ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପି ଆୟୋଜନ କରୁଛି ସର୍ବଦଳୀୟ ବୈଠକ। ନବୀନ ନିବାସକୁ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଜେପି ଆୟୋଜନ କରୁଛି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୨୪ ତାରିଖ ଅପରାହ୍ଣରେ ଏହି ସଭା ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳର ନେତାଙ୍କୁ ନିମନ୍ତ୍ରଣ କରୁଛି ବିଜେପି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିମନ୍ତ୍ରଣ କରିଛନ୍ତି। ନବୀନ ନିବାସକୁ ଯାଇ ଜୁଏଲ ନିମନ୍ତ୍ରଣପତ୍ର ଦେଇଛନ୍ତି। ତେବେ ନବୀନ ଆସିବେ କି ନାହିଁ ସେନେଇ କିଛି ଜଣାପଡ଼ି ନାହିଁ।

ଏହାସହ ଜୁଏଲ୍ ମଧ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସର୍ବଦଳୀୟ ସଭାକୁ ଆସିବା ଲାଗି ନିମନ୍ତ୍ରଣ ଦେଇଛନ୍ତି।

ବାଜପେୟୀ ଗୁରୁତର ଥିବା ଖବର ଆସିବା ମାତ୍ରେ ସବୁ କାର୍ଯ୍ୟକ୍ରମ ବାତିଲ କରି ନବୀନ ଦିଲ୍ଲୀ ଯାଇଥିଲେ। ଗଣମାଧ୍ୟମରେ ବିବୃତି ଦେଇ ବାଜପେୟୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ନବୀନ ଖଣି ଓ ଇସ୍ପାତ ମନ୍ତ୍ରୀ ରହି ବହୁ ଅଭିଜ୍ଞତା ହାସଲ କରିଥିବା କହିଥିଲେ।

ଓଡ଼ିଶାରେ ଗଣମାଧ୍ୟମକୁ ବିବୃତି ଦେଇ ନବୀନ ବିମାନରେ ଦିଲ୍ଲୀରେ ପହଞ୍ଚିବା ପରେ ସିଧା ଏମ୍‌ସକୁ ଯାଇଥିଲେ। ସେଠାରେ ତାଙ୍କ ଶେଷ ଦର୍ଶନ କରିବା ସହ ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଇ ଭୁବନେଶ୍ୱର ଫେରି ଆସିଥିଲେ।

ଏପଟେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୭ଟି ରାଜ୍ୟରେ ବିଜେପି ପକ୍ଷରୁ ଆୟୋଜନ କରାଯାଉଛି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଆୟୋଜନ କରାଯାଉଛି ସଭା। ବାଜେପୟୀଙ୍କ ନବମ କ୍ରୀୟା ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସଭା ଆୟୋଜନ କରାଯାଉଛି। ଏହି ସଭାକୁ ଆସିବା ପାଇଁ ସବୁ ଦଳର ନେତାଙ୍କୁ ବିଜେପି ନିମନ୍ତ୍ରଣ ଦେଉଛି।

Comment