ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ମୃତକଙ୍କ ପରିବାର ସମେତ ଉଦଳା ଜନସାଧାରଣ ଡାକ୍ତରଖାନା ସମ୍ମୁଖରେ ମୃତକ ମହିଳାଙ୍କ ମରଶରୀର ରଖି ପ୍ରତିବାଦ କରିଛନ୍ତି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉଦଳା ଥାନାରେ ମାମଲା ରୁଜୁ। ମୃତକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା କରିଥିବା ପ୍ରସୂତି ବିଭାଗର ଡାକ୍ତରଙ୍କ ଗିରଫ ଦାବି କରିଛନ୍ତି।

ଶରତ ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମର ପ୍ରସୁତି ମହିଳା ରଶ୍ମିତା ମହାପାତ୍ର ଗତକାଲି ସକାଳେ ଉଦଳା ଡାକ୍ତରଖାନାରେ ମହିଳା ଓ ପ୍ରସୂତି ବିଭାଗରେ ଆଡମିଶନ ହୋଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା।

ରାତିରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାର ସ୍ଵାସ୍ଥ୍ୟ ଖରାପ ହେବା ପରେ ଡ୍ୟୁଟିରେ ଥିବା ଡାକ୍ତର ତାକୁ ଠିକଣା ସମୟରେ ଦେଖିବାକୁ ନ ଅ।ସିବା ଫଳରେ ରାତି ପ୍ରାୟ ୧ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଥିବା ମହିଳା ରଶ୍ମିତାଙ୍କ ମୃତ୍ୟୁ ହୋଇଛି ବୋଲି ତାର ସ୍ଵାମୀ ତପନ ମହାପାତ୍ର ଉଦଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ସଂପୃକ୍ତ ଡାକ୍ତରଙ୍କ ବ୍ୟବହାର ନେଇ ମଧ୍ୟ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଥିଲା। ଯାହା ଏବେ ଜନଅସନ୍ତୋଷରେ ପରିଣତ ହୋଇଛି।

ଉଦଳା ଉପଖଣ୍ଡ ଚିକିତ୍ସାଧିକାରୀ ଡକ୍ଟର ଶିବାନନ୍ଦ ମହାନ୍ତି ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ସ୍ଵପ୍ନେଶ୍ଵର ମହାପାତ୍ରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ଵାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here