ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ଣ ୫ଟାରେ ବାଜପେୟୀଙ୍କ ପାଇଁ ହେବାକୁ ଥିବା ସର୍ବଦଳୀୟ ଶ୍ରଦ୍ଧାଞ୍ଜଳିକୁ ଆସିବା ପାଇଁ ସମ୍ମତି ଜଣାଇଛନ୍ତି ନବୀନ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଶ୍ରଦ୍ଧାଞ୍ଜଳି ସଭାରେ ନବୀନ ଠିକ୍ ୫ଟାରେ ପହଞ୍ଚିବେ। ସେଠାରେ ୨୦ ମିନିଟ୍ ରହି ଫେରି ଆସିବେ। ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ପାଇଁ ଆଜି ନବୀନ ନିବାସକୁ ଯାଇ ନିମନ୍ତ୍ରଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଜେପି ଉପ-ସଭାପତି ସମୀର ମହାନ୍ତି।

ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ପାଇଁ ବିଜେପି ପକ୍ଷରୁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ନବୀନ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ବି ନାହିଁ ତା’ ଉପରେ ସମସ୍ତଙ୍କର ନଜର ରହିଥିଲା।

ଅଗଷ୍ଟ ୧୬ରେ ବାଜପେୟୀ ଗୁରୁତର ଥିବା ଖବରପାଇ ନବୀନ ଓଡ଼ିଶାରେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଯାଇଥିଲେ। ବାଜପେୟୀଙ୍କୁ ଜଣେ ମହାନ ନେତା ଭାବେ ବର୍ଣ୍ଣନା କରିଥିଲେ। ତାଙ୍କ ମନ୍ତ୍ରିମଣ୍ଡଳରେ କାମ କରି ସେ ବହୁ ଅଭିଜ୍ଞତା ହାସଲ କରିଥିବା କହିଥିଲେ।

ବାଜପେୟୀଙ୍କ ଦେହାନ୍ତ ପରେ ନବୀନ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାସହ ବାଜପେୟୀଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସାମିଲ ହୋଇଥିଲେ।

Comment