଜିତି ଆସିଛନ୍ତି। ସେ ୨୦୦୯ ମସିହାରୁ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ରହିଥିଲେ। ୨୦୨୨ ମସିହା ଜୁନ ମାସରେ ସେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ। ଏହାପରେ ତାଙ୍କୁ ରାଜ୍ୟ ବିଧାନସଭାର ବାଚସ୍ପତି ନିଯୁକ୍ତ କରଯାଇଥିଲା। ଏବେ ବାଚସ୍ପତି ପଦକୁ ବର୍ଷେ ନପୂରୁଣୁ ସେ ପୁଣିଥରେ ମନ୍ତ୍ରୀ ହୋଇଛନ୍ତି।

ସେହିପରି ମୟୂରଭଞ୍ଜ ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ବେଶ୍ ଦବଦବା ରହିଛି। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରୁ କ୍ୟାରିୟର ଆରମ୍ଭ କରି ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ବିଜେଡିରେ ଯୋଗ ଦେଇ ୨୦୧୪ ମସିହାରୁ ଦୁଇ ଥର ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇଆସୁଛନ୍ତି।

ସୁଦାମ ମାର୍ଣ୍ଡି ୨୦୧୯ ମସିହାରେ ଓଡ଼ିଶା ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ଵ ବିଭାଗ ପାଇଥିଲେ। ୨୦୨୨ ମସିହାରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ଏଥୁରୁ ବାଦ ପଡ଼ିଥିଲେ। ଏବେ ବର୍ଷେ ପରେ ସେ ନିଜର ମନ୍ତ୍ରୀ ପଦ ପୁଣି ଫେରି ପାଇଛନ୍ତି।

ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସାରଦା ନାୟକ ରାଉରକେଲାରୁ ୩ଥର ବିଧାୟକ ରହିଛନ୍ତି। ସେ ପ୍ରଥମେ ୨୦୦୪ ମସିହାରେ ବିଧାୟକ ହୋଇଥିଲେ। ଏହାପରେ ୨୦୦୯ ମସିହାରୁ ୨୦୧୨ ମସିହା ଯାଏଁ ସେ ଓଡ଼ିଶା ସରକାରରେ ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ତାଙ୍କୁ ମନ୍ତ୍ରୀ କରାଯାଇଥିବା ଚର୍ଚ୍ଚା ହେଉଛି।

ଏବେ ୩ ନୂଆ ମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଏହା ପୂର୍ବରୁ ମେ’ ମାସ ୧୨ ତାରିଖରେ ଓଡ଼ିଶାର ଅନ୍ୟ ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାଛଡ଼ା ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ନୂଆ ଚେହେରା ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। ଶେଷରେ ରବିବାର ଦିନ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ମନ୍ତ୍ରୀ ହେବେ ବୋଲି ସୂଚନା ମିଳିଥିଲା।

ସୋମବାର ନୂଆ ମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ହୋଇଥିଲେ। ଏହାଛଡ଼ା ରାଜ୍ୟର ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #OdishaCabinet #NewMinisters #SwearningInCeremony #GovernerofOdisha

Comment