ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରୋପ ପ୍ରତ୍ୟାରୋପ ରାଜନୀତିକୁ ଭୁଲି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏକାଠି ହେଲେ ସବୁ ଦଳର ନେତା।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଚକିତ କଲା ଭଳି ଘଟଣା ଘଟିଛି। ମନାନ୍ତର, ମତାନ୍ତରକୁ ପଛରେ ପକାଇ ସବୁ ଦଳର ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଗୋଟିଏ ପ୍ଲାଟଫର୍ମରେ ବିରୋଧୀ ଓ ଶାସକ ଦଳର ନେତା ଏକାଠି ହୋଇ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସଭାରେ ଏକାଠି ହୋଇଥିବାରୁ ରାଜନୀତି କରିଡ଼ରରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆଜି ଆୟୋଜନ କରାଯାଇଥିଲା ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାକୁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରିଥିଲା ବିଜେପି। ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଜେପି ଉପ-ସଭାପତି ସମୀର ମହାନ୍ତି। ନିମନ୍ତ୍ରଣ ପତ୍ର ଦେଇ  ଶ୍ରଦ୍ଧାଞ୍ଜଳି ସଭାକୁ ଆସିବା ପାଇଁ ନବୀନଙ୍କୁ ଅନୁରୋଧ କରିଥିଲେ ଜୁଏଲ। ପିସିସି ସଭାପତିଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା।

ହେଲେ ସମସ୍ତଙ୍କ ନଜର ଥିଲା ନବୀନଙ୍କ ଉପରେ। ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାକୁ ନବୀନ ଆସିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ବଢ଼ିଥିଲା। କିନ୍ତୁ ବିଜେପିର ନିମନ୍ତ୍ରଣ ଗ୍ରହଣ କରିଥିଲେ ନବୀନ। ଜୁଏଲ ନିମନ୍ତ୍ରଣ ଦେଇ ଆସିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସ୍ପଷ୍ଟ କରାଗଲା ଯେ ଶ୍ରଦ୍ଧାଞ୍ଜଳି ସଭାକୁ ନବୀନ ଆସିବେ।

ଠିକ୍‌ ୫ଟାରେ ନବୀନ ପ୍ରଦର୍ଶନୀ ପଡ଼ିଆରେ ପ୍ରବେଶ କଲେ। ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମଞ୍ଚ ତଳେ ପଡ଼ିଥିବା ସୋଫାରେ ବସିଲେ। ମଜା କଥା ହେଉଛି ଯେ ଏହି ସୋଫାରେ ପୂର୍ବରୁ ବସି ରହିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆଉ ସେହି ସେଫାରେ ହିଁ ବସିଲେ ନବୀନ। ନବୀନ ଓ ଧର୍ମେନ୍ଦ୍ର କିଛି ସମୟ ଚୁପ୍‌ଚାପ୍ ରହିବା ପରେ ପରସ୍ପର କଥା ହୋଇଥିଲେ। ଏହାପରେ ନବୀନ ମଞ୍ଚ ଉପରକୁ ଯାଇ ବାଜପେୟୀଙ୍କ ସ୍ମୃତିଚାରଣ କରି ଫେରି ଆସିଥିଲେ।

ଧର୍ମେନ୍ଦ୍ର ଏବଂ ନବୀନ ଗୋଟିଏ ସୋଫାରେ ପାଖାପାଖି ବସିଥିବାରୁ ସମସ୍ତଙ୍କ ନଜର ଉଭୟଙ୍କ ଉପରେ ରହିଥିଲା। କାରଣ ବିଜେପି ଓ ବିଜେଡି ଭିତରେ ଓଡ଼ିଶାରେ ସମ୍ପର୍କ କ’ଣ ତାହା ସମସ୍ତେ ଭଲଭାବେ ଜାଣନ୍ତି। ମେଣ୍ଟ ଭାଙ୍ଗିବା ପରଠୁ ବିଜେପି ବିଜେଡିକୁ ସମାଲୋଚନା କରି ଆସୁଥିବା ବେଳେ ବିଜେଡି ବିଜେପିକୁ କାଉଣ୍ଟର କରୁଛି। ପ୍ରତି କଥାରେ ବିଜେପି ରାଜ୍ୟ ସରକାରଙ୍କୁ ଘେରି ରାଜରାସ୍ତାକୁ ଆସୁଥିବା ବେଳେ ବିଜେଡି କେନ୍ଦ୍ର ଅବହେଳାର ସ୍ଲୋଗାନ ଦେଇ ବିଜେପିକୁ ଟାର୍ଗେଟ କରି ଆସୁଛି।

ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ବାଣ ମାରି ଆସୁଛନ୍ତି। ହେଲେ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସବୁ ମତଭେଦକୁ ଭୁଲି ଯାଇଥିଲେ ଏହି ଦୁଇ ନେତା।

ଖାଲି ସେତିକି ନୁହେଁ, ଶ୍ରଦ୍ଧାଞ୍ଜଳି ସଭାରେ ନବୀନ ଏବଂ ଧର୍ମେନ୍ଦ୍ର ଉପସ୍ଥିତ ଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବି ସଭାସ୍ଥଳରେ ପ୍ରବେଶ କରିଥିଲେ। ଶ୍ରଦ୍ଧାଞ୍ଜଳି ଦେଇ ବାଜପେୟୀଙ୍କୁ ମହାନ ନେତା ଭାବେ ବର୍ଣ୍ଣନା କରିଥିଲେ ନିରଞ୍ଜନ ଓ ନରସିଂହ। ବିଜେପି ନେତାଙ୍କ ସହ ହାତ ମିଳାଇ କଥା ହୋଇଥିଲେ।

ଗୋଟିଏ ପଟେ ବିଜେପି-କଂଗ୍ରେସ ଭିତରେ ଟଣାଓଟରା ରାଜନୀତି ଚାଲିଛି। ଚିତାଭସ୍ମ ଶୋଭାଯାତ୍ରାକୁ ପିକ୍‌ନିକ୍‌ ପାର୍ଟି କହି କଟାକ୍ଷ କରିଥିବା ନିରଞ୍ଜନଙ୍କୁ ଶ୍ରଦ୍ଧାଞ୍ଜଳି ସଭାରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ପାଖେଇ ଆସୁଛି ୨୦୧୯ ନିର୍ବାଚନ। ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ତିନି ଦି ପ୍ରସ୍ତୁତ କରୁଛନ୍ତି ଅଲଗା ଅଲଗା ରଣନୀତି। ବିଜେଡି କେନ୍ଦ୍ରର ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେଉଛି। ବିଜେପି କଂଗ୍ରେସ ଶାସନ ଅମଳର ଦୁର୍ନୀତି ଏବଂ ବିଜେଡିର ବିଫଳତାକୁ ପ୍ରସଙ୍ଗ କରି ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ଉଭୟ ବିଜେଡିର ୧୮ ବର୍ଷର ବିଫଳ ଶାସନ ଏବଂ କେନ୍ଦ୍ର ଏନଡିଏ ସରକାରର ୪ ବର୍ଷ ଶାସନ ବିରୋଧରେ ଯୁଦ୍ଧ ଡାକରା ଦେଇଛି। ହେଲେ ବାଜପେୟୀଙ୍କ ଭଳି ମହାନ ଜନନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ତିନି ପ୍ରମୁଖ ଦଳର ନେତା ଏକାଠି ହୋଇଥିବାରୁ ରାଜନୀତି କରିଡ଼ରରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି।

Comment