ଓଡ଼ିଶାଲାଇଭ୍ ବ୍ୟୁରୋ

  • କେନ୍ଦ୍ରାପଡ଼ା ଜିଲ୍ଲା ରଙ୍ଗଣି ପଞ୍ଚାୟତ ଭେକ୍ଟା ଗାଁର ଘଟଣା
  • ପ୍ରେମିକାକୁ ରାତି ଅଧିଆ ଉଠାଇ ନେଇଥିଲା ପ୍ରେମିକ
  • ଭୁବନେଶ୍ୱରରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ
  • ତାଳଚୁଆ ପଞ୍ଚାୟତରେ ଚାଲିଲା ବିଚାର
  • ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପ୍ରେମିକକୁ ଦିଆଗଲା ନିର୍ଦ୍ଦେଶ
  • ପ୍ରେମିକକୁ ଛେଚିଲେ ଗାଁର ଯୁବକ, ଉଲଗ୍ନ କରି ଭିଡିଓ କଲେ ଭାଇରାଲ

ପ୍ରେମିକାକୁ ରାତାରାତି ଉଠାଇ ନେବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ରଙ୍ଗଣି ପଞ୍ଚାୟତର ଭେକ୍ଟା ଗାଁର ରାଜୁ ଜେନା ନାମକ ଜଣେ ଯୁବକଙ୍କୁ ନିର୍ଯାତନା ଭୋଗିବାକୁ ପଡ଼ିଛି।

ରାଜୁଙ୍କୁ ପ୍ରେମିକାଙ୍କ ଘରଲୋକ ତାଳଚୁଆ ପଞ୍ଚାୟତ କାର୍ଯ୍ୟାଳୟରେ ରଖି ନିସ୍ତୁକ ଛେଚିବା ସହ ତାଙ୍କ ବାପାଙ୍କ ସାମ୍ନାରେ ଉଲଗ୍ନ କରିଦିଆଯାଇଥିଲା। ଉଲଗ୍ନ ସମ ୟର ଭିଡିଓ ଉତ୍ତୋଳନ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରି ଦିଆଯାଇଛି।

ଏହାଛଡ଼ା ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ରାଜୁଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏନେଇ ତାଳଚୁଆ ସାମୁଦ୍ରିକ ଥାନାରେ ରାଜୁ ଜେନାଙ୍କ ବଡ଼ ଭାଇ ଏହି ଅଭିଯୋଗ କରିବା ପରେ ରାଜନଗର ଥାନାରେ ହିରାଲାଲ ମଣ୍ଡଳ ନାମକ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ଗୁରୁତର ରାଜୁ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ରାଜୁ ଜେନା ଚିଙ୍ଗୁଡିଘେରିରେ ଗୁମାସ୍ତା ଭାବରେ କାମ କରୁଥିଲା। ଏହି ଅବସରରେ ରାଜୁ ତା’ ମାଲିକଙ୍କ ଘରକୁ ଯିବା ଆସିବା କରିବା ସମୟରେ ମାଲିକଙ୍କ ବଡ଼ ଭାଇଙ୍କର ୧୫ ବର୍ଷିୟା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୬ ତାରିଖରେ ସମ୍ପୃକ୍ତ ନାବାଳିକାଙ୍କୁ ରାତିରେ ଉଠାଇନେଇ ଭୁବନେଶ୍ୱର ପଳାଇଥିଲା ରାଜୁ।

ନାବାଳିକାଙ୍କ ଘର ଲୋକେ ଭୁବନେଶ୍ୱର ଆସିଥିଲେ। ଗତକାଲି ରାଜୁ ସହିତ ନାବାଳିକାଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରି ଘରକୁ ଆଣିଥିଲେ। ଝିଅକୁ ଘରକୁ ନେଇ ରାଜୁକୁ ତାଳଚୁଆ ପଞ୍ଚାୟତ ଅଫିସରେ ରଖିଥିଲେ।

ରାଜୁ ନାବାଳିକାଙ୍କୁ ଉଠାଇ ନେଇଥିବାରୁ ଗ୍ରାମର କିଛି ମୁରବି ଲୋକମାନଙ୍କୁ ନେଇ ବସିଥିଲା ବୈଠକ। ବୈଠକରେ ରାଜୁକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିପାଇଁ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ରାଜୁକୁ କୁହାଯାଇଥିଲା।

୨ ଲକ୍ଷ ଟଙ୍କା ନଦେଇ ପାରିବାରୁ ରାଜୁକୁ ତାଙ୍କ ବାପାଙ୍କ ସମ୍ମୁଖରେ ଲଙ୍ଗଳା କରି ନିସ୍ତୁକ ପିଟିଥିଲେ  କିଛି ଯୁବକ। ଏହି ସମୟରେ କିଛି ଯୁବକ ରାଜୁର ଉଲଗ୍ନ ଫଟୋ ଓ ଭିଡିଓକୁ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି।

ତାଳଚୁଆ ପଞ୍ଚାୟତ କାର୍ଯ୍ୟାଳୟରେ ଏପରି ବେଆଇନ କାର୍ଯ୍ୟ କରାଯାଇଥିବା ଘଟଣାକୁ ନିନ୍ଦା କରି ଆଜି ରାଜୁ ଜେନାଙ୍କ ସମର୍ଥକମାନେ ଟାୟାର ଜାଳି ବିକ୍ଷୋଭ କରିଥିଲେ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କ ସହିତ ତାଳଚୁଆ ପଞ୍ଚାୟତର  ସରପଞ୍ଚ କାଲୁ ବାରାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ଘଉଡ଼ଇଥିଲେ।

ଏଣେ ରାଜୁ ସହିତ ନାବାଳିକା ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବେ ଭାଇରାଲ ହୋଇଛି। ନାବାଳିକାଙ୍କ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଥିବା ଖବର ତାଙ୍କ ନିକଟରେ ରହିଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇ ନଥିବା ତାଳଚୁଆ ସାମୁଦ୍ରିକ ଥାନା ଦାୟିତ୍ୱରେ ଥିବା ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର କହିଛନ୍ତି।

Comment