ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ୫୮ତମ ବୈଠକ। ଏହି ବୈଠକରେ ବିଭିନ୍ନ ବିଭାଗର ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଓଡ଼ିଶାର ୨୨ଟି ଜାତି/ସମ୍ପ୍ରଦାୟ ଏବଂ ଏହାର ସମାର୍ଥକ ଜାତିଗୁଡ଼ିକ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସସିବିସି) ତାଲିକାରେ ଅନ୍ତର୍ଭୁକ୍ତ ହେବ। ଏ ନେଇ ରାଜ୍ୟ କ୍ୟାବିନେଟ ପକ୍ଷରୁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ ୧୯୯୩ର ସଂଶୋଧନ ସମ୍ବନ୍ଧୀୟ ଅଧ୍ୟାଦେଶର ଘୋଷଣା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।

ସେହିପରି ବିଜୁସେତୁ ଯୋଜନାରେ ୮୬୬ଟି ନୂଆ ସେତୁ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ବିଜୁ ସେତୁ ଯୋଜନାର ସମୟ ସୀମାକୁ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିପାଇଁ ଅତିରିକ୍ତ ୩,୫୯୭.୨୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀକ କୁମାର ଜେନା ସୂଚନା ଦେଇଛନ୍ତି।

ଏହା ସହିତ ବୈଦ୍ୟୁତିକ ଯାନ ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଅଧିକ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ଵାରା ବୈଦ୍ୟୁତିକ ଯାନ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯିବ।

କଟକ ସହରର ରିଙ୍ଗ ରୋଡର ଖାନନଗରରୁ ଲିଙ୍କରୋଡ ପର୍ଯ୍ୟନ୍ତ ରାସ୍ତାକୁ ୬ ଲେନ ବିଶିଷ୍ଟ କରିବା ପାଇଁ ମୋଟ ୧୨୧.୬୫ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସେହିପରି ଆଗାମୀ ୩ ବର୍ଷ ପାଇଁ ରାଜ୍ୟରେ ଆରଡିଏସଏସ ଯୋଜନା କାର୍ଯ୍ୟକାରୀ କରିବାକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨,୩୪୨ କୋଟି ଟଙ୍କା।

ଅନ୍ୟ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ବନ ସେବା କ୍ୟାଡରରେ ୭୬ଟି ପଦବୀ ବୃଦ୍ଧି ହେବା ସହ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ନିୟମାବଳୀ ୧୯୫୬ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।

ଖଣି ଚୋରି ରୋକିବା ଲାଗି ବ୍ୟବସ୍ଥା ପ୍ରଣୟନ, ଖଣିଜ ପରିବହନ ପାଇଁ  ଆବଶ୍ୟକ ଟ୍ରାଞ୍ଜିଟ ପାସ ବ୍ୟବସ୍ଥାର କମ୍ପ୍ୟୁଟରିକରଣ ପାଇଁ ଓଡ଼ିଶା ମାଇନ୍ସର ମିନେରାଲ୍ସ କନସେସନ ରୁଲ୍ ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ଓଡ଼ିଶା ସ୍ପେସିଫାଏଡ ମାଇନର ମିନେରାଲ୍ସ ଅକ୍ସନ ରୁଲ୍ସ ୨୦୧୯ ଏବଂ ଓଡ଼ିଶା ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ସହିତ ରେଟ କଣ୍ଟ୍ରାକ୍ଟ ନିୟମ, ୨୦୧୪ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି।

ଏହା ସହିତ ଓଡ଼ିଶା ଅବକାରୀ ଅମଲା ସେବା ନିୟମ ୨୦୨୩ ଏବଂ ଓଡ଼ିଶା ଅଧୀନସ୍ଥ ଅବକାରୀ ସେବା ନିୟମ ୨୦୨୩ର ପ୍ରଚଳନ ପ୍ରସ୍ତାବକୁ କାବିନେଟରେ ଅନୁମୋଦନ ମିଳିଛି।

Tags: #OdishaCabinet #CabinetMeeting #CMOdisha #NaveenPatnaik

Comment