ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ତାଲିମ ପ୍ରତିଷ୍ଠାନ ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟ ଆଣ୍ଡ୍ ପଞ୍ଚାୟତିରାଜ’ (ଏସଆଇଆରଡି ଆଣ୍ଡ୍ ପିଆର) ପରିସରରେ ଗ୍ରାମ ବିକାଶ ବା ରୁରାଲ୍ ଡେଭଲପମେଣ୍ଟ କ୍ଷେତ୍ରରେ ବିଭିନ୍ନ ପାଠ୍ୟକ୍ରମ ଲାଗି ଷ୍ଟଡି ସେଣ୍ଟର ଖୋଲିଛି। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିର ଏହି ଷ୍ଟଡି ସେଣ୍ଟର ମାଧ୍ୟମରେ ୨୦୧୮-୧୯ ଶିକ୍ଷାବର୍ଷ ଲାଗି ବିଭିନ୍ନ ବିଷୟରେ ନାମ ଲେଖା ହେବାକୁ ଯାଉଛି।
ଭୁବନେଶ୍ୱର ଆଠ ନମ୍ବର ଅଞ୍ଚଳରେ ରହିଥିବା ଏସଆଇଆରଡି ପ୍ରତିଷ୍ଠାନରେ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ବିଷୟରେ ତାଲିମ ଦିଆଯାଉଛି। ତା’ ସହିତ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ଏହିଠାରେ ଆୟୋଜିତ ହୋଇଥାଏ। ଏବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ରୁରାଲ୍ ଡେଭଲପମେଣ୍ଟର ବିଭିନ୍ନ ଦିଗରେ ଅନୁମୋଦିତ ପାଠ୍ୟକ୍ରମର ପରିଚାଳନା ଲାଗି ଏଠାରେ ଷ୍ଟଡି ସେଣ୍ଟର ଖୋଲିବା ଖୁସିର ବିଷୟ।
ଏସଆଇଆରଡିସ୍ଥିତ ଷ୍ଟଡି ସେଣ୍ଟର ମାଧ୍ୟମରେ ଯେଉଁ ପାଠ୍ୟକ୍ରମ ପରିଚାଳନା ହେବାକୁ ଯାଉଛି ସେଗୁଡ଼ିକ ହେଲା:
- ମାଷ୍ଟର ଅଫ୍ ଆର୍ସ ଇନ୍ ରୁରାଲ୍ ଡେଭଲପମେଣ୍ଟ
- ପୋଷ୍ଟ୍ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ରୁରାଲ୍ ଡେଭଲପମେଣ୍ଟ
- ପୋଷ୍ଟ୍ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ରୁରାଲ୍ ମ୍ୟାନେଜମେଣ୍ଟ
- ଡିପ୍ଲୋମା ଇନ୍ ରୁରାଲ୍ ଡେଭଲପମେଣ୍ଟ
- ଡିପ୍ଲୋମା ଇନ୍ ରୁରାଲ୍ ମ୍ୟାନେଜମେଣ୍ଟ
- ସାର୍ଟିଫିକେଟ୍ ଇନ୍ ରୁରାଲ୍ ଡେଭଲପମେଣ୍ଟ
- ସାର୍ଟିଫିକେଟ୍ ଇନ୍ ରୁରାଲ୍ ମ୍ୟାନେଜମେଣ୍ଟ
ବିଭିନ୍ନ ପଞ୍ଚାୟତିରାଜ ଅନୁଷ୍ଠାନ, ଲୋକପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା, ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ବା ଯେ କୌଣସି ଆଗ୍ରହୀ ପ୍ରାର୍ଥୀ ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ।
ଏହିସବୁ ପାଠ୍ୟକ୍ରମରେ ଅନଲାଇନ୍ ନାମଲେଖା ପାଇଁ ଶେଷ ତାରିଖ ରହିଛି ୨୦ ସେପ୍ଟେମ୍ବର ୨୦୧୮। ଅନଲାଇନ୍ରେ ନାମ ଲେଖା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ଏସଆଇଆରଡି ଷ୍ଟଡି ସେଣ୍ଟରକୁ ବାଛିବାକୁ ଏସଆଇଆରଡିର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।
ଏହି ପାଠ୍ୟକ୍ରମ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଏସଆଇଆରଡି ଷ୍ଟଡି ସେଣ୍ଟର ସହ ଟେଲିଫୋନ ନମ୍ବର ୦୬୭୪-୨୫୬୨୪୫୩ ମାଧ୍ୟମରେ ଯୋଗାଯୋଗ କରିବାକୁ ଏହି ଷ୍ଟଡି ସେଣ୍ଟରର ସଂଯୋଜକ ଅନୁରୋଧ କରିଛନ୍ତି।