ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଜପେୟୀଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରୁଛି ବିଜେପି। ହେଲେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନବୀନ ନିଜେ ଆସିବେ ନା ପ୍ରତିନିଧି ପଠାଇବେ ତା’ଉପରେ ସମସ୍ତଙ୍କ ନଜର।

ଅଗଷ୍ଟ ୨୪ ତାରିଖ ଉପରେ ସମସ୍ତଙ୍କ ନଜର। କାରଣ ଏହିଦିନ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଆୟୋଜନ କରାଯାଉଛି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା।

ଏହି ସଭାକୁ ଓଡ଼ିଶାର ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରୁଛି ବିଜେପି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆସିବା ପାଇଁ ନିମନ୍ତ୍ରଣ ଦେବ ବିଜେପି। ହେଲେ ବିଜେପିର ନିମନ୍ତ୍ରଣକୁ ରକ୍ଷା କରି ନବୀନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିବେ କି ନାହିଁ ତାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ବଢ଼ିଛି।

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ନବୀନଙ୍କର ରହିଛି ଯଥେଷ୍ଟ ସମ୍ମାନ। ଏହାର ପ୍ରମାଣ ଅଗଷ୍ଟ ୧୬ ତାରିଖ ସକାଳେ ଦେଖିବାକୁ ମିଳିଥିଲା। ବାଜପେୟୀ ଗୁରୁତର ଥିବା ଖବର ଆସିବା ମାତ୍ରେ ସବୁ କାର୍ଯ୍ୟକ୍ରମ ବାତିଲ କରି ନବୀନ ଦିଲ୍ଲୀ ଯାଇଥିଲେ। ଗଣମାଧ୍ୟମରେ ବିବୃତି ଦେଇ ବାଜପେୟୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ନବୀନ ଖଣି ଓ ଇସ୍ପାତ ମନ୍ତ୍ରୀ ରହି ବହୁ ଅଭିଜ୍ଞତା ହାସଲ କରିଥିବା କହିଥିଲେ।

ଓଡ଼ିଶାରେ ଗଣମାଧ୍ୟମକୁ ବିବୃତି ଦେଇ ନବୀନ ବିମାନରେ ଦିଲ୍ଲୀରେ ପହଞ୍ଚିବା ପରେ ସିଧା ଏମ୍‌ସକୁ ଯାଇଥିଲେ। ସେଠାରେ ତାଙ୍କ ଶେଷ ଦର୍ଶନ କରିବା ସହ ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଇ ଭୁବନେଶ୍ୱର ଫେରି ଆସିଥିଲେ।

ଏପଟେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୭ଟି ରାଜ୍ୟରେ ବିଜେପି ପକ୍ଷରୁ ଆୟୋଜନ କରାଯାଉଛି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଆୟୋଜନ କରାଯାଉଛି ସଭା। ବାଜେପୟୀଙ୍କ ନବମ କ୍ରୀୟା ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସଭା ଆୟୋଜନ କରାଯାଉଛି।

ଏହି ସଭାକୁ ଆସିବା ପାଇଁ ସବୁ ଦଳର ନେତାଙ୍କୁ ବିଜେପି ନିମନ୍ତ୍ରଣ ଦେଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ପିସିସି ସଭାପତି ଏବଂ ବିରୋଧୀ ଦଳ ନେତା ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆସିବାର କୌଣସି ଅସୁବିଧା ନାହିଁ। କାରଣ କଂଗ୍ରେସ ହେଉଛି ଜାତୀୟ ଦଳ ଏବଂ ତାଙ୍କ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବାଜପେୟୀଙ୍କ ଅନ୍ତ୍ୟଷ୍ଟିକ୍ରୀୟାରେ ସାମିଲ ହୋଇଥିଲେ। ହେଲେ କଥା ଅଟକିଛି ନବୀନଙ୍କ ପାଖରେ।

ଦିଲ୍ଲୀରେ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିବା ନବୀନ ଓଡ଼ିଶା ବିଜେପି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାକୁ ଆସିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

“ଆମେ ସବୁ ଦଳର ନେତାଙ୍କୁ ଭେଟି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାକୁ ଆସିବା ପାଇଁ ନିମନ୍ତ୍ରଣ ଦେଉଛୁ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ ଦିଆଯାଇଛି।”

ଓଡ଼ିଶାରେ ବିଜେପି-ବିଜେଡି ଭିତରେ ସମ୍ପର୍କ କ’ଣ ତାହା ସମସ୍ତେ ଭଳଭାବେ ଜାଣନ୍ତି। କଥା କଥାରେ ବିଜେପି ନେତା ବିଜେଡିକୁ ଟାର୍ଗେଟ କରି ଆସୁଛନ୍ତି। ଏପଟେ ବିଜେଡି ମଧ୍ୟ କେନ୍ଦ୍ର ଅବହେଳାର ନାରା ଦେଇ ବିଜେପିକୁ ସମାଲୋଚନା କରୁଛି। ଏଣୁ ନବୀନ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାକୁ ଆସି ନପାରନ୍ତି ବୋଲି ଆଲୋଚନା ହେଉଛି। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ପ୍ରତିନିଧି ପଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment